ରାଜ୍ୟ

Low Pressure: ପଶ୍ଚିମ ମୁହାଁ ଲଘୁଚାପ, ବରଗଡ଼କୁ ରେଡ୍ ୱାର୍ଣ୍ଣିଂ

ପଶ୍ଚିମ ମୁହାଁ ଲଘୁଚାପ । ବରଗଡ଼କୁ ରେଡ୍ ୱାର୍ଣ୍ଣିଂ । ୨୦ ସେମିରୁ ଅଧିକ ବର୍ଷା ଆଶଙ୍କା କରାଯାଉଛି । ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପ୍ରକୋପ । ବିଶେଷକରି ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି । ବରଗଡ଼ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଏବଂ ଗୋଟିଏ ଦୁଇଟି ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ । ଏହି ରେଡ୍ ୱାର୍ଣ୍ଣିଂ ସୋମବାର ଅଗଷ୍ଟ ୩୧ ସକାଳ ସାଢ଼େ ୮ଟାରୁ ମଙ୍ଗଳବାର ସେପ୍ଟେମ୍ବର ୧ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ରହିଥିବା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି ।

ଏହା ସହ ସକ୍ରିୟ ମୌସୁମୀ ନିମ୍ନଚାପ ରେଖା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ବରଗଡ଼ରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ଗୋଟିଏ ଦୁଇଟି ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ । ଏହି କାରଣରୁ ବରଗଡ଼କୁ ତୁରନ୍ତ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି । ଅତ୍ୟଧିକ ବର୍ଷା ହେଲେ ତଳିଆ ଅଞ୍ଚଳରେ ପାଣି ଜମିବା, ଆକସ୍ମିକ ବନ୍ୟା ଭଳି ସ୍ଥିତି ସୃଷ୍ଟି ହେବା ସହ ରାସ୍ତା ଓ ରେଳ ଯାତାୟାତ ପ୍ରଭାବିତ ହୋଇପାରେ । ବରଗଡ଼ ସହ ଏହାର ଆଖପାଖ ଜିଲ୍ଲାଗୁଡ଼ିକୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି ।

ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ରହିଛି । ଏହି ଜିଲ୍ଲାଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, ନବରଙ୍ଗପୁର ଏବଂ ରାୟଗଡ଼ାରେ ଗୋଟିଏ ଦୁଇଟି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ରହିଛି । କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, କୋରାପୁଟ ଓ ମାଲକାନଗିରି ସମେତ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା କିମ୍ବା ଘଡ଼ଘଡ଼ିର ସମ୍ଭାବନାକୁ ନେଇ ନଜର ରଖାଯାଇଛି । କେବଳ ବର୍ଷା ନୁହେଁ, ରାଜ୍ୟର ବଡ଼ ଅଂଶରେ ବଜ୍ରପାତ ସହ ଘଡ଼ଘଡ଼ି ହୋଇପାରେ । ରେଡ୍ ଏବଂ ଅରେଞ୍ଜ ୱାର୍ଣ୍ଣିଂ ଥିବା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ଝଟକା ପବନ ବହିପାରେ ।

ଅନ୍ୟପଟେ ଉପକୂଳ ସମେତ ରାଜ୍ୟର ଅନେକ ଜିଲ୍ଲାରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଓଡ଼ିଶା ଉପକୂଳ ଏବଂ ଏହାର ସଂଲଗ୍ନ ସମୁଦ୍ର ଅଞ୍ଚଳରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତରୁ ଅତ୍ୟନ୍ତ ଅଶାନ୍ତ ରହିପାରେ। ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୬୦ କିଲୋମିଟର ଛୁଇଁପାରେ। ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ବନ୍ଦରଗୁଡ଼ିକରେ ସ୍ଥାନୀୟ ସତର୍କ ସଙ୍କେତ ନମ୍ବର-୩ ଜାରି ରହିଛି। ଲଘୁଚାପ ପଶ୍ଚିମ ମୁହାଁ ହେଉଥିବାରୁ ବରଗଡ଼ ସମେତ ପଶ୍ଚିମ ଓଡ଼ିଶାର ଅନେକ ଅଞ୍ଚଳରେ ଅତ୍ୟଧିକ ବର୍ଷା ଜନିତ ସମସ୍ୟା ଦେଖାଦେଇପାରେ। ତଳିଆ ଅଞ୍ଚଳ ଜଳମଗ୍ନ ହେବା, ଡ୍ରେନ୍ ଉଛୁଳିବା, ଆକସ୍ମିକ ବନ୍ୟା ଏବଂ ରାସ୍ତା ଓ ରେଳ ଯୋଗାଯୋଗରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି। ଘଡ଼ଘଡ଼ି ଓ ବଜ୍ରପାତ ସମୟରେ ଲୋକଙ୍କୁ ଘର ଭିତରେ ରହିବା, ଗଛ ତଳେ ଆଶ୍ରୟ ନନେବା ଏବଂ ସ୍ଥାନୀୟ ପ୍ରଶାସନର ପରାମର୍ଶ ପାଳନ କରିବାକୁ କୁହାଯାଇଛି। ଚାଷଜମିରେ ପାଣି ଜମିଥିଲେ ସମ୍ଭବ ହେଲେ ତାହାକୁ ନିଷ୍କାସନ କରିବା ଏବଂ ଅମଳ ହୋଇଥିବା ଫସଲକୁ ବର୍ଷାରୁ ସୁରକ୍ଷିତ ରଖିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି। ଲଘୁଚାପ ପ୍ରଭାବରେ ସେପ୍ଟେମ୍ବର ପ୍ରଥମ ଭାଗ ପର୍ଯ୍ୟନ୍ତ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ଜାରି ରହିପାରେ। ତେବେ ମଙ୍ଗଳବାର ସକାଳ ପରେ ବର୍ଷାର ତୀବ୍ରତା କିଛିଟା କମିବାର ସମ୍ଭାବନା ରହିଛି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button