ଆଜିଠୁ ସଂସଦର ସ୍ବତନ୍ତ୍ର ଅଧିବେଶନ: ଗଣେଶ ଚତୁର୍ଥୀରେ ନୂଆ ସଂସଦ ଭବନରେ କାର୍ଯ୍ୟାରମ୍ଭ – Ibnodisha
[ad_1]
ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷିତ ବିଲ୍ ଆଗତ ପାଇଁ ପ୍ରସ୍ତାବ
ନୂଆଦିଲ୍ଲୀ: ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଏହି ଅବସରରେ ସରକାର ଲୋକଙ୍କୁ ଚକିତ କରିବା ଭଳି କୌଣସି ଘୋଷଣା କରିବେ କିମ୍ବା ବିଲ୍ ଆଗତ କରିବେ କି ନାହିଁ ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜାରି ରହିଛି। ଗତମାସ ୩୧ ତାରିଖରେ ସ୍ବତନ୍ତ୍ର ଅଧିବେଶନ ପାଇଁ ଘୋଷଣା ହେବା ଦିନଠାରୁ ଭିନ୍ନ ଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଏସବୁ ଚର୍ଚ୍ଚା, କଳ୍ପନାଜଳ୍ପନା ଏବଂ ଦ୍ବନ୍ଦ୍ବ ମଧ୍ୟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ। ସ୍ବତନ୍ତ୍ର ଅଧିବେଶନ ପାଇଁ କୌଣସି କାର୍ଯ୍ୟସୂଚୀ ତାଲିକାଭୁକ୍ତ ହୋଇନାହିଁ ବୋଲି ସେ ଦର୍ଶାଇଥିଲେ। ତେବେ ସରକାର ଗତ ବୁଧବାର ଅଧିବେଶନ ସଂପର୍କରେ ଏକ ଆପାତତଃ ତାଲିକା ପ୍ରକାଶ କରିଛନ୍ତି। ଅଧିବେଶନରେ ୪ଟି ବିଲ୍ ଆଲୋଚନା ପାଇଁ ଆସିବ ବୋଲି ସରକାର କହୁଥିଲେ ମଧ୍ୟ ବିରୋଧୀଙ୍କୁ ଏହା ଶାନ୍ତି କରିପାରିନାହିଁ। କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ସରକାର ଶେଷ ମୁହୂର୍ତ୍ତରେ କିଛି ଗୁରୁତ୍ବପୂର୍ଣ୍ଣ ବିଲ୍ ଆଗତ କରି ହଟଚମଟ ସୃଷ୍ଟି କରିପାରନ୍ତି।
୨୦୧୭ରେ ଜିଏସ୍ଟି ବିଲ୍ ଗୃହୀତ କରାଇବା ପାଇଁ ଏକ ସ୍ବତନ୍ତ୍ର ଅଧିବେଶନ ହୋଇଥିଲା। ଏହାପରେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ସମୟରେ ୨୦୦୮ରେ ଏକ ସ୍ବତନ୍ତ୍ର ଅଧବେଶନ ହୋଇଥିଲା। ଏଥିସହିତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଅବଧି ବଢ଼ାଇବା ପାଇଁ ଦୁଇ ଥର ସ୍ବତନ୍ତ୍ର ଅଧିବେଶନ ହୋଇଥିଲା। କିନ୍ତୁ ଅଧିକାଂଶ ସ୍ବତନ୍ତ୍ର ଅଧିବେଶନ ଜାତୀୟ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଘଟଣାକୁ ପାଳନ କରିବା କିମ୍ବା ସ୍ମରଣ କରିବା ପାଇଁ ହୋଇଥାଏ। ସ୍ବତନ୍ତ୍ର ଅଧିବେଶନ ଡାକିବା ପାଇଁ ସରକାରଙ୍କୁ ସମ୍ବିଧାନରେ କ୍ଷମତା ପ୍ରଦାନ କରାଯାଇଛି। ତେବେ ସମ୍ବିଧାନରେ ସ୍ବତନ୍ତ୍ର ଅଧିବେଶନ ନେଇ କୌଣସି ଶବ୍ଦ ଉଲ୍ଲେଖ କରାଯାଇନାହିଁ। ଏପରିକି ସରକାର ଯେଉଁ ସ୍ବତନ୍ତ୍ର ଅଧିବେଶନ ଡାକନ୍ତି ତାହା ସମ୍ବିଧାନର ଧାରା ୮୫(୧) ଅଧୀନରେ ହୋଇଥାଏ। ଅନ୍ୟ ଅଧିବେଶନ ମଧ୍ୟ ଏହି ଧାରାରେ ଡକାଯାଇଥାଏ।
ସଂସଦର ଅଧିବେଶନ ସଂପର୍କରେ କୌଣସି ନିର୍ଦ୍ଦିଷ୍ଟ ତାରିଖ ବ୍ୟବସ୍ଥା ନାହିଁ। ୧୯୫୫ ମସିହାରେ ଲୋକସଭାର ଏକ କମିଟି ପ୍ରସ୍ତାବ ଦେଇଥିଲା ଯେ ବଜେଟ ଅଧିବେଶନ ଫେବ୍ରୁଆରି ୧ରୁ ମେ’ ୭ ପର୍ଯ୍ୟନ୍ତ ହେବ। ମୌସୁମୀ ଅଧିବେଶନ ଜୁଲାଇ ୧୫ରୁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଏବଂ ଶୀତ ଅଧିବେଶନ ନଭେମ୍ବର ୫ରୁ (କିମ୍ବା ଦୀପାବଳି ପରେ ଚତୁର୍ଥ ଦିବସ, ଯେଉଁଟି ଆଗ) ଆରମ୍ଭ ହୋଇ ଡିସେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ। କିନ୍ତୁ ଏହି ତାରିଖ ସୂଚୀକୁ କେବେ ଅନୁସରଣ କରାଯାଇ ନାହିଁ। ସମ୍ବିଧାନରେ ଥିବା ବ୍ୟବସ୍ଥା ଅନୁଯାୟୀ ସଂସଦର ଦୁଇଟି ଅଧିବେଶନ ମଧ୍ୟରେ ସମୟ ବ୍ୟବଧାନ ୬ ମାସରୁ ଅଧିକ ହେବନାହିଁ। ଭାରତ ସରକାରଙ୍କ ଆଇନ ୧୯୩୫ରୁ ଏହି ବ୍ୟବସ୍ଥାର ବିକାଶ ହୋଇଥିଲା। କାରଣ ୧୯୩୫ ମସିହାର ଭାରତ ସରକାରଙ୍କ ଆଇନରେ ବ୍ୟବସ୍ଥା ଥିଲା ଯେ ବ୍ରିଟିସ ଗଭର୍ଣ୍ଣର ଜେନେରାଲ ପ୍ରତି ୧୨ ମାସରେ ଥରକରୁ ଅଧିକ ଡାକିପାରିବେ ନାହିଁ। ସମ୍ବିଧାନ ପ୍ରଣେତା ବିଆର୍ ଆମ୍ବେଦକର କହିଥିଲେ ସେହି ଆଇନର ଉଦ୍ଦେଶ୍ୟ ଥିଲା କେବଳ ରାଜସ୍ବ ସଂଗ୍ରହ। ତେଣୁ ବର୍ଷକୁ ଥରେ ଅଧିବେଶନ ଡାକିବାର ଯେଉଁ ବ୍ୟବସ୍ଥା ଥିଲା ତାହା ଆଇନପାଳିକା ଦ୍ବାରା ସରକାରଙ୍କ ଯାଞ୍ଚକୁ ଏଡାଇବା ଲାଗି ପ୍ରସ୍ତୁତ ହୋଇଥିଲା। ଏହାପରେ ସମ୍ବିଧାନ ସଭା ଉକ୍ତ ସମୟ ୬ ମାସକୁ ହ୍ରାସ କରିଥିଲେ।
ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୭ଟି ସ୍ବତନ୍ତ୍ର ଅଧିବେଶନ ହୋଇଛି। ଏଥିରୁ ୩ଟି ଦେଶ ପାଇଁ ଗୁରୁତ୍ବପୂର୍ଣ୍ଣ ଘଟଣାକୁ ସ୍ମରଣ କରିବା ପାଇଁ ହୋଇଥିଲା। ରାଷ୍ଟ୍ରପତି ଶାସନ ଅବଧି ବୃଦ୍ଧି ପାଇଁ ଦୁଇଟି ହୋଇଥିଲା। ସେଥିରୁ ଗୋଟିଏ ୧୯୭୭ରେ ତାମିଲନାଡ଼ୁ ଏବଂ ନାଗାଲାଣ୍ଡରେ ରାଷ୍ଟ୍ରପତି ଶାସନ ଅବଧି ବୃଦ୍ଧି ଏବଂ ୧୯୯୧ରେ ହରିୟାଣାରେ ରାଷ୍ଟ୍ରପତି ଶାସନ ଅବଧି ବୃଦ୍ଧି ପାଇଁ ହୋଇଥିଲା। ଅବଶିଷ୍ଟ ଦୁଇଟି ସ୍ବତନ୍ତ୍ର ଅଧିବେଶନ ଗୋଟିଏ ୨୦୦୮ରେ ଏବଂ ଅନ୍ୟଟି ୨୦୧୭ରେ ହୋଇଥିଲା।
ସରକାର ଗତ ବୁଧବାର ସ୍ବତନ୍ତ୍ର ଅଧିବେଶନ ସଂପର୍କରେ ଏକ ଆପାତତଃ ତାଲିକା ପ୍ରକାଶ କରିଛନ୍ତି। ସେଥିରୁ ଦୁଇଟି ବିଲ୍ ଲୋକସଭାରେ ଏବଂ ଦୁଇଟି ବିଲ୍ ରାଜ୍ୟସଭାରେ ଆଗତ ହେବ। ସଂସଦୀୟ କାର୍ଯ୍ୟ ସହିତ ୭୫ ବର୍ଷର ସଂସଦୀୟ ଯାତ୍ରା ପ୍ରସଙ୍ଗରେ ଆଲୋଚନା ହେବ। ଏକ ରିପୋର୍ଟ ଅନୁଯାୟୀ, କିଛି ବିଜେପି ନେତା କହୁଛନ୍ତି ଯେ ସରକାର ସେପ୍ଟେମ୍ବରରେ ଡାକିଥିବା ଏହି ଅଧିବେଶନକୁ ଶୀତ ଅଧବେଶନ ଭାବେ ଡାକିଛନ୍ତି। ଶୀତ ଅଧିବେଶନ ନଭେମ୍ବର ଡିସେମ୍ବର ବେଳକୁ ହୋଇଥାଏ। କିନ୍ତୁ ସେହି ସମୟରେ ବିଧାନସଭା ନିର୍ବାଚନ ଥିବାରୁ ଅଧିବେଶନ ବିଳମ୍ବ ହେବ। ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନ ସଂସଦର ପୁରୁଣା କୋଠାରେ ହେବ। ତାହା ପରଦିନ ଗଣେଶ ଚତୁର୍ଥୀରେ ନୂଆ ସଂସଦ ଭବନରେ ଅଧିବେଶନ ହେବ।
ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷିତ ବିଲ୍ ଆଗତ ପାଇଁ ପ୍ରସ୍ତାବ
ନୂଆଦିଲ୍ଲୀ: ସଂସଦର ସ୍ବତନ୍ତ୍ର ଅଧିବେଶନ ଆସନ୍ତାକାଲି (ସୋମବାର)ଠାରୁ ଆରମ୍ଭ ହେଉଥିବା ବେଳେ ଏହାର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟାରେ ପୁରୁଣା ସଂସଦ ଭବନ ଲାଇବ୍ରେରି କକ୍ଷରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କଂଗ୍ରେସ ସମେତ ବିଭିନ୍ନ ଦଳ ମହିଳା ସଂରକ୍ଷଣ ବିଲ୍ ଆଗତ କରିବାକୁ ପ୍ରସ୍ତାବ ରଖିଛନ୍ତି। ମହାରାଷ୍ଟ୍ରରେ ବିଜେପିର ସହଯୋଗୀ ଦଳ ଏନ୍ସିପିର ନେତା ପ୍ରଫୁଲ ପଟେଲ ମଧ୍ୟ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ଗୃହୀତ କରାଇବାକୁ ଦାବି ଉପସ୍ଥାପନ କରିଛନ୍ତି। ସେହିଭଳି ବିଜେଡି ଏବଂ ବିଆର୍ଏସ୍ ସମେତ ଅନ୍ୟ କେତେକ ଦଳ ମଧ୍ୟ ମହିଳା ସଂରକ୍ଷଣ ବିଲ୍ ଆଗତ ପାଇଁ ପ୍ରସ୍ତାବ ରଖିଛନ୍ତି। ବୈଠକ ପୂର୍ବରୁ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ କହିଥିଲେ ଯେ ଦଳ ସ୍ବତନ୍ତ୍ର ଅଧିବେଶନରେ ଦରଦାମ ବୃଦ୍ଧି, ବେକାରୀ, ଜାତିଆଣ ହିଂସା ଆଦି ପ୍ରସଙ୍ଗ ଉଠାଇବ। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରାଜ୍ୟସଭା ନେତା ପୀୟୂଷ ଗୋୟଲ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସର୍ବଦଳୀୟ ବୈଠକରେ ସରକାରଙ୍କ ପ୍ରତିନିଧିତ୍ବ କରିଥିଲେ। କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ବୈଠକରେ ସାମିଲ ହୋଇଥିଲେ।
[ad_2]