ଦେଶ

ଜି୨୦ ଚିଠା ରିପୋର୍ଟରେ ସୂଚନା: ପରିବେଶ ପଦକ୍ଷେପରେ ପୂର୍ଣ୍ଣ ସଫଳତା ମିଳିବନି – Ibnodisha

[ad_1]

ନୂଆଦିଲ୍ଲୀ: ଜି୨୦ର ଲିକ୍ ହୋଇଥିବା ଚିଠା ରିପୋର୍ଟରୁ ଜଣାପଡ଼ିଛି ଯେ, ସାରା ବିଶ୍ବରେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା, ନବୀକରଣଯୋଗ୍ୟ ଶକ୍ତି କ୍ଷମତା ବୃଦ୍ଧି କରିବା ଏବଂ ଜୀବାଶ୍ମ ଇନ୍ଧନର ବ୍ୟବହାର ହ୍ରାସ କରିବା ନେଇ ପ୍ୟାରିସ ରାଜିନାମାରେ ଯେଉଁ ଲକ୍ଷ୍ୟ ରଖାଯାଇଥିଲା, ତାହା ହାସଲରେ ପୂର୍ଣ୍ଣ ସଫଳତା ନ ମିଳିପାରେ। ଚେନ୍ନାଇଠାରେ ଅନୁଷ୍ଠିତ ଜି୨୦ ପରିବେଶ ଓ ଜଳବାୟୁ ସମ୍ପର୍କିତ ମନ୍ତ୍ରିସ୍ତରୀୟ ବୈଠକରେ ଉକ୍ତ ଗୁରୁତ୍ବପୂର୍ଣ୍ଣ ଜଳବାୟୁ ସଂକଟ ବିମୋଚନ ପ୍ରସଙ୍ଗରେ ଜି୨୦ ଦେଶଗୁଡ଼ିକ ଭିତରେ ପୂର୍ଣ୍ଣ ସହମତି ଆସିପାରି ନ ଥିଲା। ତେବେ ବିଶ୍ବ ନିର୍ଗମନର ୮୦ ପ୍ରତିଶତ ପାଇଁ ଦାୟୀ ଜି୨୦ ଦେଶଗୁଡ଼ିକ ପ୍ୟାରିସ ରାଜିନାମା ଲକ୍ଷ୍ୟ ହାସଲ ଦିଗରେ ଉଦ୍ୟମ କରିଚାଲିବେ। ସେହି ଲକ୍ଷ୍ୟଟି ହେଉଛି ପ୍ରାକ୍-ଶିଳ୍ପବିପ୍ଳବ ସ୍ତରଠାରୁ ବିଶ୍ବର ହାରାହାରି ବର୍ଦ୍ଧିତ ତାପମାତ୍ରାକୁ ୨ ଡିଗ୍ରି ସେଲୟସ୍ ଭିତରେ ସୀମିତ ରଖିବା ଏବଂ ଏହାକୁ ୧.୫ ଡିଗ୍ରି ଭିତରେ ସୀମିତ କରିବା ପାଇଁ ଯତ୍ନବାନ୍ ହେବା।

ଚିଠା ରିପୋର୍ଟରେ ଲେଖାଯାଇଛି, ତାପମାତ୍ରାକୁ ୧.୫ ଡିଗ୍ରି ସେଲସିୟସ ଭିତରେ ସୀମିତ ରଖିବା ପାଇଁ ଆମେ ଆମର ସଂକଳ୍ପ ଓ ପ୍ରଚେଷ୍ଟାରେ ଅଟଳ ରହିବୁ। ଏଥିପାଇଁ ସବୁ ଦେଶର ଯଥାର୍ଥ ଓ ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ଓ ପ୍ରତିବଦ୍ଧତା ଆବଶ୍ୟକ। କିନ୍ତୁ ଅନ୍ତର୍ଜାତୀୟ ସମୁଦାୟର ଆର୍ଥିକ ଓ ପ୍ରଯୌକ୍ତିକ ସହଯୋଗ ବିନା ମଧ୍ୟ ଏହା ସମ୍ଭବ ନୁହେଁ। ଜଳବାୟୁ ପରିବର୍ତ୍ତନର ଆନ୍ତଃସରକାରୀ ପ୍ୟାନେଲ (ଆଇପିସିସି) ଗତବର୍ଷ କହିଥିଲା ଯେ, ବିଶ୍ବ ତାପମାତ୍ରାକୁ ପ୍ରାକ୍-ଶିଳ୍ପବିପ୍ଳବ ସ୍ତରଠାରୁ ୧.୫ ଡିଗ୍ରିରୁ ଆଉ ଅଧିକ ହେବାକୁ ନ ଦେବା ପାଇଁ ବିଶ୍ବ ସବୁଜଗୃହ ବାଷ୍ପ (ଜିଏଚ୍‌ଜି) ନିର୍ଗମନକୁ ୨୦୨୫ ପୂର୍ବରୁ ଚରମରେ ପହଞ୍ଚାଇ ୨୦୩୦ ସୁଦ୍ଧା ତାକୁ ୪୩ ପ୍ରତିଶତ ହ୍ରାସ କରାଯିବାର ଆବଶ୍ୟକତା ରହିଛି। ଚିଠା ରିପୋର୍ଟ ଅନୁସାରେ, ସର୍ବାଧିକ ଐତିହାସିକ ନିର୍ଗମନ ପାଇଁ ଦାୟୀ ବିକଶିତ ଦେଶଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବା ଆବଶ୍ୟକ। ତେବେ ଭବିଷ୍ୟତ ଓ ସିଓପି୨୮ ପାଇଁ ଏହି ରିପୋର୍ଟରେ ଉଲ୍ଲେଖନୀୟ ନିର୍ଦ୍ଦୋଶାବଳୀ ଥିଲେ ମଧ୍ୟ ସ୍ପଷ୍ଟ ସଂଖ୍ୟା ବା ଟାଇମ୍‌ଲାଇନ୍ କିଛି ନାହିଁ ବୋଲି ଅଣ-ଜି୨୦ ପର୍ଯ୍ୟବେକ୍ଷକ ଦେଶର ଜଣେ ବରିଷ୍ଠ ପ୍ରତିନିଧି କହିଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button