ରାଜନୀତି

କ୍ୟାମ୍ପସରେ ପୋଷ୍ଟର ୱାର୍‌: ମହାପୁରୁଷ ବନାମ ପାଣ୍ଡିଆନ୍‌ – Ibnodisha

[ad_1]

ଭୁବନେଶ୍ବର: ୫-ଟି ସଚିବଙ୍କ ଜିଲ୍ଲା ଗସ୍ତ ଓ ହେଲିକପ୍ଟର ଉଡ଼ାଣ ବିବାଦ ପରେ ଏବେ ଆରମ୍ଭ ହୋଇଛି ପୋଷ୍ଟର ୱାର୍‌। ୫ ବର୍ଷ ହେଲା ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିବା ବେଳେ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ପଶିଛି ୫-ଟି ରାଜନୀତି। ବିଜୁ ଛାତ୍ର ଜନତା ଦଳ, ଉତ୍କଳ ବିଶ୍ବବିଦ୍ୟାଳୟ ଶାଖା ପକ୍ଷରୁ କ୍ୟାମ୍ପସରେ ୫-ଟି ସଚିବଙ୍କ ଫଟୋ ଥିବା ପୋଷ୍ଟର ଲଗାଯାଇଛି। ଯେଉଁଥିରେ ‘ଉଇ ଷ୍ଟାଣ୍ଡ୍‌ ଉଇଥ୍‌ ଭିକେ ପାଣ୍ଡିଆନ୍‌ ସାର୍‌’ ଲେଖାଯିବା ସହ ସଙ୍ଗଠନ ଓ ଉତ୍କଳ ବିଶ୍ବବିଦ୍ୟାଳୟ ଲୋଗୋକୁ ପୋଷ୍ଟରରେ ସ୍ଥାନିତ କରାଯାଇଛି। ୫-ଟି ସଚିବଙ୍କ ସମର୍ଥନରେ ବିଜୁ ଛାତ୍ର ଜନତା ଦଳ ବାହାରିଥିବାରୁ ବିରୋଧ କରିବାକୁ ଓହ୍ଲାଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)। ଏବିଭିପି ପକ୍ଷରୁ କ୍ୟାମ୍ପସର ବିଭିନ୍ନ ସ୍ଥାନରେ ମରାଯାଇଥିବା ପୋଷ୍ଟରରେ ‘ଛାତ୍ରଶକ୍ତି-ରାଷ୍ଟ୍ରଶକ୍ତି’ ବୋଲି ଲେଖାଯାଇଛି। ଫକୀର ମୋହନ, ଲକ୍ଷ୍ମଣ ନାୟକ, ସୁରେନ୍ଦ୍ର ସାଏ, ବାଜି ରାଉତ, ଗୋପବନ୍ଧୁ ଦାସ, ହରେକୃଷ୍ଣ ମହତାବ, ନେତାଜୀଙ୍କ ପାଇଁ ମୁଁ ଗର୍ବିତ ବୋଲି ଲେଖାଯାଇଛି। ଏଥିସହ ଆଉ ଆପଣ? ବୋଲି ସଙ୍ଗଠନ ପକ୍ଷରୁ ପ୍ରଶ୍ନ କରାଯାଇଛି। କ୍ୟାମ୍ପସର ଯେଉଁଠି ‘ଉଇ ଷ୍ଟାଣ୍ଡ୍‌ ଉଇଥ୍‌ ଭିକେ ପାଣ୍ଡିଆନ୍‌ ସାର୍‌’ ପୋଷ୍ଟର ଲାଗିଛି ତାହା ଠିକ୍‌ ନିକଟରେ ଏବିଭିପି ମହାପୁରୁଷଙ୍କ ପୋଷ୍ଟର ଲଗାଇଛି ଏବିଭିପି। ଶିକ୍ଷାନୁଷ୍ଠାନ ପରି ପବିତ୍ର ସ୍ଥାନରେ ରାଜ୍ୟର ଦୁଇ ଛାମୁଆ ଛାତ୍ର ସଙ୍ଗଠନ ମୁହାଁମୁହିଁ ହେବା ପରେ ଏବେ କ୍ୟାମ୍ପସ ରାଜନୀତି ସରଗରମ ହୋଇଉଠିଛି।

ଗୋଟିଏ ପଟେ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିବା ବେଳେ ଅନ୍ୟପଟେ କ୍ୟାମ୍ପସରେ ପୋଷ୍ଟର ୱାର୍‌ ଏବେ ଛାତ୍ର ରାଜନୀତିକୁ ଅଧିକ ରୋଚକ କରିଛି। ଏହି ପୋଷ୍ଟର ୱାର୍‌ କେବଳ ଉତ୍କଳରେ ରହିବ ନା ଅନ୍ୟ କ୍ୟାମ୍ପସକୁ ବ୍ୟାପିବ ତାହାକୁ ନେଇ ଚର୍ଚ୍ଚା ‌ ଜୋରଧରିଛି। ଏବିଭିପି ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ କହିଛନ୍ତି ଯେ ଉତ୍କଳ ବିଶ୍ବବିଦ୍ୟାଳୟକୁ ଭି କେ ପାଣ୍ଡିଆନ୍‌ଙ୍କ ଅବଦାନ କ’ଣ? ସେ କିଏ? ତାଙ୍କର କ’ଣ ହୋଇଛି ଯେ ରାଜ୍ୟର ଏକ ରାଜନୈତିକ ଦଳର ଛାତ୍ର ସଙ୍ଗଠନ ପକ୍ଷରୁ କ୍ୟାମ୍ପସରେ ପୋଷ୍ଟର ଲଗାଯାଇ ତାଙ୍କ ପଛରେ ଛିଡ଼ା ହୋଇଥିବା ଦର୍ଶାଯାଇଛି। ଏହାକୁ ବିରୋଧ କରି ଏବିଭିପି ଓଡ଼ିଶାର ମହାପୁରୁଷଙ୍କ ପୋଷ୍ଟର ଲଗାଇଥିଲା। ମାତ୍ର ତାହାକୁ ଚିରି ଦିଆଯାଇଛି। ଆଗାମୀ ଦିନରେ ଏହାର ଦୃଢ଼ ଜବାବ ଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ବିଜୁ ଛାତ୍ର ଜନତା ଦଳ ଯୁଗ୍ମ ସମ୍ପାଦକ ସୌମ୍ୟରଞ୍ଜନ ପ୍ରଧାନ ଗଣମାଧ୍ୟମରେ କହିଛନ୍ତି ଯେ ମହାପୁରୁଷଙ୍କ ପାଇଁ ଆମେ ଗର୍ବିତ। ତାଙ୍କୁ ସମ୍ମାନ ଦିଆଯାଉଛି ଏବଂ ଆଗକୁ ଦିଆଯିବ ମଧ୍ୟ। ୫-ଟି ସଚିବ ଲୋକଙ୍କ ସମସ୍ୟା ବୁଝିବାକୁ ଯାଉଛନ୍ତି। ପୁରୀ ଗସ୍ତ ବେଳେ ଯେଉଁ କାଳି ମାଡ଼ କରାଯାଇଥିଲା ତାହାକୁ ବିରୋଧ କରି ଏହି ପୋଷ୍ଟର ଲଗାଇଥିଲୁ।

ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ୫-ଟି ସଚିବଙ୍କ ପୋଷ୍ଟରକୁ ନେଇ ବିରୋଧୀ ଦଳଗୁଡ଼ିକ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି ଜଣେ ଅଫିସରଙ୍କ ଫଟୋ ପୋଷ୍ଟରରେ ଲାଗିବା ନିନ୍ଦନୀୟ। ଏଭଳି ଫଟୋ ଲଗାଯାଇ ବରପୁତ୍ରମାନଙ୍କୁ ଅସମ୍ମାନ କରାଯାଉଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏହାକୁ ବିରୋଧ କରି ଯାହା ବି କରିଛନ୍ତି ତାହା ଠିକ୍‌। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ଜଣେ ସଚିବଙ୍କ ଏଭଳି ଫଟୋ ଲାଗିବା ଉଚିତ ନୁହେଁ। ଏହା ଦର୍ଶାଉଛି ରାଜ୍ୟରେ ଆଉ ଗଣତନ୍ତ୍ର ନାହିଁ। ବିଧାନସଭାରେ ଏହି ପ୍ରସଙ୍ଗକୁ ଆମେ ଉଠାଇବୁ। ଜବାବରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର କହିଛନ୍ତି ଏଭଳି ପୋଷ୍ଟର କିମ୍ବା ବ୍ୟାନର ଲଗାଇବାକୁ ଦଳ ପକ୍ଷରୁ କେଉଁଠି କାହାକୁ ବି କୁହାଯାଇ ନାହିଁ। ସଚିବ ହେଉଛନ୍ତି ଜଣେ ସରକାରୀ ଅଧିକାରୀ। ତେଣୁ ପୋଷ୍ଟର କିମ୍ବା ବ୍ୟାନରରେ ତାଙ୍କ ଫଟୋ ଲଗାଇବାର କିଛି କାରଣ ନାହିଁ। କିଏ କେଉଁଠି ବ୍ୟକ୍ତିଗତ ଭାବେ ଲଗାଉଥିବେ ତାଙ୍କୁ ପଚାରନ୍ତୁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button