ରାଜ୍ୟ

ଆଇଜିଆରଙ୍କୁ ଚିଠି ଲେଖିଲା ରାଜସ୍ବ ବିଭାଗ: ଦୁଇ ଦୁଇ ଥର ପଞ୍ଜୀକରଣକୁ ନେଇ ଅସନ୍ତୋଷ ପ୍ରକାଶ

ଭୁବନେଶ୍ବର: ୨୦୧୭ ପୂର୍ବରୁ ପୂର୍ଣ୍ଣାଙ୍ଗ ପ୍ରମାଣପତ୍ର(ଓସି) ହାସଲ କରିଥିବା ଆପାର୍ଟମେଣ୍ଟଗୁଡ଼ିକୁ ପଞ୍ଜୀକୃତ କରାଯିବ। ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଫ୍ଲାଟ୍‌ ବିକାକିଣା ନେଇ ବାଟ ଫିଟିଥିଲା। ଏବାବଦରେ ରାଜସ୍ବ ବିଭାଗର ବିଭନ୍ନ ଅଧିକୃତ ଅଧିକାରୀଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆଇଜିଆରଙ୍କୁ ଚିଠି ଲେଖାଯାଇଛି। ଓଡିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ନିୟମ କାର୍ଯ୍ୟକାରୀ କରିବାକୁ ସମସ୍ତ ସବ୍‌‌ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦେବାକୁ କୁହାଯାଇଛି। ଏଣୁ ଖୁବ୍‌ଶୀଘ୍ର ପଞ୍ଜୀକରଣ ଆରମ୍ଭ ହେବା ଥୟ ହୋଇଛି। ତେବେ ବିଭାଗୀୟ ସ୍ପଷ୍ଟୀକରଣକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଯେଉଁମାନେ ୨୦୧୬ରେ ପ୍ଲାନ୍‌ ନେଇ ଆପାର୍ଟମେଣ୍ଟ ତିଆରି କରିଛନ୍ତି କିନ୍ତୁ ରେରା ଆସିବା ପରେ ଆଉ ଓସି ପାଇ ପାରୁନାହାନ୍ତି, ସେମାନେ ଉଭୟ ଆଇନ ମଝିରେ ଫସି ରହିଛନ୍ତି। ତା ଛଡ଼ା ସ୍ପଷ୍ଟୀକରଣରେ ମଧ୍ୟ କେଁ ରହିଥିବା ଅଭିଯୋଗ ହୋଇଛି। କ୍ରେତା ଥରେ ଫ୍ଲାଟ୍‌ କିଣିବ ଓ ପରେ କମନ୍‌ ଏରିଆ କିଣିବ। ଏଭଳି ଦୁଇଦୁଇଥର ପଞ୍ଜୀକରଣ ପାଇଁ କ୍ରେତା ଖର୍ଚ୍ଚାନ୍ତ ହେଉଛି। ଯାହାକୁ ଆଲଟି ଆସୋସିଏସନ ବିରୋଧ କରୁଛନ୍ତି। ଏହା ଉପରେ ସରକାର ସ୍ପଷ୍ଟ କରିବାକୁ ସେମାନେ ଦାବି କରିଛନ୍ତି।

ଆପାର୍ଟମେଣ୍ଟ ପଞ୍ଜୀକରଣ
ସ୍ପଷ୍ଟୀକରଣକୁ ନେଇ ଦ୍ବନ୍ଦ୍ବ

୨୦୨୩ ଜୁନ ୨୮ରୁ ଓଡିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧିନିୟମ ଆସିବା ପରେ ପୂର୍ବରୁ ଥିବା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନୟମ, ୧୯୮୨ ଓ ଓଡ଼ିଶା ଆପାର୍ଟମେଣ୍ଟ‌ ମାଲିକାନା ନିୟମ, ୧୯୯୨ ଅକାମୀ ହୋଇଯାଇଥିଲା। ଏହି ନୂଆ ଆଇନ ଅନୁସାରେ ଫ୍ଲାଟ୍‌ ମାଲିକ ସଂଘ(ଆଲଟି ଆସୋସିଏସନ) ନାମରେ ଆପାର୍ଟମେଣ୍ଟ୍‌ର କମନ୍ ଏରିଆ, ଖେଳ ପଡ଼ିଆ ଆଦି ପଞ୍ଜୀକୃତ ହେଉଥିଲା। ପରେ ଏହି ସାଧାରଣ ସ୍ଥାନକୁ ଫ୍ଲାଟ୍‌ ମାଲିକ ସଂଘ ବ୍ୟବହାର ଓ ନିୟନ୍ତ୍ରଣ କରିବାକୁ ନିୟମ ହୋଇଥିଲା। ସେହି ନିୟମ ଆଧାରରେ କମନ୍‌ ଏରିଆ ଫ୍ଲାଟ୍‌ ମାଲିକ ନିଜ ନାମରେ ପଞ୍ଜୀକରଣ କରୁଛନ୍ତି। ଏହା ପରେ ଯାଇ ଓସି ମିଳୁଛି। ଓସି ମିଳିବା ପରେ ଯାଇ ପଞ୍ଜୀକରଣ ହେଉଛି। କିନ୍ତୁ ଏଥିରେ ଦ୍ବନ୍ଦ୍ବ ଥିବାରୁ ପଞ୍ଜୀକରଣ ସମ୍ଭବ ହେଉନାହିଁ। ଓସି ମିଳୁଥିବା ଆପାର୍ଟମେଣ୍ଟର ପରିମାଣ ଉଦ୍‌ବେଗଜନକ ରହିଛି।
ଅଭିଯୋଗ ହେଉଛି କି ଫ୍ଲାଟ୍‌ କିଣିବା ପାଇଁ ପ୍ରଥମେ ବିଜ୍ଞାପନ ହେଉଛି। ଫ୍ଲାଟ୍‌ପାଇଁ ଅଗ୍ରୀମ ଦେବାକୁ ପଡ଼ୁଛି। ନିର୍ମ‌ାଣ ସରିବା ପର୍ଯ୍ୟନ୍ତ ଦଫାଦଫାରେ ଆଲଟି ପଇସା ଦେଉଛି। ଫ୍ଲାଟ୍‌ ପାଇବା ପରେ ସମସ୍ତ ଆଲଟି ବା ଫ୍ଲାଟ୍‌ମାଲିକ ଏକାଠି ହୋଇ ପାରୁନାହାନ୍ତି। ଫଳରେ ସଂଘ ଗଠନ ସମ୍ଭବ ହେଉନାହିଁ। କମନ୍‌ ଏରିଆ ପଞ୍ଜୀକରଣ ପାଇଁ ମଧ୍ୟ ସବୁ ଆଲଟି ରାଜି ହେଉନାହାନ୍ତି। ଫଳରେ ଏହି ସମସ୍ୟା ଦୀର୍ଘଦିନରୁ ଲାଗି ରହିଛି। ଦୁଇଦୁଇଥର ପଞ୍ଜୀକରଣ ପାଇଁ ଖର୍ଚ୍ଚ କରିବାକୁ ଆଲଟି ରାଜି ହେଉନାହାନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button