ରାଜ୍ୟ

ବିନା ପିସିରେ ମୁହଁ ଚାହୁଁନାହାନ୍ତି: ସ୍କୁଲ ଦଣ୍ଡମୁକ୍ତ ହେଲା, ସରକାରୀ ଅଫିସ ଲାଞ୍ଚମୁକ୍ତ ହୋଇପାରୁନି – Ibnodisha

[ad_1]

ଭୁବନେଶ୍ବର: କିଛି ଦିନ ତଳେ ସମିତି ସଭ୍ୟ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରି ଲୋୟର ପିଏମ୍‌ଜିରେ ଖୋଲାଖୋଲି କହିଥିଲେ ବ୍ଲକଗୁଡ଼ିକରେ ୩୦% ପର୍ଯ୍ୟନ୍ତ ପିସି କାରବାର ହେଉଛି। ତିନିଦିନ ତଳେ ‌ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳର ତଳନଗର ସରପଞ୍ଚ ଓ ତାଙ୍କ ସ୍ବାମୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖ‌ରେ ଧାରଣା ଦେଇଥିଲେ। ଅଭିଯୋଗ କରିଥିଲେ ଯେ ପଞ୍ଚାୟତ ପାଇଁ ଆସୁଥିବା କୋଟି କୋଟି ଟଙ୍କା ପଡ଼ିରହିଛି। ପିସି ନଦେଲେ କାମ ହେଉନି। ପଞ୍ଚାୟତ କାମ ପାଇଁ ୧୨ରୁ ୧୬% ପର୍ଯ୍ୟନ୍ତ ପିସି ଦେବାକୁ ପଡ଼ୁଛି। ବିଡ଼ିଓ, ଜେଇ ଓ ପିଇଓଙ୍କୁ ପିସି ନଦେଲେ କାମ ହେଉନି। ଯେଉଁମାନେ କାମ କରୁଛନ୍ତି ସେମାନେ ପିସି ଦେଉଥିବାରୁ ନିମ୍ନମାନର କାମ ହେଉଛି।

ଏସବୁ ଉଦାହରଣ ପରୋକ୍ଷରେ ସଙ୍କେତ ଦେଇଛି ଯେ ରାଜ୍ୟର ସବୁ ପଞ୍ଚାୟତରେ ୫-ଟିରେ ଥିବା ଟ୍ରାନ୍ସପାରେନ୍ସି ବା ସ୍ବଚ୍ଛତାକୁ ମୋଡ଼ି ମକଚି ପିସି କାରବାର ଚାଲିଛି। ଏଥିସହିତ ୨୦୨୪ ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗଟି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ରାଜ୍ୟ ସରକାରଙ୍କ ୫ଟି ନୀତି ଯଥା ଯଥା ଟ୍ରାନ୍ସପାରେନ୍ସି, ଟେକ୍ନୋଲୋଜି, ଟିମ୍ ୱାର୍କ, ଟାଇମ୍, ଟ୍ରାନ୍ସଫରମେସନ୍‌ରେ ପିସି ପରମ୍ପରା ଅର୍ଥାତ୍ ଏହାର ପ୍ରଥମ ‘ଟି’ ‘ଟ୍ରାନ୍ସପାରେନ୍ସି’ ବା ସ୍ବଚ୍ଛତାରେ ବାଧକ ସାଜିଛି। ୫-ଟି କୁ ନେଇ ବଡ଼ ବଡ଼ କଥା କହୁଥିବା ରାଜ୍ୟ ସରକାର କୌଣସି ଗୋଟିଏ ସରକାରୀ କାର୍ଯ୍ୟାଳୟକୁ ଏଯାଏ ‘ଲାଞ୍ଚ ମୁକ୍ତ’ କାର୍ଯ୍ୟାଳୟ କରିପାରିନାହାନ୍ତି। ସର୍ବଶିକ୍ଷା ଅଭିଯାନ ଆସିବା ପରେ ରାଜ୍ୟର ସ୍କୁଲଗୁଡ଼ିକ ‘ଦଣ୍ଡମୁକ୍ତ ପରିସର’ ସିନା କରାଯାଇପାରିଲା, ମାତ୍ର ୫-ଟି ନୀତି ଆସିବା ପରେ ରାଜ୍ୟର କୌଣସି କାର୍ଯ୍ୟାଳୟ ‘ଲାଞ୍ଚମୁକ୍ତ ପରିସର’ ହୋଇପାରିନି? ସରକାର ଏକଥା ବଡ଼ ଜୋର ଦେଇ କହିପାରିନାହାନ୍ତି କିମ୍ବା କେଉଁଠାରେ ଗୋଟିଏ ବି ଲେଖା ଦେଖିବାକୁ ମିଳିନାହିଁ ଯେ ଅମୁକ କାର୍ଯ୍ୟାଳୟରେ ପିସି ମନା।

ଏହି ପ୍ରସଙ୍ଗଟି ଏବେ ଚର୍ଚ୍ଚାକୁ ଆସିବାର କାରଣ ହେଉଛି- ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ୍ ୧୧, ୨୦୧୭ ମସିହାରେ ଜିଲ୍ଲାପାଳଙ୍କ ସମ୍ମିଳନୀରେ କହିଥିଲେ ଯେ ଜିଲ୍ଲାପାଳମାନେ ବ୍ଲକସ୍ତରରେ ପିସି କାରବାର ବନ୍ଦ କରିବାକୁ କଠୋର ପଦକ୍ଷେପ ନିଅନ୍ତୁ। ସେବେ ବିରୋଧୀ କଟାକ୍ଷ କରିଥିଲେ- ମୁଖ୍ୟମନ୍ତ୍ରୀ ମାନିଗଲେ ଯେ ସରକାରୀ କାର୍ଯ୍ୟାଳୟରେ ପିସି ନଦେଲେ କୌଣସି କାମ ହୁଏନି। ଏହା ସେବେ କିନ୍ତୁ ସେତେ ବେଶି ଚର୍ଚ୍ଚା ହୋଇନଥିଲା। ଏବେ ପଞ୍ଚାୟତ ସମିତି ସଭ୍ୟ ଏବଂ ସରପଞ୍ଚମାନେ ମୁହଁ ଖୋଲିବା ପରେ ଅର୍ଥାତ୍ ପାଖାପାଖି ୬ବର୍ଷ ବିଳମ୍ବରେ ଗାଁ ଗଣ୍ଡାରେ ସରକାରଙ୍କ ଦୁର୍ନୀତି ଚେହେରାକୁ ନେଇ ତର୍ଜମା ଜୋର ଚାଲିଛି। ଯେଉଁ କଥାଟିଏହି ଆଲୋଚନାକୁ ଅଧିକ ଖୋରାକ ଯୋଗାଇଛି, ତାହା ହେଲା-ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍‌ ପରେ ରାଜ୍ୟରେ ପିସି କାରବାର ବନ୍ଦ ହେବା ଦୂର କଥା, ଗତ ୬ବର୍ଷରେ ପିସି ଯନ୍ତ୍ରଣା ଅସହ୍ୟ ହୋଇଗଲାଣି। ଏବେ ପ୍ରତିଦିନ ଭିଜିଲାନ୍ସ ଅଧିକାରୀମାନେ ଲାଞ୍ଚ ଓ ପିସି ନେଉଥିବା କର୍ମଚାରୀଙ୍କୁ ଗିରଫ କରୁଛନ୍ତି। କେଉଁଠି ପିଅନ ୧୦ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲାଣି ତ କେଉଁଠି କିରାଣୀ ୫ହଜାର ଟଙ୍କା ‌ପିସି ନେଉଥିବାବେଳେ ଧରା ପଡ଼ୁଛି। ପ୍ରଶ୍ନଟି ହେଉଛି, ଯେଉଁ ପିଅନ ଅଫିସରରେ ଚା’, ପାଣି ଦେବାକୁ ଅଛି ସେ ତ ଫାଇଲ୍‌ରେ ଦସ୍ତଖତ କରୁନି। ସେ କେମିତି ଓ କାହା ପାଇଁ ଲାଞ୍ଚ ନେଉଛି? ଏସବୁ ଘଟଣା ପ୍ରମାଣ କରୁଛି ଯେ ପିସିର ଚେର କେଉଁଠୁ କେଉଁ ପର୍ଯ୍ୟନ୍ତ ଲମ୍ବିଲାଣି।

ଆଉ ଗୋଟିଏ ଗୋଷ୍ଠୀ କହୁଛନ୍ତି, ପୂର୍ବରୁ ସରକାରୀ କର୍ମଚାରୀମାନେ ପିସି ନେଉଛନ୍ତି ବୋଲି ସେମାନଙ୍କ ମନରେ ଟିକେ କ୍ଷୋଭ ରହୁଥିଲା। ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ପରେ ଏହା ସାର୍ବଜନୀନ ହୋଇଗଲା ଯେ ମୁଖ୍ୟମନ୍ତ୍ରୀ ତ ଜାଣିଛନ୍ତି ବିନା ପିସିରେ କାମ ହେଉନି। ତେଣୁ ପିସି କାହିଁକି ନେବୁନି? ଏହି ଗୋଷ୍ଠୀର ଆଉ ଗୋଟିଏ ଯୁକ୍ତି ହେଉଛି ଯେ ରାଜ୍ୟ ସରକାର କେବଳ ତଳିଆ କର୍ମଚାରୀଙ୍କୁ ଭିଜିଲାନ୍ସ ହାତ‌ରେ ଧରୁଛନ୍ତି। ଏହା ରାଜ୍ୟରେ ଏବେ ସୁଦ୍ଧା ପିସି ପରମ୍ପରାକୁ ବନ୍ଦ କରିପାରୁନି। ଓଲଟା ସ୍ଥିତି ଏପରି ହୋଇଛି ଯେ ବିନା ପିସିରେ କୌଣସି କାମ କରିବାକୁ ପ୍ରସ୍ତୁତ ନାହାନ୍ତି। ସେମାନେ କହୁଛନ୍ତି ‘ତଳିଆ କର୍ମଚାରୀ ନେଲେ ଲାଞ୍ଚ, ବାବୁ ନେଲେ ଭେଟି’। ମୁଖ୍ୟମନ୍ତ୍ରୀ ଯଦି ରାଜ୍ୟରେ ପିସି କାରବାର ବନ୍ଦ କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଲୋକସେବା ଭବନରୁ ଏହି ଭେଟି ପରମ୍ପରା ବନ୍ଦ କରନ୍ତୁ। ତଳିଆ କର୍ମଚାରୀ ଲାଞ୍ଚ ନେଲେ ଏହାକୁ ତଳୁ ଉପର ପର୍ଯ୍ୟନ୍ତ କେତେ ଜଣଙ୍କ ପାଖକୁ ଯାଉଛି ତା’ର ହିସାବ ଯିଏ ପିସି ନେଉଛି ସିଏ ଜାଣିଛି।

ଉଲ୍ଲେଖଥାଉକି, କେବଳ ପଞ୍ଚାୟତିରାଜ ବିଭାଗରେ ପିସି କାରବାର ଚାଲିଛି ତାହା ନୁହେଁ। ପୂର୍ତ୍ତ, ଜଳସମ୍ପଦ, ନଗର ଉନ୍ନୟନ,ଗ୍ରାମ୍ୟ ଉନ୍ନୟନ, ରାଜସ୍ବ, ଶକ୍ତି, ଶିଳ୍ପ, ଖଣି ବିଭାଗରୁ ଆରମ୍ଭ କରି ସବୁ ବିଭାଗରେ ପିସି ଚାଲିଛି। ଏମିତି କୌଣସି ବିଭାଗ ନାହିଁ ଯେଉଁଠି ପିସି ନଦେଲେ କାମ ହେଉଛି। କେଉଁଠି ୧୨% ତ କେଉଁଠି ୩୦% ପର୍ଯ୍ୟନ୍ତ ପିସି ଦିଆ ହେଉଛି। ଆଉ ଏଥିରେ ବାବୁଙ୍କ ପାଇଁ ପିସି ଆଦାୟ କରିବାର ଅପବାଦ ମୁଣ୍ଡାଉଛନ୍ତି ଉକ୍ତ ଅଫିସ୍‌ର ପିଅନ, କିରାଣୀ।
ଭିଜିଲାନ୍ସ ବିଭାଗର ତଥ୍ୟ ଅନୁଯାୟୀ, ୨୦୨୨ରେ ୫୪୪ଜଣଙ୍କ ନାଁରେ ୨୮୫ଟି ମାମଲା ରୁଜୁ କରିଥିବା ବେଳେ ଏଥିରେ ୬୦ଜଣ ପ୍ରଥମ ଶ୍ରେଣୀ, ୫୩ଜଣ ଦ୍ବିତୀୟ ଶ୍ରେଣୀ, ୨୨୭ଜଣ ତୃତୀୟ ଶ୍ରେଣୀ ଏବଂ ୭ଜଣ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ଥିବା ବେଳେ ୩୮ଜଣ ଅନ୍ୟ ସରକାରୀ କର୍ମଚାରୀ ଏବଂ ୧୫୯ଜଣ ସାଧାରଣ ଲୋକ ଥିଲେ। ଭିଜିଲାନ୍ସ ଯେଉଁ ୨୮୫ଟି ମାମଲା ରୁଜୁ କରିଥିଲା ସେଥିରୁ ମାତ୍ର ୧୧୮ଟି ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ। ଭିଜିଲାନ୍ସର ତଥ୍ୟ ପ୍ରମାଣିତ କରିଦେଉଛି ଯେ ତୃତୀୟ ଶ୍ରେଣୀ କର୍ମଚାରୀ (କିରାଣୀ) ସବୁଠୁ ଅଧିକ ପିସି ନେଉଛନ୍ତି। ହେଲେ ଯେଉଁ ବାବୁଙ୍କ ପାଇଁ ନେଉଛନ୍ତି ସେମାନେ ୫-ଟିରେ ଥିବା ‘ଟ୍ରାନ୍ସପରେନ୍ସି‌’ର ବାର୍ତ୍ତାବହ ସାଜି ଝାଡ଼ିଝୁଡ଼ି ହୋଇ ବସିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button