ରାଜ୍ୟ

ମହାନଗର ମନ୍ଦିରମାଳିନୀ ସହରର ଅବହେଳିତ ଐତିହ୍ୟ: ଅଲୋଡା ତ୍ରୟୋଦଶ ଶତାଦ୍ଦିର ଶୁକଶାରୀ ମନ୍ଦିର, ୨ ବର୍ଷ ହେଲା ଖନନ ବନ୍ଦ

ଭୁବନେଶ୍ବର: ଯେଉଁଥିପାଇଁ ଭୁବନେଶ୍ବର ବିଶ୍ବବିଦିତ, ଯେଉଁଥିପାଇଁ ଭୁବନେଶ୍ବର ମନ୍ଦିରମାଳିନୀ ନାମରେ ପ୍ରସିଦ୍ଧ, ସେହିସବୁ ହଜାରେ ବର୍ଷର କୀର୍ତ୍ତିରାଜି ଆଜି ଅବହେଳିତ। ସରଂକ୍ଷଣ ଅଭାବରୁ ପୁରାତନ ଐତିହ୍ୟସମ୍ପନ୍ନ ମନ୍ଦିର ଦୁର୍ବଳ ହେଉଛି। କେଉଁ ମନ୍ଦିରରୁ କାରୁକାର୍ଯ୍ୟ ଲିଭିଗଲାଣି ତ କେଉଁଠି ମନ୍ଦିରରେ ବଡ଼ ବଡ଼ ଫାଟ ହେଲାଣି। ସଂରକ୍ଷଣ ଓ ସୁରକ୍ଷା ପ୍ରତି ଯେମିତି ଆଖି ବୁଜି ଦେଇଛି ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ)। ଶ୍ରୀଲିଙ୍ଗରାଜ ମନ୍ଦିରର ଉତ୍ତର ପୂର୍ବ ଦିଗରେ ଥିବା ଶୁକଶାରୀ ମନ୍ଦିରର ସ୍ଥିତିକୁ ଦେଖିଲେ ଏଏସ୍‌ଆଇର ଦାୟିତ୍ବହୀନତା ସ୍ପଷ୍ଟ ବାରି ହୋଇପଡ଼ୁଛି।

ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଚତୁଃପାର୍ଶ୍ବରେ ମାଟି ତଳେ ଅନେକ ମନ୍ଦିର ପୋତି ହୋଇ ରହିଥିବା ଐତିହାସିକମାନେ ଦାବି କରି ଆସୁଥିଲେ। ଦୀର୍ଘ ଦିନର ଦାବି ପରେ ୨୦୨୦ ମସିହାରେ ଏଏସ୍ଆଇ ପକ୍ଷରୁ ଶୁକଶାରୀ ମନ୍ଦିର ଆଖପାଖ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା। ମନ୍ଦିରର ଚାରି ପାଖରେ ପ୍ରାୟ ୧୨ ଫୁଟ ଖୋଳାଯିବା ପରେ ମାଟି ତଳେ ପୋତି ହୋଇଥିବା ମନ୍ଦିର ସାମ୍‌ନାକୁ ଆସିଥିଲା। ମନ୍ଦିର ଉପରିଭାଗ ସହ ମୂଳରେ ହୋଇଥିବା ସୂକ୍ଷ୍ମ କାରୁକାର୍ଯ୍ୟ ସମସ୍ତଙ୍କୁ ବିସ୍ମିତ କରିଥିଲା। ଏଠି ମାଟି ତଳୁ ଅନେକ ପ୍ରାଚୀନ ଭାସ୍କର୍ଯ୍ୟର ସନ୍ଧାନ ମିଳିଥିଲା। ୨୦୨୧, ଅକ୍ଟୋବରରେ ଗୋଟିଏ ଓ ଡିସେମ୍ବରରେ ଗୋଟିଏ ପଶ୍ଚିମ ମୁହାଁ ମନ୍ଦିର ଉଦ୍ଧାର ହୋଇଥିଲା। ୪ଟି ଭଗ୍ନ ମନ୍ଦିର ବାହାରିବା ସହ ଗୋଟିଏ ମନ୍ଦିରର ବେସ୍‌ ଓ ଭଗ୍ନଲିଙ୍ଗ ଉଦ୍ଧାର ହୋଇଥିଲା। ଏହାବାଦ୍‌ ଭଙ୍ଗା ଜଗମୋହନ, ଅନେକ ମୂଲ୍ୟବାନ କାରୁକାର୍ଯ୍ୟ ପଥର ବାହାରିଥିଲା। ବଡ଼ କଥା ହେଲା ଏଠାରୁ ପ୍ରାୟ ୧୪୦୦ ଶହ ବର୍ଷ ତଳର ଏକ ବିଷ୍ଣୁ ମୂର୍ତ୍ତି, ଚାରିଭୁଜ ଥିବା ମା’ ମହିଷାମର୍ଦ୍ଦିନୀଙ୍କ ମୂର୍ତ୍ତି ଓ ଅର୍ଦ୍ଧନାରୀଶ୍ୱରଙ୍କ ମୂର୍ତ୍ତି ପ୍ରଭୃତି ଖନନ ବେଳେ ମିଳିଥିଲା।

ଐତିହାସିକ ଓ ବୁଦ୍ଧିଜୀବୀଙ୍କ କ୍ଷୋଭ, ବେଫିକର ଏଏସ୍‌ଆଇ

ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ଖୋଳା ଯିବା ପରେ ଆହୁରି ଅନେକ ମନ୍ଦିର ବାହାରିବ ବୋଲି ଏଏସ୍‌ଆଇ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ହେଲେ ଦୁଃଖର ବିଷୟ ୨ ବର୍ଷ ହେବ ଖନନ କାର୍ଯ୍ୟ ବନ୍ଦ ରହିଛି। ଆହୁରି ଆଶ୍ଚର୍ଯ୍ୟର କଥା ଖନନ ବେଳେ ମିଳିଥିବା ମୂର୍ତ୍ତି ଓ ଅନ୍ୟାନ୍ୟ କାରୁକାର୍ଯ୍ୟପୂର୍ଣ୍ଣ ପଥରକୁ ସେମିତି ଫିଙ୍ଗି ଦିଆଯାଇଛି। କେବଳ ଦୁଇ ଜଣ କର୍ମଚାରୀଙ୍କୁ ଜଗେଇ ଦେଇ ନିଜ ଦୋଷ ତୁଟାଇ ଦେଇଛି ଏଏସ୍‌ଆଇ। ଅନ୍ୟପଟେ ଶୁକଶାରୀ ମନ୍ଦିରର ରକ୍ଷଣାବେକ୍ଷଣ ହେଉନଥିବାରୁ ମନ୍ଦିରରେ ଥିବା ସୂକ୍ଷ୍ମ କାରୁକାର୍ଯ୍ୟ ନଷ୍ଟ ହୋଇଗଲାଣି। ଦୁଇ ମନ୍ଦିରର ଏକାଧିକ ସ୍ଥାନରେ ବଡ଼ ବଡ଼ ଫାଟ ହେଲାଣି। ଆଉ ଏକ ଆଶ୍ଚର୍ଯ୍ୟର କଥା ଏଠି ଶାରୀ ମନ୍ଦିର ଏଏସ୍‌ଆଇର ଗୋଦାମ ଘର ପାଲଟିଛି। କେବଳ ଶୁକ ମନ୍ଦିରରେ ମା’ ପାର୍ବତୀଙ୍କୁ ଛାଡ଼ି ଦେଲେ ୫ଟି ପାର୍ଶ୍ବଦେବାଦେବୀ କୁଆଡ଼େ ଯାଇଛି ଏହାର ଉତ୍ତର କାହା ପାଖରେ ନାହିଁ। ‌ମାଟି ତଳୁ ମନ୍ଦିର ବାହାରିଥିବା ସ୍ଥାନକୁ ସେମିତି ଜରି ଘୋଡ଼ାଯାଇ ରଖାଯାଇଛି। ଏହାର ଚାରି ପାଖରେ ତାର ଜାଲି ବୁଲା ଯାଇଥିଲେ ହେଁ ଅସାମାଜିକ ବ୍ୟକ୍ତିଙ୍କ ଏଠି ଆଡ୍ଡା ଜମୁଛି।
ମନ୍ଦିରମାଳିନୀ ସହରର ଏହି ଅବହେଳିତ ଐତିହ୍ୟ ସମ୍ପର୍କରେ ଏଏସ୍‌ଆଇ ଅଧିକାରୀଙ୍କୁ ଯେଗାଯୋଗ କରାଯାଇଥିଲେ ହେଁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ। ଅନ୍ୟପଟେ ତ୍ରୟୋଦଶ ଶତାଦ୍ଦୀର ଜରାଜୀର୍ଣ୍ଣ ଏହି ଶୁକଶାରୀ ମନ୍ଦିରକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଗବେଷକ। ଗବେଷକ ଅନୀଲ ଧୀର କହିଛନ୍ତି, ଏଏସ୍‌ଆଇ ଯଦି ସରଂକ୍ଷଣ ଓ ସୁରକ୍ଷା କରିପାରୁନାହିଁ ତେବେ ଖୋଳିଥିବା ସ୍ଥାନକୁ ମାଟି ତଳେ ପୋତିଦେଉ। ଅନ୍ତତଃ ବହୁମୂଲ୍ୟ ଐତିହ୍ୟ ଚୋରି ହେବାରୁ ବର୍ତ୍ତିଯିବ। ଶୁକଶାରୀ ମନ୍ଦିର ଅବସ୍ଥା ଆହୁରି ଖରାପ। ସରଂକ୍ଷଣ ନହେବାରୁ ମନ୍ଦିର ଭୁଶୁଡ଼ିବା ସ୍ଥିତିରେ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button