ନକଲି ‘ଆମ୍ ପାପଡ୍’ କାରଖାନା ଉପରେ ଚଢ଼ଉ: ୫ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଜବତ, କାରଖାନା ସିଲ୍
ଛତ୍ରପୁର: ଏକ ନାମୀ କମ୍ପାନିର ନକଲି ଶିଶୁଖାଦ୍ୟ ପ୍ରସ୍ତୁତି ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଷ୍ଟେସନ୍ ରୋଡ୍ସ୍ଥିତ ଟୋଟ ଏଣ୍ଟରପ୍ରାଇଜର୍ସର କାରଖାନା ଓ ଗୋଦାମ ଉପରେ ଚଢ଼ଉ କରି ଏହାକୁ ସିଲ୍ କରାଯାଇଛି। ନୂଆଦିଲ୍ଲୀସ୍ଥିତ ଏସ୍ଏସ୍ଜି ଫାର୍ମା କମ୍ପାନିର ବ୍ରାଣ୍ଡକୁ ନକଲ କରି ‘ଆମ୍ ପାପଡ୍’ ନାମରେ ଶିଶୁ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗରେ ନୂଆଦିଲ୍ଲୀ ଜିଲ୍ଲା କୋର୍ଟ (ବାଣିଜ୍ୟ)ଙ୍କ ନିର୍ଦ୍ଦେଶକ୍ରମେ ଲୋକାଲ୍ କମିସନର୍ ପ୍ରବୀଣ କୁମାର ମିଶ୍ରଙ୍କ ନେତୃତ୍ବରେ ଏସ୍ଏସ୍ଜି ଫାର୍ମାର ଏରିଆ ସେଲସ୍ ମ୍ୟାନେଜର ନିରୋଜ କୁମାର ସଚଦେବ, ଆଞ୍ଚଳିକ ସେଲସ୍ ମ୍ୟାନେଜର ଅଶୋକ କୁମାର ମଣ୍ତଳ ଓ ଆଇନ ପରାମର୍ଶଦାତା ବିଏଲ୍ ଗୁପ୍ତା ପ୍ରମୁଖ ୬ ଜଣିଆ ପ୍ରତିନିଧି ଦଳ ଛତ୍ରପୁର ପୁଲିସ ସହାୟତାରେ ଟୋଟ ଏଣ୍ଟର୍ପ୍ରାଇଜର୍ସର ମାଲିକ ରାଜେଶ କୁମାର ସାହୁଙ୍କ କାରଖାନା ଉପରେ ଚଢ଼ଉ କରିଥିଲେ।
ଚଢ଼ଉ ବେଳେ ପ୍ରାୟ ୫ ଲକ୍ଷ ଟଙ୍କାର ନକଲି ‘ଆମ୍ ପାପଡ୍’ ଶିଶୁ ଖାଦ୍ୟ ସାମଗ୍ରୀ ଜବତ ହୋଇଛି। ଏହାସହିତ ଶିଶୁଖାଦ୍ୟ ପ୍ରସ୍ତୁତିରେ ବ୍ୟବହୃତ ମେସିନ୍ଗୁଡ଼ିକୁ ମଧ୍ୟ ପୁଲିସ ଉପସ୍ଥିତିରେ ସିଲ୍ କରାଯାଇଛି।
ବହୁଦିନ ଧରି ଟୋଟ ଏଣ୍ଟର୍ପ୍ରାଇଜର୍ସ ‘ଆମ ପାପଡ୍’ ନକଲି ପ୍ୟାକଟ୍ କରି ଶିଶୁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି ଓ ବିକ୍ରି କରୁଥିଲା। ଯେଉଁ ପ୍ୟାକଟ୍ରେ ଉତ୍ପାଦନକାରୀ କିମ୍ବା ଏକ୍ସପାଏରି ତାରିଖ ରହୁ ନଥିଲା। ବଜାରରେ ଏହି ପ୍ୟାକଟ୍ ବିକ୍ରି ହେଉଥିବା ବାରମ୍ବାର ଅଭିଯୋଗ ଆସିବା ପରେ ଏସ୍ଏସ୍ଜେ ଫାର୍ମା କମ୍ପାନିର ସେଲ୍ସମ୍ୟାନ୍ମାନେ ଏ ସମ୍ପର୍କରେ କମ୍ପାନିର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଏହାର ତନାଘନା ପରେ ଏସ୍ଏସ୍ଜି ଫାର୍ମା ପକ୍ଷରୁ ଦିଲ୍ଲୀ କରକରଡ଼ୁମା ଜିଲ୍ଲାକୋର୍ଟ (ବାଣିଜ୍ୟ)ଙ୍କ ଠାରେ ଏଭଳି ଅଭିଯୋଗ ଦାୟର ହୋଇଥିଲା। ଚଢ଼ଉ ପରେ ଲକ୍ଷାଧିକ ଟଙ୍କାର ନକଲି ‘ଆମ ପାପଡ୍’ ଶିଶୁ ଖାଦ୍ୟ ପ୍ୟାକେଟ୍ ସହ ମେସିନ୍ ସିଲ୍ କରାଯାଇଥିବା ଏସ୍ଏସ୍ଜି ଫାର୍ମାର ଆଇନ ପରାମର୍ଶଦାତା ବିଏଲ୍ ଗୁପ୍ତା ସୂଚନା ଦେଇଛନ୍ତି। ଏହାର ପରବର୍ତ୍ତୀ ପଦକ୍ଷେପ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କରାଯିବ ବୋଲି ସେ କହିଛନ୍ତି।