ଶବ ପାର ବେଳେ ଛିଣ୍ଡିଲା ତାର, ଭାସିଗଲା କଫିନ୍: ବହୁ କଷ୍ଟରେ ଉଦ୍ଧାର କରି ଅନ୍ତିମ ସତ୍କାର – Ibnodisha

[ad_1]
କ.ନୂଆଗାଁ: ବଞ୍ଚିଥିବା ବେଳେ ସବୁପ୍ରକାର ମୌଳିକ ସୁବିଧାରୁ ବଞ୍ଚିତ ହୋଇରହିଥିବା ବେଳେ ମୃତ୍ୟୁ ପରେ ବି ଯନ୍ତ୍ରଣା ପିଛା ଛାଡ଼ିଲାନି। କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ ସଦର ମହକୁମାଠାରୁ ୧୦ କିଲୋମିଟର ଦୂର ଗୁଞ୍ଜିବାଡ଼ି ଗାଁରେ ଏଭଳି ଏକ ଘଟଣା ଘଟିଛି। କାଳୀପେନୁ ନଈ ଉପରେ ପୋଲ ନଥିବାରୁ ଏହା ଗ୍ରାମବାସୀଙ୍କ ଦୁଃଖର କାରଣ ପାଲଟିଛି। ସୂଚନା ଅନୁସାରେ, ଜଣେ ମହିଳାଙ୍କ ମୃତ୍ୟୁ ପରେ ଶବକୁ କଫିନ୍ରେ ରଖି ଅନ୍ତିମ ସତ୍କାର ପାଇଁ କାଳୀପେନୁ ଉପରେ ବନ୍ଧାଯାଇଥିବା ଏକ ତାରରେ ଝୁଲାଇ ନିଆଯାଉଥିବା ବେଳେ ଏହା ନଈର ପ୍ରଖର ସ୍ରୋତରେ ଭାସିଯାଇଥିଲା। ପରିବାରଲୋକେ ପୁଣି ପାଣିରୁ କଫିନ୍କୁ ଉଦ୍ଧାର କରି ଅନ୍ତିମ ସତ୍କାର କରିଥିବା ଜଣାପଡ଼ିଛି।
ଗତ ଶୁକ୍ରବାର ଦିନ ପଦ୍ମାବତୀ ପ୍ରଧାନ ନାମକ ଜଣେ ବିଧବାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ କୌଣସିମତେ କାଳୀପେନୁ ନଈ ପାର କରି ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା। ପଦ୍ମାବତୀ ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀ ହୋଇଥିବାରୁ ତାଙ୍କ ଶବ ସତ୍କାର ପାଇଁ ପ୍ଲାଇଉଡ୍ରେ ଏକ କଫିନ୍ ପ୍ରସ୍ତୁତ କରାଯାଇଥିଲା। ଉକ୍ତ କଫିନ୍କୁ କିଛି ଲୋକ ନେଇ ନଈ ପାର ହେଉଥିଲେ। କଫିନ୍ ଧରିବା କଷ୍ଟସାଧ୍ୟ ହେବାରୁ ଏହାକୁ ତାରରେ ଝୁଲାଯାଇଥିଲା। ନଈ ମଝିରେ ତାରଟି ଛିଣ୍ଡିଯିବାରୁ କଫିନ୍ ଭାସି ପଳାଇଥିଲେ। ପୁଣି ପରିବାର ଲୋକେ ବହୁ କଷ୍ଟରେ କଫିନ୍କୁ ଉଦ୍ଧାର କରି ଅନ୍ତିମ ସତ୍କାର କରିଥିବା ମୃତକଙ୍କ ପୁଅ ସାମସନ ପ୍ରଧାନ କହିଛନ୍ତି।
ଏହି ପଞ୍ଚାୟତ ଅଧୀନରେ ବାଗାଡ଼ି, ବୁଡ଼ାଲି ଓ ଡାକାଲି ଆଦି ଗ୍ରାମରେ ୯୦ରୁ ଅଧିକ ପରିବାର ରହୁଛନ୍ତି। କାଳୀପେନୁ ନଈ ପାର ହୋଇ ସେମାନେ ବ୍ଲକ୍ ଓ ପଞ୍ଚାୟତ ସଦର ମହକୁମାକୁ ଯାତାୟାତ କରିଥାନ୍ତି। ପୋଲ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ଜନପ୍ରତିନିଧି ସମସ୍ତଙ୍କୁ ବାରମ୍ୱାର ଗୁହାରି କଲେ ବି କେବଳ ପ୍ରତିଶ୍ରୁତି ଛଡ଼ା ଆଉ କିଛି ମିଳୁନି ବୋଲି ଗ୍ରାମବାସୀ କହିଛନ୍ତି।
[ad_2]




