ରାଜ୍ୟ

‘ବେଦାନ୍ତ ନେଇଥିବା ଜମି ତୁରନ୍ତ ଫେରାଅ’ – Ibnodisha

[ad_1]

ଅନୁଗୁଳ: ବେଦାନ୍ତ ପାଇଁ ରାଜ୍ୟ ସରକାର ଶାଗମାଛ ଦରରେ ଜଗନ୍ନାଥଙ୍କ ଅମୃତ‌ମଣୋହି ଓ ଚାଷୀଙ୍କ ଜମି ବେଆଇନ୍‌ ଭାବେ ଟେକି ଦେଇଥିଲେ। ସୁପ୍ରିମ‌କୋର୍ଟରେ ପ୍ରମାଣିତ ହେବା ପରେ ବିଜେଡି ଓ ବିଜେପିର ଅସଲ ମୁଖା ଖୋଲି ଯାଇଛି। ବେଦାନ୍ତ ବିଶ୍ବ ବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତିର ଆବାହକ ତଥ‌ା ପୁରୀର ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ଏକଥା କହିଛନ୍ତି। ବେଦାନ୍ତର ସ୍ବାର୍ଥ ପାଇଁ ସରକାର ଯେଉଁସବୁ ବେଆଇନ୍‌ କାମ କରିଥିଲେ ତାର ତାଲିକା ସହିତ ବେଦାନ୍ତ ନେଇଥିବା ଜମି ତୁରନ୍ତ ଲୋକଙ୍କୁ ଫେରାଇବାକୁ ଦାବି କରିଛନ୍ତି।ଅନୁଗୁଳର ଖଣି ଓ ଶିଳ୍ପ ପ୍ରଭାବିତ ନାଗରିକ ମଞ୍ଚର ଆବାହିକା ସସ୍ମିତା ବେହେରା ସଭାପତିତ୍ବରେ ଟାଉନହଲରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ରଥ କହିଛନ୍ତି, କଲେଜ ମାଡ଼ି ନ ଥିବା ଅନିଲ ଅଗ୍ରୱାଲ ପୁରୀରେ ବିଶ୍ବବିଦ୍ୟାଳୟ କରିବାକୁ ହଜାର ଏକର ଜମି ନେଇଥିଲା।

ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଆଦେଶ ଆସିଥିଲେ ମଧ୍ୟ ରାଜ୍ୟ ସରକାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ଓ ଚାଷୀଙ୍କ ଜମି ଫେରସ୍ତ କରିନାହାନ୍ତି। ବିଭିନ୍ନ ବଡ଼ ବଡ଼ ଶିଳ୍ପ ସଂସ୍ଥା ପାଇଁ ନବୀନ ସରକାର ଓ ନରେନ୍ଦ୍ର ମୋଦୀ ସରକାର ସମସ୍ତ ସାମ୍ବିଧାନିକ ନୀତି ନିୟମକୁ ଉଲ୍ଲଂଘନ କରି ଗରିବ, ଦଳିତ, ଆଦିବାସୀ, ମହିଳାଙ୍କ ଚାଷ ଜମି, ଘରଡିହ ଜମି ଅଧିଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି। ଏହି ବେଆଇନ୍‌ କାମକୁ ‘ସମ୍ବାଦ’ ସାମ୍‌ନାକୁ ଆଣିବା ପରେ ରାଜ୍ୟ ସରକାର ଆକ୍ରୋଶମୂଳକ ଭାବେ ଏହାର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ହଇରାଣ କରିବାକୁ ଉଦ୍ୟମ କରିଛି। ‘ସମ୍ବାଦ କାର୍ଯ୍ୟାଳୟ ଉପରେ ଚଢ଼ଉ ହେଉଛି। ଏମିତି କରି ସରକାର ଗଣମାଧ୍ୟମର ମୁହଁ ବନ୍ଦ କରିବାକୁ ଉଦ୍ୟମ କରିଛନ୍ତି। ଅନ୍ୟ ଗଣମାଧ୍ୟମକୁ ମଧ୍ୟ ପରୋକ୍ଷରେ ଚେତାଇ ଦେଇଛନ୍ତି, ସରକାର ବିରୋଧରେ ଲାଗିଲେ ଏମିତି ଫଳ ଭୋଗିବାକୁ ପଡ଼ିବ। ଓଡ଼ିଶାର ବୌଦ୍ଧିକ ସମାଜକୁ ନଜରବନ୍ଦୀ ରଖାଯାଇଥିବା ଶ୍ରୀ ରଥ କହିଛନ୍ତି।

ସମ୍ମାନିତ ଅତିଥି ଭାବେ ବେଦାନ୍ତ ବିରୋଧୀ ନେତା ଦେବୀପ୍ରସାଦ ପୃଷ୍ଟି ଯୋଗଦେଇ କହିଥିଲେଯେ ରାଜ୍ୟର ଜମି, ଜଙ୍ଗଲ ସବୁ ଲୋକଙ୍କର। ଏହା କୌଣସି ସରକାର କିମ୍ବା ନେତାଙ୍କର ସଂପତ୍ତି ନୁହେଁ। ଜମିକୁ ବେଆଇନ୍‌ ଭାବେ କର୍ପୋରେଟ୍‌ ସଂସ୍ଥାକୁ ଟେକିଦେଲେ ଓଡ଼ିଶାବାସୀ ଛାଡ଼ିବେ ନାହିଁ। ଠିକ୍‌ ସମୟରେ ଲୋକେ ଜବାବ ଦେବେ। ଏଥିପାଇଁ ସରକାର ଓ ନେତାମାନେ ସତର୍କ ରହିବା ଦରକାର ବୋଲି ସେ କହିଥିଲେ। ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ତଥ‌ା ‘ଛାଇର ସଂପାଦକ ସତୀଶ ମିଶ୍ର ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କଂପାନି ପ୍ରୀତି ଓ ଜନମାରଣ ନୀତିର ତୀବ୍ର ସମାଲୋଚନା କରିଥିଲେ। ସରକାରଙ୍କ ଭୁଲ୍ ତ୍ରୁଟି ବାବଦରେ ଗଣମାଧ୍ୟମ ପ୍ରକାଶ କରୁଥିବାରୁ ମୋଦୀ ସରକାର ଓ ନବୀନ ସରକାର ଗଣମାଧ୍ୟମ ଉପରେ ଦମନଲୀଳା ଚଳାଇବା ଗଣତନ୍ତ୍ର ପ୍ରତି ବିପଦ ବୋଲି କହିଥିଲେ।

ସସ୍ମିତା ବେହେରା ସଭାପତି ଅଭିଭାଷଣରେ କହିଥିଲେ ଯେ ପ୍ରଦୂଷଣରେ ଅନୁଗୁଳ ଜିଲ୍ଲା ୧ ନମ୍ବର ହେବା ପ୍ରଶାସନ ଓ ସରକାରଙ୍କ କଂପାନି ପ୍ରୀତିର ପ୍ରମାଣ। ଜମିହରାଙ୍କ ପାଇଁ ନିଯୁକ୍ତି ନଥିବା ବେଳେ, କଂପାନି ଗୁଣ୍ଡା ଓ ପୁଲିସ୍ ବଳର ଆତଙ୍କରାଜ ବ୍ରିଟିଶ୍ ଅତ୍ୟାଚାରରୁ ବଳିଯାଇଛି। ଜାତୀୟ ରାଜପଥ ମରଣଯନ୍ତା ପାଲଟିଥିଲେ ମଧ୍ୟ ସରକାର ଏହାକୁ ଗୁରୁତ୍ବ ଦେଉନାହାନ୍ତି। ଖଣିଜ ପାଣ୍ଠି ଟଙ୍କା ଠିକ୍‌ ଭାବେ ଖର୍ଚ୍ଚ ହେଉନି। ଲୋକମାନେ ଜମିବାଡ଼ି ହରାଇ ବେକାର ବୁଲୁଛନ୍ତି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା, ଦିଗାମ୍ବର ଗଡ଼ନାୟକ, ବିଜୟାନନ୍ଦ ଚାଉଳିଆ, ସୁରେଶ ବେହେରା, ଶରତ ପ୍ରଧାନ, ଜୟନ୍ତ ସାହୁ, ଧର୍ମେନ୍ଦ୍ର ମିଶ୍ର, ସୁଦୀପ୍ତ ମିଶ୍ର, ତପସ୍ବିନୀ ବିଶ୍ବାଳ, କୁତାର୍ଥ ଦେହୁରୀ, ଶାନ୍ତିଲତା ବେହେରା, କୈଳାସ ପ୍ରଧାନ, ରାକେଶ ମିଶ୍ର, ରଘୁନାଥ ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଅଳକାରାଣୀ ମହାପାତ୍ର ଧନ୍ୟବାଦ ଦେଇଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button