ଗାଡ଼ି ଧକ୍କାରେ କଲରାପତରିଆ ମଲା: ରାସ୍ତା ପାର ହେଉଥିଲା, ସତ୍କାର କଲା ବନ ବିଭାଗ – Ibnodisha

[ad_1]

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ଼ ବନାଞ୍ଚଳର ବୁଦୁଲି-ମୁଜାଗଡ଼ ରାସ୍ତାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟାରେ ଅଜଣା ଗାଡ଼ି ଧକ୍କାରେ ଏକ ମାଈ କଲରାପତରିଆ ବାଘର ମୃତ୍ୟୁ ଘଟିଛି। ଭଞ୍ଜନଗର ଓ ଫୁଲବାଣୀକୁ ସଂଯୋଗ ହୋଇଥିବା ୧୫୭ ନମ୍ବର ରାଜ୍ୟ ରାଜପଥରେ ବାଘଟି ଗୁରୁତର ଅବସ୍ଥାରେ ଛଟପଟ ହେଉଥିବା ଦେଖି ଜଣେ ପୁଲିସ କର୍ମଚାରୀ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ ପହଞ୍ଚି କଲରାପତରିଆ ବାଘଟିକୁ ଉଦ୍ଧାର କରି ପ୍ରାଣୀ ଚିକିତ୍ସାଳୟକୁ ଆଣିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଥିଲା। ଏନେଇ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ସୂଚନା ଦେଇଛନ୍ତି।
ମୁଜାଗଡ଼ ଜଙ୍ଗଲକୁ ଯିବାକୁ ରାସ୍ତା ପାର୍ ହେଉଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତାର ଶବକୁ କେନ୍ଦ୍ରୀୟ ନର୍ସରିରେ ରଖାଯାଇଥିବା ବେଳେ ଗାଇଡଲାଇନ୍ ଅନୁଯାୟୀ ଆଜି ଅପରାହ୍ନରେ ମାଜିଷ୍ଟ୍ରେଟ୍ ତଥା ଭଞ୍ଜନଗର ତହସିଲଦାର ଅଚ୍ୟୁତାନନ୍ଦ ଜାନିଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ ହୋଇଥିଲା। ପରେ ବନ ବିଭାଗ ପକ୍ଷରୁ ଶ୍ମଶାନରେ ଅନ୍ତିମ ସତ୍କାର କରଯାଇଛି। ବାଘଟିର ବୟସ ଆନୁମାନିକ ୩ରୁ ୪ ବର୍ଷ ଏବଂ ତାର ଉଚ୍ଚତା ୬୭ ସେମି ଓ ଲମ୍ବା ୯୬ ସେମି ବୋଲି ବନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତଦନ୍ତ ଜାରି ରହିଥିବା ଶ୍ରୀ ବେହେରା କହିଛନ୍ତି। ଆଜି ସକାଳେ ଡିଏଫ୍ଓ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବାଘର ପାଦ ଚିହ୍ନଟ କରିଥିଲେ। ସେଠାରେ ଅନ୍ୟ ବାଘ ଅଛନ୍ତି କି ନାହିଁ, ଏ ନେଇ ଅନୁଧ୍ୟାନ କରାଯାଇଥିଲା। ଉକ୍ତ ଇଲାକାରେ ପୂର୍ବରୁ ବାଘ ନଥିବା ବିଭାଗ ପକ୍ଷରୁ କୁହାଯାଉଥିବା ବେଳେ ଏହି ଦୁର୍ଘଟଣା ପରେ କଲରାପତରିଆଙ୍କ ଉପସ୍ଥିତି ଏକପ୍ରକାର ସ୍ପଷ୍ଟ ହୋଇଛି। ମୁଜାଗଡ଼ ଜଙ୍ଗଲରେ ଆହୁରି ବାଘ ରହିଥିବା ସମ୍ଭାବନା ଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ପାଟ୍ରୋଲିଂ କଡ଼ାକଡ଼ି କରାଯିବା ସହ ଅଧିକ ସୂଚନାଫଳକ ଲଗାଯିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
[ad_2]