ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଲେ ହାଇକୋର୍ଟ, ୨୬ ସୁଦ୍ଧା ରଖିବେ ଜବାବ
କଟକ: ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିସନ୍ ଅଧ୍ୟକ୍ଷ ଓ ସଦସ୍ୟଙ୍କୁ ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସ୍କୁ ଚ୍ୟାଲେଞ୍ଜ କରି ଦାୟର ପାଞ୍ଚଟି ମାମଲାର ଶୁଶାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ସ୍ବତନ୍ତ୍ର ସଚିବଙ୍କ ତରଫରୁ ଜାରି ୨୦୨୪ ନଭେମ୍ବର୍ ୧୬ର କାରଣ ଦର୍ଶାଅ ନୋଟିସର ଜବାବ ନଭେମ୍ବର୍ ୨୬ ସୁଦ୍ଧା ଦାଖଲ କରିବା ପାଇଁ ଆବେଦନକାରୀ ତଥା କମିସନ୍ ଅଧ୍ୟକ୍ଷ ଓ ସଦସ୍ୟଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ଜବାବକୁ ବିଚାରକୁ ନେଇ କର୍ତ୍ତୃପକ୍ଷ ଯଥାର୍ଥ ନିର୍ଦ୍ଦେଶ ପ୍ରଦାନ କରିବେ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ କମିସନ୍ ଅଧ୍ୟକ୍ଷ ମନ୍ଦାକିନୀ କର, ସଦସ୍ୟ ଜେ. ପ୍ରିୟଦର୍ଶିନୀ, ଅନିତା ବେହେରା, ରୁବି ବିଶ୍ବାଳ ଓ ସସ୍ମିତା ନନ୍ଦଙ୍କ ଆବେଦନର ଶୁଣାଣିରେ ହାଇକୋର୍ଟ ଅନ୍ତ ଘଟାଇଛନ୍ତି। ଡକ୍ଟର୍ ଜଷ୍ଟିସ୍ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ କମିସନ୍ ଅଧ୍ୟକ୍ଷ ଓ ସଦସ୍ୟଙ୍କ ତରଫରୁ ଦାୟର ୫ଟି ମାମଲାର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
କାରଣ ଦର୍ଶାଅ ନୋଟିସ୍କୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିସନ୍ ଅଧ୍ୟକ୍ଷ ଓ ସଦସ୍ୟଙ୍କ ଚ୍ୟାଲେଞ୍ଜ
ମାମଲାର ବିବରଣୀରୁ ପ୍ରକାଶ ଯେ, ମହିଳା ଓ ଶିଶୁ ବିକାଶ ବିଭାଗ ସ୍ବତନ୍ତ୍ର ସଚିବଙ୍କ ପକ୍ଷରୁ ୨୦୨୪ ନଭେମ୍ବର ୧୬ରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିସନ୍ ଅଧ୍ୟକ୍ଷ ଓ ସଦସ୍ୟଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ମାମଲା ଫଏସଲା ଓ କ୍ୟାମ୍ପ କୋର୍ଟ ଆୟୋଜନ କ୍ଷେତ୍ରରେ ପ୍ରଦର୍ଶନ ସନ୍ତୋଷଜନକ ନଥିବା ନୋଟିସ୍ରେ ଉଲ୍ଲେଖ କରାଯାଇଥିଲା। ଏହି କାରଣ ଦର୍ଶାଅ ନୋଟିସ୍କୁ ଚ୍ୟାଲେଞ୍ଜ କରି ଆବେଦନକାରୀ ପୃଥକ ମାମଲା ହାଇକୋର୍ଟରେ ଦାୟର କରିଥିଲେ। କମିସନସ୍ ଫର ପ୍ରୋଟେକ୍ସନ୍ ଅଫ୍ ଚାଇଲ୍ଡ ରାଇଟ୍ସ ଆଇନ, ୨୦୦୫ର ଧାରା ୭ ଓ ସମ୍ବିଧାନର ଧାରା ୧୪, ୧୯,୨୧ର ଉଲ୍ଲଂଘନ କରି ଏପରି କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଆବେଦନକାରୀଙ୍କ ବିରୋଧରେ ଦୁର୍ବ୍ୟବହାର ବା ଅକ୍ଷମତା ନେଇ କୌଣସି ଅଭିଯୋଗ ନାହିଁ। ଏଭଳି ସ୍ଥିତିରେ କାରଣ ଦର୍ଶଆ ନୋଟିସ୍ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ନଭେମ୍ବର ୧୬ର କାରଣ ଦର୍ଶାଅ ନୋଟିସର ଜବାବ ନ ରଖି ଆବେଦନକାରୀ ହାଇକୋର୍ଟରେ ଆବେଦନ କରିଛନ୍ତି ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା ଓ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ୍ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିଲେ।