ଭାରତରେ ସାଂପ୍ରଦାୟିକତାବାଦର ସ୍ଥାନ ରହିବ ନାହିଁ: ମୋଦୀ – Ibnodisha

[ad_1]
କୂଟନୀତି ମାଧ୍ୟମରେ ୟୁକ୍ରେନ୍ ଯୁଦ୍ଧର ପରିସମାପ୍ତି ହୋଇପାରିବ

ନୂଆଦିଲ୍ଲୀ: ଭାରତ ଏହାର ସ୍ବାଧୀନତାର ୧୦୦ ବର୍ଷ ପାଳନ କରିବା ବେଳକୁ ଏକ ବିକଶିତ ଦେଶରେ ପରିଣତ ହୋଇଥିବ। ଦେଶର ଜାତୀୟ ଜୀବନରେ ଦୁର୍ନୀତି, ଜାତିବାଦ ଏବଂ ସାମ୍ପ୍ରଦାୟିକତାବାଦର କୌଣସି ସ୍ଥାନ ନଥିବ। ଚଳିତମାସ ୯ ଓ ୧୦ ତାରିଖରେ ଦିଲ୍ଲୀରେ ହେବାକୁ ଥିବା ଜି-୨୦ ସମ୍ମିଳନୀର କିଛିଦିନ ପୂର୍ବରୁ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସାରା ବିଶ୍ବ ଭାରତ ଠାରୁ ମାଗଦର୍ଶନ ପାଇବାକୁ ଅନାଇ ରହିଛି। କେବଳ ଚିନ୍ତାଧାରା ନୁହେଁ ଆମର କଥା ଏବଂ ଦୃଷ୍ଟିକୋଣକୁ ସାରା ବିଶ୍ବ ଭବିଷ୍ୟତ ପାଇଁ ନକ୍ସା ଭାବେ ବିବେଚନା କରୁଛି। ବିଶ୍ବର ଜିଡିପି-କୈନ୍ଦ୍ରିକ ଚିନ୍ତାଧାରାରେ ପରିବର୍ତ୍ତନ ହୋଇ ଏହା ମାନବ-କୈନ୍ଦ୍ରିକରେ ପରିଣତ ହେଉଛି। ଏହି ରୂପାନ୍ତରରେ ଭାରତ ଉତ୍ପ୍ରେରକର ଭୂମିକା ନିଭାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତ ୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ସାକ୍ଷାତକାର ଦେବାକୁ ଯାଇ ପ୍ରଧାନମନ୍ତ୍ରୀ ମୋଦୀ ଏକ ଖବର ସରବରାହ ସଂସ୍ଥାକୁ କହିଛନ୍ତି, ଭାରତକୁ ବିଶ୍ବବାସୀ ଯେଉଁଭଳି ମନୋଭାବରେ ପୂର୍ବରୁ ଦେଖୁଥିଲେ ସେଥିରେ ପରିବର୍ତ୍ତନ ଆସିଛି। ଦୀର୍ଘ ସମୟ ଧରି ଭାରତ ୧୦୦ କୋଟି ବିଶିଷ୍ଟ ଭୋକିଲା ପେଟର ଦେଶ ଭାବେ ବିବେଚିତ ହେଉଥିଲା। କିନ୍ତୁ ଏବେ ଏହା ୧୦୦ କୋଟିର ଉଚ୍ଚାକାଂକ୍ଷୀ ମନ ଏବଂ ୨୦୦ କୋଟିର କୁଶଳୀ ହାତ ବିଶିଷ୍ଟ ଦେଶ ଭାବେ ବିବେଚିତ ହେଉଛି।
ଆସନ୍ତା କିଛି ଦଶନ୍ଧି ପର୍ଯ୍ୟନ୍ତ ଭାରତ ଏହାର ଜନସାଂଖ୍ୟିକ ଲାଭ ପାଇବ। ଭାରତ ଏବେ ଏଭଳି ଅଭିବୃଦ୍ଧିର ଭିତ୍ତିଭୂମି ପକାଇବାର ସୁଯୋଗ ପାଇବ ଯାହା ଆସନ୍ତା ୧୦୦୦ ବର୍ଷ ପାଇଁ ସ୍ମରଣୀୟ ରହିବ। ଏକଦା କେବଳ ଏକ ବଡ଼ ବଜାର ଭାବେ ଭାରତକୁ ଦେଖାଯାଉଥିଲା। କିନ୍ତୁ ଏବେ ଭାରତ ବିଶ୍ବ ସମସ୍ୟା ସମାଧାନର ଅଂଶ ପାଲଟି ଯାଇଛି। ବିରୋଧୀଙ୍କୁ ସମାଲୋଚନା କରିବା ସହିତ ଦେଶରେ ଚାଲିଥିବା ମାଗଣା ପ୍ରଦାନ ସଂସ୍କୃତି (ଫ୍ରିବି କଲଚର)କୁ ଜୋରଦାର ଆକ୍ରମଣ କରିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଦାୟିତ୍ବହୀନ ଆର୍ଥିକ ନୀତି ଏବଂ ଶସ୍ତା ଲୋକପ୍ରିୟତା ସ୍ବଳ୍ପ ଅବଧି ବିଶିଷ୍ଟ ରାଜନୈତିକ ଲାଭ ଦେଇପାରେ। କିନ୍ତୁ ଏଥିପାଇଁ ଦୀର୍ଘଅବଧିରେ ବହୁ ଅର୍ଥନୈତିକ ଓ ସାମାଜିକ ମୂଲ୍ୟ ଦେବାକୁ ପଡ଼ିବ। ଦିଲ୍ଲୀ ବାହାରେ ଅନ୍ତର୍ଜାତୀୟ ସ୍ତରର ବୈଠକ ଆୟୋଜନ କରି ପାରିବା ନେଇ ଅନ୍ୟ ଦେଶର ଲୋକମାନଙ୍କର ଭାରତ ସରକାରଙ୍କ ଉପରେ ବିଶ୍ବାସ ନଥିଲା। ଜି-୨୦ ସମ୍ମିଳନୀ ତଥାକଥିତ ତୃତୀୟ ବିଶ୍ବ ମଧ୍ୟରେ ଆସ୍ଥାର ମଞ୍ଜି ବପନ କରିଛି। ଜି-୨୦ ପାଇଁ ଅବଗଣନା ଆରମ୍ଭ ହୋଇଯାଇଥିବାବେଳେ ସରକାର ତୃତୀୟ ବିଶ୍ବ ବା ଗ୍ଲୋବାଲ ସାଉଥ୍ ଦେଶଗୁଡ଼ିକୁ ଗୁରୁତ୍ବ ଦେଉଛନ୍ତି।
ଅନେକ ଅନ୍ତର୍ଜାତୀୟ ମଞ୍ଚରେ ପ୍ରଧାନମନ୍ତ୍ରୀ ଏସବୁ ଦେଶ ସଂପର୍କରେ ଚିନ୍ତା ପ୍ରକଟ କରିଛନ୍ତି। ଜି-୨୦ ସଭାପତିତ୍ବର ମୁଖ୍ୟ ବିଷୟ ରହିଛି ବସୁଧୈବ କୁଟୁମ୍ବକମ ବା ଏକ ପୃଥିବୀ, ଏକ ପରିବାର , ଏକ ଭବିଷ୍ୟତ। ଏହା କେବଳ ସ୍ଲୋଗାନ ନୁହେଁ ବରଂ ଆମ ସାଂସ୍କୃତିକ ମୂଲ୍ୟବୋଧରୁ ଆସିଥିବା ଏକ ସାମଗ୍ରିକ ଦର୍ଶନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧରେ ଭାରତ କେଉଁ ଭୂମିକା ନିଭାଉଛି ବୋଲି ପ୍ରଶ୍ନରେ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଯେ ସଂଘର୍ଷର ସମାଧାନ ପାଇଁ କେବଳ ଆଲୋଚନା ଓ କୂଟନୀତି ମାଧ୍ୟମରେ ହୋଇପାରିବ। ଜି-୨୦ ସଭାପତି ହେଉ ବା ନହେଉ ଆମେ ସର୍ବଦା ସାରା ବିଶ୍ବରେ ଶାନ୍ତି ଅବ୍ୟାହତ ରଖିବା ଉଦ୍ୟମକୁ ନିଶ୍ଚିତ କରିବୁ। ସେହିଭଳି ଜଳବାୟୁ ପରିବର୍ତ୍ତନକୁ ରୋକିବା ଲାଗି ବିକଶିତ ଦେଶଗୁଡ଼ିକ ଅଧିକ ପଦକ୍ଷେପ ନିଅନ୍ତୁ ବୋଲି ଭାରତ ଦାବି କରିଆସୁଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼େଇରେ ସମସ୍ତ ସମାଧାନ ପାଇଁ ଗୋଟିଏ ସୂତ୍ର ସର୍ବଦା କାର୍ଯ୍ୟ କରିବ ନାହିଁ। କାଶ୍ମୀର ଏବଂ ଅରୁଣାଚଳ ପ୍ରଦେଶରେ ଜି-୨୦ ବୈଠକ ଆୟାଜନକୁ ପାକିସ୍ତାନ ଓ ଚୀନର ବିରୋଧକୁ ପ୍ରଧାନମନ୍ତ୍ରୀ ପ୍ରତ୍ୟାଖ୍ୟାନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଜି-୨୦ ବୈଠକ ଦେଶବ୍ୟାପୀ ହେବା ଉଚିତ।
[ad_2]