ରାଜ୍ୟ

ମିସନ୍‌ ଶକ୍ତି ସ୍କୁଟର୍‌ ଯୋଜନା: ଆବେଦନ କଲେଣି ୧୭ ହଜାର, ଜଣକୁ ବି ମିଳିନି – Ibnodisha

[ad_1]

ବିନା ସୁଧରେ ଗାଡ଼ି ଋଣ ଦେବାକୁ ବ୍ୟାଙ୍କ ଅରାଜି

ବିରଞ୍ଚି ନାରାୟଣ ଖୁଣ୍ଟିଆ
ବାଲେଶ୍ବର: ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ମିସନ୍‌ ଶକ୍ତି ସ୍କୁଟର୍‌ ଯୋଜନା’। ଗୋଟିଏ ପଟେ ସ୍କୁଟର୍‌ କିଣିବା ପାଇଁ ସରକାର ବିନା ସୁଧରେ ଋଣ ଦେବାକୁ କହୁଥିବା ବେଳେ ଅନ୍ୟପଟେ ବିନା ସୁଧରେ ଋଣ ପ୍ରଦାନ ଦିବାସ୍ବପ୍ନ ବୋଲି ବ୍ୟାଙ୍କ କହୁଛି। ଏମିତିକି ଠିକଣା ସମୟରେ କିସ୍ତି ଟଙ୍କା ଦେଇ ନପାରିଲେ ଫାଇନ୍‌ ମଧ୍ୟ ଆଦାୟ କରାଯିବ ବୋଲି ଚେତେଇ ଦେଉଛି।

ଚଳିତବର୍ଷ ଜୁଲାଇରେ ରାଜ୍ୟ ସରକାର ‘ମିସନ୍‌ ଶକ୍ତି ସ୍କୁଟର୍‌ ଯୋଜନା’ ଘୋଷଣା କରିଥିଲେ। ମିସନ୍‌ ଶକ୍ତିରେ କାମ କରୁଥିବା ଏସ୍‌ଏସ୍‌ଜି ମହିଳା ସଦସ୍ୟ ଓ ଅନ୍ୟ ମହିଳା କର୍ମଚାରୀମାନେ ଏହି ଯୋଜନାର ଲାଭ ଉଠାଇପାରିବେ। ସ୍କୁଟର୍‌ କିଣିବା ପାଇଁ ସରକାର ବିନା ସୁଧରେ ୧ ଲକ୍ଷ ଟଙ୍କା ଯାଏ ବ୍ୟାଙ୍କ ଋଣ ବ୍ୟବସ୍ଥା କରିଛନ୍ତି। ଏହାଦ୍ବାରା ପାଖାପାଖି ୨ ଲକ୍ଷ ମହିଳା ଉପକୃତ ହେବେ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୫୨୮ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା ମଧ୍ୟ ହୋଇଛି। ହିତାଧିକାରୀମାନେ ବ୍ଲକ୍‌ର ବିଡିଓ କିମ୍ବା ସିଡିପିଓଙ୍କ ମାଧ୍ୟମରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ସ୍କୁଟର୍‌ ନେବା ପାଇଁ ଆବେଦନ କରିବେ। ଗାଡ଼ି ନେବା ପରେ ହିତାଧିକାରୀ ପ୍ରତି ମାସରେ ସଂପୃକ୍ତ ବ୍ୟାଙ୍କକୁ ଋଣ କିସ୍ତି ହିସାବରେ ଶୁଝିବେ। ତେବେ ସେମାନଙ୍କୁ ସୁଧ ବାବଦରେ ଚିନ୍ତା କରିବାକୁ ପଡ଼ିବ ନାହିଁ। କାରଣ ସରକାର ମିସନ୍‌ ଶକ୍ତିର ସ୍ବତନ୍ତ୍ର ଆକାଉଣ୍ଟ ଜରିଆରେ ବ୍ୟାଙ୍କକୁ ସିଧାସଳଖ ସୁଧ ପୈଠ କରିବେ।

ଯାହା ସୂଚନା ରହିଛି, ଗତ ଅଗଷ୍ଟ ମାସ ଶେଷ ସୁଦ୍ଧା ରାଜ୍ୟରେ ୧୭ ହଜାରରୁ ଅଧିକ ମହିଳା ‘ମିସନ୍‌ ଶକ୍ତି ସ୍କୁଟର୍‌ ଯୋଜନା’ ମାଧ୍ୟମରେ ଗାଡ଼ି ନେବା ପାଇଁ ବିଭିନ୍ନ ବ୍ୟାଙ୍କରେ ଆବେଦନ କରିଛନ୍ତି। ଏହି କ୍ରମରେ ବାଲେଶ୍ବରରେ ଆବେଦନ ସଂଖ୍ୟା ପ୍ରାୟ ୬ ଶହ। ହେଲେ କାହାକୁ ବିନା ସୁଧରେ ସ୍କୁଟର୍‌ ମିଳିପାରିନି। ନୟାଗଡ଼ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ରାଉତରାପୁର ଗ୍ରାମର ପ୍ରତିମା ଦଳେଇ ନାମ୍ନୀ ଜଣେ ମହିଳା ଋଣରେ ସ୍କୁଟର୍ ନେବା ପାଇଁ ସ୍ଥାନୀୟ କଲେଜ ରୋଡ୍‌ରେ ଥିବା ସେଣ୍ଟ୍ରାଲ୍‌ କୋ-ଅପରେଟିଭ୍‌ ବ୍ୟାଙ୍କରେ ଆବେଦନ କରିଥିଲେ। ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ବିନା ସୁଧରେ ସ୍କୁଟର୍‌ ଋଣ ଦେବାର କିଛି ବ୍ୟବସ୍ଥା ନଥିବା କହିଥିଲେ। ପ୍ରତିମାଙ୍କ ନାମରେ ୯୩,୬୨୮ ଟଙ୍କା ମୂଲ୍ୟର ଏକ ହୋଣ୍ଡା ଆକ୍ଟିଭା କିସ୍ତିରେ ମଞ୍ଜୁର ହୋଇଥିବା ବେଳେ ବାର୍ଷିକ ୧୨ ପ୍ରତିଶତ ହାରରେ ସୁଧ ଦେବାକୁ ପଡ଼ିବ ବୋଲି କୁହାଯାଇଛି। କେବଳ ସେତିକି ନୁହେଁ, ଋଣ ଖିଲାପ ହେଲେ ଅଧିକ ୨% ହିସାବରେ ସୁଧ ଗଣିବାକୁ ପଡ଼ିବ ଓ ବ୍ୟାଙ୍କ କର୍ତ୍ତୃପକ୍ଷ ଆବଶ୍ୟକସ୍ଥଳେ ହିତାଧିକାରୀଙ୍କ ନାମ ଓ ଫଟୋ ମଧ୍ୟ ଗଣମାଧ୍ୟମରେ ସାର୍ବଜନୀନ କରିପାରିବେ ବୋଲି ସର୍ତ୍ତ ରଖାଯାଇଛି। ଗତ ଜୁଲାଇ ମାସ ୨୧ ତାରିଖରେ ରାଜ୍ୟ ସରକାର ଚାଷୀଙ୍କ ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ଦିଆଯିବ ବୋଲି ଘୋଷଣା କରିଥିଲେ। ହେଲେ ବ୍ୟାଙ୍କକୁ ଧାଇଁ ଧାଇଁ ଚପଲ ଛିଣ୍ଡିଗଲାଣି ପଛେ ଚାଷୀମାନେ ବ୍ୟାଙ୍କରୁ ନିରାଶ ହୋଇ ଫେରୁଛନ୍ତି। ବ୍ୟାଙ୍କ କର୍ତ୍ତୃପକ୍ଷ କହୁଛନ୍ତି, ବିନା ସୁଧରେ ଋଣ ଦେଇ ହେବନି। ଏମିତି ସମୟରେ ‘ମିସନ୍‌ ଶକ୍ତି ସ୍କୁଟର୍‌ ଯୋଜନା’ର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button