ଆଜି ପୁଣି ୨ କୁଖ୍ୟାତ ମାଓବାଦୀଙ୍କ ଆତ୍ମସମର୍ପଣ, ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ ଡିଜିପିଙ୍କ ଆହ୍ୱାନ

IBNଓଡିଶା(ବ୍ୟୁରୋ):ଭୁବନେଶ୍ୱର//ଆଜି ପୁଣି ଆତ୍ମସମର୍ପଣ କରିଛନ୍ତି ଦୁଇ କୁଖ୍ୟାତ ମାଓବାଦୀ । ମାଲକାନଗିରିର କାନା ମାଡ଼ି ଓ ଲାକେ ପୁନେମ ନାମକ ଦୁଇ ମାଓବାଦୀ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି । ଏହି ଦୁଇ ମାଓବାଦୀ ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏନେଇ ଡିଜିପି ଶ୍ରୀ ଅଭୟ ସୂଚନା ଦେଇଛନ୍ତି । ଏହାସହ ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅନ୍ୟ ମାଓବାଦୀଙ୍କୁ ମଧ୍ୟ ଆହ୍ୱାଦ ଦେଇଛନ୍ତି ଡିଜିପି ।ଜୁଲାଇ ୧୦ ତାରିଖ ଦିନ ୫ଟି ଜିଲ୍ଲା ମାଓବାଦୀ ମୁକ୍ତ ହୋଇଥିବା ନେଇ ସୂଚନା ଦେଇଥିଲେ ଶ୍ରୀ ଅଭୟ । ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଓ ନୟାଗଡ଼, ୨ ବର୍ଷ ଧରି ଏହି ୫ ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ନାହିଁ ।
୨ ବର୍ଷରେ ଏହି ୫ ଜିଲ୍ଲାରେ ପୋଲିସ-ନକ୍ସଲ ଗୁଳିବିନିମୟ ହୋଇନି । ରାଜ୍ୟରେ ଏବେ ଅଧିକ ମାଓବାଦୀ ଆତ୍ମସମର୍ପଣ କରୁଛନ୍ତି । ମାଓବାଦୀମାନଙ୍କ ଆତ୍ମସମର୍ପଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ୨୦୧୯ରେ ମୋଟ ୧୩ ଜଣ ଆତ୍ମସମର୍ପଣ କରିଥିଲେ ।
ଚଳିତବର୍ଷ ଜୁଲାଇ ସୁଦ୍ଧା ୧୭ ଜଣ ମାଓବାଦୀ ହିଂସା ଛାଡି ସମାଜରେ ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ନେଇ ଡିଜିପି ସୂଚନା ଦେଇଥିବା ବେଳେ ପୁଣି ଆଜି ମାଲକାନଗିରିର ଦୁଇ କୁଖ୍ୟାତ ମାଓବାଦୀ ସମର୍ପଣ କରିବା ଓଡ଼ିଶା ପୋଲିସ ପାଇଁ ସଫଳତା ଆଣିଦେଇଛି