ରାଜ୍ୟ

ନନ୍ଦନକାନନ ସିମ୍ପାଞ୍ଜି ପରିବାରରେ ଖୁସିର ଲହରି: ଦୁର୍ଗାର ପ୍ରଥମ ଗର୍ଭରୁ ଜୁଲୁର ଶେଷ ସନ୍ତକ

ବାରଙ୍ଗ: ଆଜି ସକାଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୦(କ) ଖୁଆଡ଼ରେ ରହୁଥିବା ସିମ୍ପାଞ୍ଜି ପରିବାରରେ ଜନ୍ମ ନେଇଛି ଏକ ଅଣ୍ଡିରା ଶାବକ। ତେଣୁ ସ୍ବାଭାବିକ ଭାବେ ସିମ୍ପାଞ୍ଜି ପରିବାରରେ ଖେଳି ଯାଇଥିଲା ଖୁସିର ଲହରି। କିନ୍ତୁ ବେଶି ଖୁସିର କଥା ଥିଲା ଯେ ପ୍ରଥମ ଥର ମା’ ହୋଇଥିବା ଦୁର୍ଗା, ନିକଟରେ ମୃତ୍ୟୁବରଣ କରିଥିବା ସିମ୍ପାଞ୍ଜି ପରିବାରର ମୁଖିଆ ବୃଦ୍ଧ ଜୁଲୁର ଶେଷ ସନ୍ତକକୁ ଭୂମିଷ୍ଠ କରାଇଛି। ଆଜି ବୃଦ୍ଧ ଜୁଲୁ ନାହିଁ, କିନ୍ତୁ ନନ୍ଦନକାନନରେ ଜନ୍ମ ନେଇଛି ତା’ ଔରସର ଶେଷ ସନ୍ତାନ।

ଦୁର୍ଗା ମା’ ହେବ ବୋଲି କିଛି ଦିନ ପୂର୍ବରୁ ଜଣାପଡ଼ିଥିଲା। ତେଣୁ ତାକୁ ପରିବାରଠୁ ଅଲଗା କରି ଖାଦ୍ୟ ଗ୍ରହଣ କକ୍ଷରେ ରଖାଯାଇଥିଲା। ମା’ ସିମ୍ପାଞ୍ଜି ପମ୍ପେଟାର ଅଲିଅଳି ଝିଅ ଦୁର୍ଗା ପ୍ରଥମ ଥର ପାଇଁ ଗର୍ଭଧାରଣ କରିଥିଲା। ତେଣୁ ପମ୍ପେଟା ବହୁ ସମୟରେ ଖାଦ୍ୟ ଗ୍ରହଣ କକ୍ଷର ଗ୍ରିଲ୍‌ ପାଖରେ ରହି ଦୁର୍ଗା ଉପରେ ନଜର ରଖିଥିଲା। ଆଜି ଦୁର୍ଗା ଛୁଆ ଜନ୍ମ କରିବା ପରେପରେ ପମ୍ପେଟା ପାଟି କରି ସିମ୍ପାଞ୍ଜି ପରିବାରକୁ ଏକାଠି କରିଥିଲା। ସିମ୍ପାଞ୍ଜିମାନଙ୍କ କୋଳାହଳ ଶୁଣି ଖୁଆଡ଼ ଜଗୁଆଳିମାନେ ଧାଇଁ ଆସିଥିଲେ। ସେତେବେଳକୁ ଦୁର୍ଗା ଛୁଆକୁ କୋଳରେ ଧରି ବସିଥାଏ ଓ ମଝିରେ ମଝିରେ ଛୁଆକୁ ସ୍ତନ୍ୟପାନ କରାଉଥାଏ। ନନ୍ଦନକାନନ କର୍ତ୍ତୃପକ୍ଷ ଦୁର୍ଗା ଓ ତା’ ଛୁଆର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କୁ ସ୍ବତନ୍ତ୍ର ଖୁଆଡ଼କୁ ନେଇଥିଲେ। ମା’-ଛୁଆଙ୍କ ସ୍ବାସ୍ଥ୍ୟ ଭଲ ଥିବା କୁହାଯାଇଛି। ଉପନିର୍ଦ୍ଦେଶକ ସନତ କୁମାର ନାରାୟଣଙ୍କ ସୂଚନାନୁସାରେ ସିମ୍ପାଞ୍ଜିମାନେ ୨୩୮ ଦିନ ଗର୍ଭଧାରଣ କରନ୍ତି।

ଦୁର୍ଗା ସହ ଜୁଲୁର ମିଳନରୁ ଏହି ସିମ୍ପାଞ୍ଜି ଶାବକ ଜନ୍ମନେଇଛି। ଏହା ଜୁଲୁର ଶେଷ ସନ୍ତକ। ଏହା ପୂର୍ବରୁ ସିମ୍ପାଞ୍ଜି ରାକ୍ଷୀ ଗର୍ଭରୁ ଏକ ଅଣ୍ଡିରା ଛୁଆ ଜନ୍ମ ନେଇଥିଲା। ନନ୍ଦନକାନନ ପ୍ରତିଷ୍ଠା ଦିବସ‌(ଡି‌ସେମ୍ବର ୨୯)ରେ ରାକ୍ଷୀ ଗର୍ଭରୁ ଜନ୍ମ ନେଇଥିବା ଛୁଆଟି ବି ଜୁଲୁର ଔରସଜାତ ଶାବକ ଥିଲା। ମାତ୍ର ପରିତାପର କଥା ରାକ୍ଷୀ ମା’ ହେବା ପରଦିନ ଜୁଲୁ ଆଖି ବୁଜିଦେଲା। ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ଜୁଲୁର ମୃତ୍ୟୁ ହୋଇଗଲା। ଫଳରେ ସିମ୍ପାଞ୍ଜି ପରିବାର ମୁଖିଆ ହରାଇଲା ଏବଂ ସିମ୍ପାଞ୍ଜି ବଂଶ ବଢ଼ିବାର ବାଟ କିଛି ଦିନ ପାଇଁ ବନ୍ଦ ହୋଇଗଲା। ରାକ୍ଷୀ ମା’ ହେବାର ଖୁସି ଜୁଲୁ ମୃତ୍ୟୁରେ ବେଶି ସମୟ ତିଷ୍ଠି ପାରି ନଥିଲା। କିନ୍ତୁ ଆଜି ଦୁର୍ଗା ମା’ ହେବା ପରେ ଜୁଲୁର ମୃତ୍ୟୁଜନିତ ଦୁଃଖର ଅନ୍ତ ଘଟିଛି। ସୂଚନାଯୋଗ୍ୟ ଯେ ଏବେ ସିମ୍ପାଞ୍ଜି ପରିବାରରେ ରାଜାକୁ ମିଶାଇ ୩ ଅଣ୍ଡିରା ଅଛନ୍ତି। ରାକ୍ଷୀ ଓ ଦୁର୍ଗାର ୨ ଅଣ୍ଡିରା ଛୁଆ ଭବିଷ୍ୟତରେ ବଂଶବୃଦ୍ଧିରେ ସହାୟକ ହେବେ। ୫ ମାଈ ସିମ୍ପାଞ୍ଜି ପମ୍ପେଟା, ପୂର୍ଣ୍ଣିମା, ଲକ୍ଷ୍ମୀ, ଦୁର୍ଗା ଓ ରାକ୍ଷୀ ଅଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button