ମୁକ୍ତାକାଶ ଆଶ୍ରମ ଅଡ଼ୁଆ ସଜାଡ଼ିବାକୁ ଜେଲ୍ ଡିଜିଙ୍କ ପ୍ରୟାସ: ଅଧୀକ୍ଷକଙ୍କୁ ହଟାଇବାକୁ ସୁପାରିସ
ଭୁବନେଶ୍ବର: ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମରେ ଲାଗି ରହିଥିବା ଅବ୍ୟବସ୍ଥାକୁ ସଜାଡ଼ିବା ଲାଗି ବିଭାଗୀୟ ପ୍ରୟାସ ଆରମ୍ଭ ହୋଇଛି। ଆଶ୍ରମର ଅଧୀକ୍ଷକଙ୍କୁ ହଟାଇବା ଲାଗି ଜେଲ୍ ଡିଜି ଅରୁଣ ରାୟ ଗୃହ ବିଭାଗକୁ ସୁପାରିସ କରି ଚିଠି କରିଛନ୍ତି। ତେଣୁ ଖୁବ୍ ଶୀଘ୍ର ଅଧୀକ୍ଷକ ସମୀର ସାହୁଙ୍କ ବଦଳରେ ଆଉ ଜଣେ ଦକ୍ଷ ଅଫିସର୍ ମୁକ୍ତାକାଶ ଆଶ୍ରମର ଦାୟିତ୍ବ ବହନ କରିବେ ବୋଲି ଜଣାପଡ଼ିଛି। ଖବର ସ୍ପଷ୍ଟ ହୋଇ ନଥିଲେ ହେଁ ଜଣେ ମହିଳା ଅଫିସର୍ଙ୍କୁ ଏହି ଦାୟିତ୍ବ ମିଳିବ ବୋଲି ସୂଚନା ମିଳିଛି।
ଅଧୀକ୍ଷକ ସମୀର ସାହୁଙ୍କ କାର୍ଯ୍ୟକାଳ ଭିତରେ ମୁକ୍ତାକାଶ ଆଶ୍ରମର ପରିଚାଳନାଗତ ବ୍ୟବସ୍ଥା ପୂରା ଭୁଶୁଡ଼ି ପଡ଼ିଛି ବୋଲି ଅଭିଯୋଗ ହୋଇଆସୁଥିଲା। ଅନ୍ତେବାସୀମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଯାଇଥିଲା। ନିୟମାନୁସାରେ ଆଶ୍ରମରୁ ମିଳିବାକୁ ଥିବା ସମସ୍ତ ସୁବିଧା ସୁଯୋଗରୁ ଅନ୍ତେବାସୀମାନେ ବଞ୍ଚିତ ହେଉଥିଲେ। ବିଶେଷକରି ସେମାନଙ୍କୁ ଭଲ ଖାଇବା ମିଳୁ ନଥିବା ଅଭିଯୋଗ ହେଉଥିଲା। ତେଣୁ ବାରମ୍ବାର ଅନ୍ତେବାସୀମାନେ ଏଠାରୁ ଲୁଚି ପଳାଇବା ଭଳି ଘଟଣା ଘଟିଥିଲା। ନିକଟରେ ୨ ଅନ୍ତେବାସୀ ଲୁଚି ପଳାଇଥିଲେ ଏବଂ ଜଣେ ନିଜର ଗଳାକାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗତବର୍ଷ ଡିସେମ୍ବର ୨୨ରେ ଅନ୍ତେବାସୀ ମକମନ ମୁଣ୍ଡା ମୁକ୍ତାକାଶ ଆଶ୍ରମରୁ ଚମ୍ପଟ ମାରିଥିଲେ। ନରହତ୍ୟା ଅପରାଧରେ ସଜ୍ଜା ଭୋଗୁଥିବା ମକମନ କେନ୍ଦୁଝର ଜେଲ୍ରୁ ଏଠାକୁ ଆସିଥିଲେ। ଏପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳିନାହିଁ। ଏହି ଘଟଣାର ପରେପରେ ଡିସେମ୍ବର ୨୮ରେ ଅନ୍ତେବାସୀ ବିପିନ ଦେହୁରୀ ବ୍ଲେଡ୍ରେ ନିଜ ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବିପିନ ଘୋର ମାନସିକ ଅବସାଦ ଭିତରେ ଗତି କରୁଥିଲେ ହେଁ ଆଶ୍ରମ କର୍ତ୍ତୃପକ୍ଷଙ୍କ ନିଘା ନଥିଲା। ଏଭଳି ଅବ୍ୟବସ୍ଥାକୁ ନେଇ ଅନ୍ତେବାସୀମାନେ ସ୍ବର ଉତ୍ତୋଳନ କଲେ। ତେଣୁ ଖୋଦ ଜେଲ୍ ଡିଜି ଅରୁଣ ରାୟଙ୍କୁ ଆଶ୍ରମ ପରିଦର୍ଶନ କରିବାକୁ ପଡ଼ିଥିଲା। ମାତ୍ର ଆଶ୍ରମ କର୍ତ୍ତୃପକ୍ଷ ଅନ୍ତେବାସୀମାନଙ୍କୁ ଡରାଇ ଧମକାଇ ବେଶି କିଛି ବିରୋଧରେ ନ କହିବାକୁ ଚେତାବନୀ ଦେଇଥିଲେ। ଫଳରେ ଜେଲ୍ ଡିଜିଙ୍କ ଆଗରେ ଅନ୍ତେବାସୀଙ୍କ ସ୍ବର ନରମି ଯାଇଥିଲା। ତେଣୁ ଆଶ୍ରମର ଅଧୀକ୍ଷକ ଶ୍ରୀ ସାହୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତି ଯାଇଥିଲେ। ଏପଟେ ଆଶ୍ରମ ପରିଚାଳନାରେ କୌଣସି ସୁଧାର ଆସିଲା ନାହିଁ। ତେଣୁ ପୁଣି ଜଣେ ଅସନ୍ତୁଷ୍ଟ ଅନ୍ତେବାସୀ ଫେରାର ହୋଇଗଲେ। ଜାନୁଆରି ୨୬ ଅବ୍ୟବହିତ ପୂର୍ବରୁ ଅନ୍ତେବାସୀ କେନ୍ଦୁଝରର ଧନେଶ୍ବର ନାୟକ ଚମ୍ପଟ ମାରିଛନ୍ତି। ସେ ମଧ୍ୟ ନରହନ୍ତା ଅପରାଧରେ କାରାବାସ ଭୋଗୁଥିଲେ। ବାରମ୍ବାର ଏଭଳି ଘଟିବା ପରେ ଅଧୀକ୍ଷକଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା। ତେଣୁ ଆଜି ତାଙ୍କୁ ଆଶ୍ରମରୁ ହଟାଇବାକୁ ଜେଲ୍ ଡିଜି ଶ୍ରୀ ରାୟ ଗୃହ ବିଭାଗକୁ ସୁପାରିସ କରିଛନ୍ତି।
ଏକଦା ଏହି ଆଶ୍ରମରେ ୧୨୦ରୁ ଅଧିକ ଅନ୍ତେବାସୀ ରହୁଥିଲେ। ତନ୍ତବୁଣାଠାରୁ ଆରମ୍ଭ କରି ପରିବା ଚାଷ ଓ ଗୋପାଳନ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟର ପ୍ରଶିକ୍ଷଣ ଦିଆଯାଉଥିଲା ଏବଂ ବନ୍ଦୀ ଜୀବନ ପରେ ସ୍ବାବଲମ୍ବୀ ହେବା ଲାଗି ପ୍ରେରଣା ମିଳୁଥିଲା। ଅନ୍ତେବାସୀମାନଙ୍କ ମାନସିକ ଶାନ୍ତି ପାଇଁ ରୀତିମତ ଭଜନ, ପ୍ରବଚନ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା। କିନ୍ତୁ ଏବେ ମାତ୍ର ୩୦ ଅନ୍ତେବାସୀ ରହୁଛନ୍ତି। ଏତେ କମ୍ ସଂଖ୍ୟକ ଅନ୍ତେବାସୀଙ୍କୁ ମଧ୍ୟ ଆଶ୍ରମ କର୍ତ୍ତୃପକ୍ଷ ପରିଚାଳନା କରିପାରୁନାହାନ୍ତି। ସୂଚନାଯୋଗ୍ୟ ଯେ ନରହତ୍ୟା ଅପରାଧର ଆସାମୀମାନେ ୧୦ ବର୍ଷରୁ ଅଧିକ କାଳ ଜେଲ୍ରେ କଟାଇବା ପରେ ଏହି ଆଶ୍ରମକୁ ଆସିଥା’ନ୍ତି। ଯେଉଁମାନଙ୍କ ସ୍ବଭାବ, ଚାଲିଚଳଣ ଓ ଆଚରଣରେ ସୁଧାର ପରିଲକ୍ଷିତ ହୋଇଥାଏ, ସେମାନଙ୍କୁ ଏଠାରେ ରହିବାର ସୁଯୋଗ ମିଳେ। ଏହି ଆଶ୍ରମର ଅନ୍ତେବାସୀମାନେ ସ୍ବାଭାବିକ ଭାବେ ବାହାରେ ଲୋକଙ୍କ ସହିତ ମିଳାମିଶା କରିବାର ସୁଯୋଗ ପାଇଥା’ନ୍ତି। ଏଠାରେ ବର୍ଷେ ଦି ବର୍ଷ ରହିବା ପରେ ସେମାନଙ୍କୁ ମୁକ୍ତି ମିଳିଯିବା ନିୟମ ରହିଛି। ତେଣୁ ସାଧାରଣତଃ ଏହି ଆଶ୍ରମର ଅନ୍ତେବାସୀମାନେ ଖୁବ୍ ଶୀଘ୍ର ମୁକ୍ତି ପାଇବା ଆଶାରେ ଭଲ ଆଚରଣ ପ୍ରଦର୍ଶନ କରନ୍ତି। କିନ୍ତୁ ଏବେ ଆଶ୍ରମର ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେବାରୁ କିଛି ଅନ୍ତେବାସୀ ଅସନ୍ତୋଷ ବ୍ୟକ୍ତ କରୁଥିବା ପରିଲକ୍ଷିତ ହେଉଛି।