ଟାଙ୍ଗିଆରେ ହାଣି ଅଭିଯୁକ୍ତ ଫେରାର, ଜଣେ ମୃତ

IBN ଓଡିଶା(ବ୍ୟୁରୋ):-ବଲାଙ୍ଗିର: ବଲାଙ୍ଗିର ଜ଼ିଲ୍ଲା ସଦରଥାନା ଅଧୀନସ୍ଥ ଖୁଜେନପାଲି ଗ୍ରାମ ପଂଚାୟତ ଅର୍ନ୍ତଗତ ମାକଡଚୁଆଁ ଗ୍ରାମରେ ଟାଙ୍ଗିଆରେ ହାଣି ଜଣକୁ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମ ପୋଖରୀକୁ ଗାଧୋଇବା ପାଇଁ ଯାଉଥିବା ସମୟରେ ବୈକୁଣ୍ଠ ସୁନାଙ୍କୁ ପଛପଟୁ ଟାଙ୍ଗିଆରେ ଅତର୍କିତ ଭାବେ ପିକ ବାଗ ନାମକ ଜଣେ ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ । ଅଭିଯୁକ୍ତ ଜଣଙ୍କ ଫେରାର ଥିବାବେଳେ ଗୁରୁତର ଅଵସ୍ଥାରେ ପଡିରହିଥିବା ବୈକୁଣ୍ଠଙ୍କୁ ପରିବାର ଲୋକେ ଖୁଜେନପାଲି ସରପଞ୍ଚଙ୍କ ସହାୟତାରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆଣୁଥିଲେ । ରାସ୍ତାରେ ବୈକୁଣ୍ଠଙ୍କ ଜୀବନ ଚାଲିଯାଇଥିଲା ।
ସୂଚନାନୁସାରେ, ତିନି ଦିନ ତଳେ ଏକ ବାହାଘର ସମୟରେ ମୃତ ବୈକୁଣ୍ଠ ଏବଂ ଅଭିଯୁକ୍ତ ସଂଜୀବଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା । ତେଣୁ ଉକ୍ତ ବିଷୟକୁ କେନ୍ଦ୍ର କରି ସଂଜୀବ ହତ୍ୟାକାଣ୍ଡ ଘଟାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଅନ୍ୟପଟେ ବଲାଙ୍ଗୀର ସଦର ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଦେବା ସହିତ ଘଟଣାର ଅଧିକ ତଦନ୍ତ ଜାରୀ ରଖିଛି ।




