ବଢ଼ୁଛନ୍ତି େରାଗୀ, କମୁଛନ୍ତି ଡାକ୍ତର: ସ୍ନାୟୁ ଚିକିତ୍ସାକୁ ପକ୍ଷାଘାତ! – Ibnodisha
[ad_1]
ଭୁବନେଶ୍ବର: ତାଳୁରୁ ତଳିପା ଯାଏ ଅର୍ଥାତ୍ ମସ୍ତିସ୍କରୁ ପାଦ ପର୍ଯ୍ୟନ୍ତ ସବୁକିଛି ସ୍ନାୟୁ ଦ୍ବାରା ସଚଳ ତଥା ସୁନିୟନ୍ତ୍ରିତ ହୁଏ। ଯଦି ସ୍ନାଯୁ ଦୁର୍ବଳ କିମ୍ବା ରୋଗାକ୍ରାନ୍ତ ହୁଏ, ତେବେ ଶରୀରର ଅଙ୍ଗପ୍ରତ୍ୟଙ୍ଗ କ୍ରମଶଃ ଅକାମୀ ହୋଇ ମଣିଷକୁ ପକ୍ଷାଘାତରେ ଜର୍ଜରିତ କରି ଦୁର୍ବିସହ ଜୀବନଯାପନ ଆଡ଼କୁ ଠେଲି ଦେଇଥାଏ। ରାଜ୍ୟ ସରକାର ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ସେବା ପ୍ରଦାନ ଲାଗି ସ୍ବପ୍ନ ଦେଖୁଥିବା ବେଳେ ଭାତ ହାଣ୍ଡିରୁ ଗୋଟିଏ ଚିପିବା ନ୍ୟାୟରେ କେବଳ ସ୍ନାୟୁ ଭଳି ସ୍ପର୍ଶକାତର ରୋଗ କ୍ଷେତ୍ରରେ ଥିବା ଚିକିତ୍ସା ବ୍ୟବସ୍ଥାକୁ ତର୍ଜମା କଲେ ଓଡ଼ିଶାର ସ୍ଥିତି କେଉଁଠି, ଏକଥା ଯେକେହି ସହଜରେ ଅନୁମାନ କରିପାରିବ। କେବଳ ଯେ ଡାକ୍ତର ଅଭାବ ରହିଛି; ଚିକିତ୍ସା ଲାଗି ଆବଶ୍ୟକ ଶଯ୍ୟା ବ୍ୟବସ୍ଥା ବି ନାହିଁ।
ଚାଞ୍ଚଲ୍ୟକର କଥା ହେଲା, ସରକାର ଏକଥା ଯେ ଜାଣିନାହାନ୍ତି, ସେକଥା ନୁହେଁ। ରୋଗୀଙ୍କୁ ଉତ୍ତମ ଚିକିତ୍ସା ସେବା ନିମନ୍ତେ ଏସ୍ସିବି ମେଡିକାଲ୍ କଲେଜର ସ୍ନାୟୁ (ନ୍ୟୁରୋଲୋଜି) ବିଭାଗ ପକ୍ଷରୁ ୨୦୨୦ ଅକ୍ଟୋବର ୧୦ରେ (ପତ୍ରସଂଖ୍ୟା ୨୭୫) ଅଭାବ-ଅସୁବିଧା ସମ୍ପର୍କରେ ଅବଗତ କରାଯିବା ସହ ସମସ୍ୟା ସମାଧାନ ଲାଗି ସ୍ବାସ୍ଥ୍ୟ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ (ଡିଏମ୍ଇଟି)ଙ୍କୁ ଅନୁରୋଧ କରାଯାଇଥିଲା। ପୂର୍ବରୁ ସ୍ବାସ୍ଥ୍ୟ ବିଭାଗର ଉଚ୍ଚ ପଦାଧିକାରୀମାନଙ୍କୁ ମଧ୍ୟ ଅନୁରୂପ ସମସ୍ୟା ସମ୍ପର୍କରେ ଅନେକ ଥର ଅବଗତ କରାଯାଇଛି। ଇତିମଧ୍ୟରେ ଅନେକ ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସ୍ନାୟୁ ବିଭାଗର ପ୍ରସ୍ତାବଗୁଡ଼ିକ ନାଲିଫିତା ତଳେ ଚାପିହୋଇ ରହିଯାଇଛି। ସରକାର ବିଭିନ୍ନ କ୍ଷେତ୍ରରୁ କଡ଼ା ଗଣ୍ଡା କରି ଟିକସ ଗଣିନେଉଛନ୍ତି। ହେଲେ ଏ କ୍ଷେତ୍ରରେ ଘରୋଇ ଚିକିତ୍ସା ହିଁ ଭରସା। ରୋଗୀ ଯଦି ବୀମା ଅନ୍ତର୍ଭୁକ୍ତ ନୁହେଁ, ତେବେ ଏହି ବ୍ୟୟବହୁଳ ଚିକିତ୍ସା ପାଇଁ ସର୍ବସ୍ବାନ୍ତ ହେବ, ଯାବତୀୟ କଷ୍ଟ ଭୋଗ କରିବ।
ବିଶେଷଜ୍ଞମାନଙ୍କର କହିବା କଥା ହେଉଛି, ସାୟ୍ନୁ ଭଳି ସ୍ପର୍ଶକାତର ଦୁରାରୋଗ୍ୟକୁ ବଂଶଗତ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା। ମାତ୍ର ପରିବର୍ତ୍ତିତ ପରିସ୍ଥିତିରେ ସାମ୍ପ୍ରତିକ ଜୀବନଶୈଳୀ, ଅପପୁଷ୍ଟି ଏବଂ ଜଳ, ବାୟୁରେ କ୍ରମବର୍ଦ୍ଧିଷ୍ଣୁ ପ୍ରଦୂଷଣ ଯୋଗୁଁ ରୋଗପ୍ରତିରୋଧକ ଶକ୍ତି ହ୍ରାସ ବଡ କାରଣ ବୋଲି କୁହାଯାଉଛି। ସର୍ବୋପରି କରୋନା ପରବର୍ତ୍ତୀ ସାମାଜିକ ତଥା ମାନସିକ ଅସନ୍ତୁଳନରୁ ସ୍ନାୟୁ ରୋଗୀଙ୍କ ସଂଖ୍ୟା ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଉଛି ଏକଥା ଗବେଷକମାନେ ନିଶ୍ଚିତ ହେଲେଣି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ, ପ୍ରତ୍ୟେକ ପରିବାରରେ ପ୍ରତ୍ୟକ୍ଷ ଭାବେ ୩ ଜଣ ଓ ପରୋକ୍ଷରେ ଜଣେ ସଦସ୍ୟ ସ୍ନାୟୁ ତଥା ମସ୍ତିସ୍କ ରୋଗରେ ଆକ୍ରାନ୍ତ। ବିଶ୍ବ ଜନସ୍ବାସ୍ଥ୍ୟ ରିପୋର୍ଟ ଅନୁଯାୟୀ ଆମ ଦେଶରେ ବାର୍ଷିକ ୫ ଲକ୍ଷ ୩୩ ହଜାର ସ୍ନାୟୁ କିମ୍ବା ମସ୍ତିସ୍କ ରୋଗରେ ମୃତ୍ୟୁ ମୁଖରେ ପଡୁଛନ୍ତି।
ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥା (ଏମ୍ସ୍)ର ସଦ୍ୟ ତଥ୍ୟ ଅନୁସାରେ ଭାରତରେ ପ୍ରତି ୪ ମିନିଟ୍ରେ ଜଣେ ମସ୍ତିସ୍କ ଆଘାତର ଶିକାର ହେଉଛନ୍ତି। ମସ୍ତିସ୍କ କର୍କଟରେ ବର୍ଷକୁ ମରୁଛନ୍ତି ୨୪ ହଜାରରୁ ଅଧିକ। ଦେଶର ବିଭିନ୍ନ ରାଜ୍ୟରେ ବର୍ଷକୁ ୨୮ ହଜାରରୁ ଅଧିକ ବ୍ରେନ୍ ଟ୍ୟୁମର ରୋଗୀ ଚିକିତ୍ସା ଅପେକ୍ଷାରେ ଧାଡ଼ିବାନ୍ଧନ୍ତି। ସ୍ନାୟୁ ରୋଗର କ୍ରମବର୍ଦ୍ଧିଷ୍ଣୁ କାୟାରୁ ଓଡ଼ିଶା ମଧ୍ୟ ମୁକ୍ତ ନୁହେଁ। ୨୦୧୮-୧୯ ବେଳକୁୁ ଘରୋଇ ହସ୍ପିଟାଲ ବ୍ୟତୀତ କଟକ, ବୁର୍ଲା, ବ୍ରହ୍ମପୁରସ୍ଥିତ ୩ଟି ପୂରାତନ ମେଡ଼ିକାଲ କଲେଜ ବହିଃବିଭାଗ (ଓପିଡି)ରେ ସ୍ନାୟୁ ସମସ୍ୟାଗ୍ରସ୍ତ ଦରିଦ୍ର ତଥା ମଧ୍ୟବିତ୍ତ ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି। କଟକ ବଡ଼ ମେଡ଼ିକାଲ ଓ ଶିଶୁ ଭବନରେ ସପ୍ତାହକୁ ୩ ଦିନ, ବୁର୍ଲା ଓ ବ୍ରହ୍ମପୁର ମେଡ଼ିକାଲ କଲେଜରେ ସପ୍ତାହରେ ୨ ଦିନ ଏବଂ କ୍ୟାପିଟାଲ ହସ୍ପିଟାଲରେ ଦିନେ ଓପିଡ଼ି ଚାଲୁଥିବା ବେଳେ ସେଠାକୁ ହାରାହାରି ଯଥାକ୍ରମେ ୬୦୦, ୩୦୦, ୨୦୦ ଓ ୫୦୦ ରୋଗୀ ଯାଉଥିଲେ। ଏହି ହିସାବରେ ବର୍ଷକୁ ପ୍ରାୟ ୭୭ ହଜାର ରୋଗୀ ଉପରୋକ୍ତ ୪ଟି ପ୍ରମୁଖ ହସ୍ପିଟାଲକୁ ଯାଉଥିବା ଜଣାପଡ଼ିଛି। କରୋନା ସଂକ୍ରମଣ ପରବର୍ତ୍ତୀ ବର୍ଷଗୁଡ଼ିକରେ ସ୍ନାୟୁ ରୋଗୀଙ୍କ ସଂଖ୍ୟା ହୁ-ହୁ ହୋଇ ବଢ଼ିଚାଲିଥିବାରୁ ଏବେ ସେମାନଙ୍କ ସଂଖ୍ୟା ଦେଢ଼ ଲକ୍ଷ ଟପିଥିବା ବେସରକାରୀ ସୂତ୍ରରୁ ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଭାରତୀୟ ଭେଷଜ ପରିଷଦ (ଏମ୍ସିଆଇ)ର ନିୟମାବଳୀ ଅନୁସାରେ ଓପିଡ଼ିରେ ସର୍ବାଧିକ ୧୫୦ ଜଣ ରୋଗୀଙ୍କ ଚିକିତ୍ସା ପରାମର୍ଶ ଲାଗି ଜଣେ ଲେଖାଏଁ ପ୍ରଫେସର ଓ ସହଯୋଗୀ ପ୍ରଫେସର ଅଛନ୍ତି। ଏମାନଙ୍କ ବ୍ୟତୀତ ଦୁଇଜଣ ଲେଖାଏଁ ସହକାରୀ ପ୍ରଫେସର ଓ ସିନିଅର୍ ରେସିଡେଣ୍ଟ୍ ଡାକ୍ତରଙ୍କୁ ନେଇ ଗୋଟିଏ ୟୁନିଟ୍ କାର୍ଯ୍ୟ କରେ। ଅଧିକ ରୋଗୀଙ୍କ କ୍ଷେତ୍ରରେ ଦୁଇଟି ୟୁନିଟ୍ ହେବା କଥା, ଯାହା ଡାକ୍ତରଙ୍କ ଅଭାବରୁ ହୋଇପାରିନି।
ଏହା ହିଁ ସୂଚାଇ ଦେଉଛି ଯେ ରାଜ୍ୟରେ ସ୍ନାୟୁ ରୋଗର କ୍ରମବର୍ଦ୍ଧିଷ୍ଣୁ କାୟାକୁ ମୁକାବିଲା କରିବା ଦିଗରେ ଆବଶ୍ୟକ ଭିତ୍ତିଭୂମି ନାହିଁ। ଡାକ୍ତର ଓ ବିଶେଷଜ୍ଞ ତଥା ତାଲିମପ୍ରାପ୍ତ ମାନବ ସମ୍ବଳ ଦୃଷ୍ଟି ବି ନାହାନ୍ତି। ଉପଖଣ୍ଡ କିମ୍ବା ଜିଲ୍ଲା ସ୍ତରୀୟ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ନାୟୁ ଚିକିତ୍ସା ବ୍ୟବସ୍ଥା ଏବେ ବି ସ୍ବପ୍ନ। ଏପରିକି ନୂଆ ସରକାରୀ ମେଡ଼ିକାଲ କଲେଜଗୁଡ଼ିକରେ ମଧ୍ୟ ଏହି ବିଭାଗ କେବେ ସ୍ବୟଂସମ୍ପୂର୍ଣ୍ଣ ହେବ, ତାହା ଅଜଣା। ସରକାରୀ ସୂତ୍ରରୁ ମିଳୁଥିବା ତଥ୍ୟ ଅନୁସାରେ, ରାଜ୍ୟର ୩ଟି ପୂରାତନ ମେଡ଼ିକାଲ କଲେଜ ମଧ୍ୟରୁ ଏସ୍ସିବିର ସ୍ନାୟୁ ବିଭାଗ ପାଇଁ ଜଣେ ଲେଖାଏଁ ପ୍ରଫେସର ଓ ସହଯୋଗୀ ପ୍ରଫେସର, ଦୁଇ ଜଣ ସହକାରୀ ପ୍ରଫେସର ଓ ଜଣେ ପିଜି ଡାକ୍ତର ପଦ ମଞ୍ଜୁରୀପ୍ରାପ୍ତ। ସେହିପରି ବୁର୍ଲା ପାଇଁ ଜଣେ ପ୍ରଫେସର, ଦୁଇଟି ସହକାରୀ ପ୍ରଫେସର ଓ ଜଣେ ପିଜି ଡାକ୍ତର ଏବଂ ଏମ୍କେସିଜି ପାଇଁ ପ୍ରଫେସର ପଦ ବିନା ଜଣେ ସହଯୋଗୀ ପ୍ରଫେସର, ଦୁଇଟି ସହକାରୀ ପ୍ରଫେସର ଓ ଗୋଟିଏ ପଜି ଡାକ୍ତର ପଦ ମଞ୍ଜୁର ହୋଇଥିଲା। ଏବେ ତିନିଟି ମେଡ଼ିକାଲ କଲେଜରେ କୌଣସି ପ୍ରଫେସର ନାହାନ୍ତି। ଦୁଇ ଜଣ ସହଯୋଗୀ ପ୍ରଫେସର ୬ ଜଣ ସହକାରୀ ପ୍ରଫେସର ରୋଗୀଙ୍କ ଚାପ ସହ ଅଧ୍ୟାପନା ଦାୟିତ୍ବ ତୁଲାଉଛନ୍ତି। ସ୍ଥିତି ଯଦି ଏମିତି, ରାଜ୍ୟରେ ଲୋକମାନଙ୍କୁ ଉନ୍ନତ ସ୍ନାୟୁ ଚିକିତ୍ସା ମିଳିବ କେମିତି? ବରଂ ରାଜ୍ୟର ତିନି ପ୍ରମୁଖ ମେଡ଼ିକାଲ କଲେଜର ସମ୍ପୃକ୍ତ ବିଭାଗ ବସ୍ତୁତଃ ପକ୍ଷାଘାତର ଶିକାର ହୋଇଗଲେଣି।
[ad_2]