ଶ୍ରୀମନ୍ଦିରରେ ନୀତିକାନ୍ତି ବିଳମ୍ବ: ସକାଳେ ହେଲା ରାତ୍ର ପହୁଡ଼ – Ibnodisha

[ad_1]

ପୁରୀ: ବାରମ୍ବାର ନିଷ୍ପତ୍ତି ପରେ ବି ଶ୍ରୀମନ୍ଦିରରେ ନୀତିକାନ୍ତିରେ ଶୃଙ୍ଖଳା ଆସିପାରିନି। ନୀତି ସମ୍ପୃକ୍ତ ସେବାୟତମାନେ ବାରମ୍ବାର ନୀତିକାନ୍ତିରେ ଅହେତୁକ ବିଳମ୍ବ କରୁଥିବାରୁ ମହାପ୍ରଭୁଙ୍କ ସେବାପୂଜା ପ୍ରଭାବିତ ହେଉଛି। ଯେଉଁଥିପାଇଁ ଗତକାଲିର ରାତ୍ର ପହୁଡ଼ ଆଜି ଭୋର ୫ଟା ୫ରେ ସମ୍ପନ୍ନ ହୋଇଛି। ରାତ୍ର ପହୁଡ଼ ବିଳମ୍ବ ଯୋଗୁ ଦ୍ବାରଫିଟା ନୀତି ବି ବିଳମ୍ବ ହୋଇଛି। ଭୋର ୪ଟା ବଦଳରେ ୭ଟା ୨୫ରେ ଦ୍ବାରଫିଟା ନୀତି ସମ୍ପନ୍ନ ହୋଇଛି।
ଫଳସ୍ବରୂପ ଭକ୍ତଙ୍କ ଦର୍ଶନଠାରୁ ଆରମ୍ଭ କରି ମହାପ୍ରସାଦ ବାହାରିବା, ସବୁକିଛି ବିଳମ୍ବ ହେଉଛି। ଦୈନିକ ନୀତିକାନ୍ତି ବିଳମ୍ବର ସିଧାସଳଖ ପ୍ରଭାବ କେବଳ ମହାପ୍ରଭୁଙ୍କ ନୀତିକାନ୍ତିକୁ ପ୍ରଭାବିତ କରିନି, ଭକ୍ତମାନେ ବି ଦର୍ଶନ ପାଇଁ କଲବଲ ହୋଇଛନ୍ତି। ସେପଟେ ସକାଳୁ ନୀତିକାନ୍ତି ବିଳମ୍ବ ଯୋଗୁ ଆଜି ସମସ୍ତ ନୀତିକାନ୍ତି ପ୍ରାୟ ସାଢ଼େ ୩ ଘଣ୍ଟା ବିଳମ୍ବରେ ସମ୍ପନ୍ନ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ଗଣମାଧ୍ୟମ ଆଗରେ ଏ ସମ୍ପର୍କରେ କିଛି ମୁହଁ ଖୋଲିନି। କିନ୍ତୁ ଗତକାଲିର ମହାପ୍ରଭୁଙ୍କ ଶୟନ ନୀତି ଓ ଶମ୍ଭୁ ଏକାଦଶୀ ନୀତି ଭଳି ଅଧିକ ନୀତି ଥିବାରୁ ନୀତିକାନ୍ତି ବିଳମ୍ବ ହୋଇଥିବା ସେବାୟତମାନେ ଦର୍ଶାଇଛନ୍ତି।
ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମୋଦିତ ନୀତିକାନ୍ତିର ତାଲିକା ଓ ଚିଠି ଅନୁଯାୟୀ, ପ୍ରତିଦିନ ଭୋର ୪ଟାରେ ଦ୍ବାରଫିଟା ନୀତି ହେବା କଥା। ସେହି ଅନୁସାରେ ଅନ୍ୟାନ୍ୟ ନୀତିକାନ୍ତି ପାଇଁ ସମୟ ଧାର୍ଯ୍ୟ ହୋଇଛି। କିନ୍ତୁ ପ୍ରତିଦିନ ପ୍ରାୟ ୬ଟାରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହେଉଛି। ଗତକାଲି ବି ଭୋର ୫ଟା ୫୫ରେ ଶ୍ରୀମନ୍ଦିର ଦ୍ବାରଫିଟା ନୀତି ସମ୍ପନ୍ନ ହୋଇଥିଲା। ସେହି ଅନୁସାରେ ଅନ୍ୟାନ୍ୟ ନୀତିକାନ୍ତି ବଢ଼ିଥିଲା। କିନ୍ତୁ ଭୋଗମଣ୍ଡପ ଓ ଏହା ପରବର୍ତ୍ତୀ ନୀତିକାନ୍ତି ବିଳମ୍ବ ହୋଇଥିଲା। ମଧ୍ୟାହ୍ନଧୂପ ପ୍ରାୟ ୬ଟା ୪୫ରେ ଶେଷ ହୋଇଥିଲା। ସନ୍ଧ୍ୟାଧୂପ ରାତି ୧୧ଟା ୪୫ରେ ଅନୁଷ୍ଠିତ ହୋଇଥିଲା। ରାତି ୩ଟା ୫୦ରେ ବଡ଼ସିଂହାର ବେଶ ହୋଇଥିଲା। ଆଜି ଭୋର ୪ଟା ୫୦ରେ ବଡ଼ସିଂହାର ଭୋଗ, ୫ଟାରେ ମହାପ୍ରଭୁଙ୍କ ପାର୍ଶ୍ବ ପରିବର୍ତ୍ତନ ନୀତି ଅନୁଷ୍ଠିତ ହୋଇଥିଲା। ପରେ ରାତ୍ର ପହୁଡ଼ ହୋଇଥିଲା। ଯେଉଁଥିପାଇଁ ଆଜିର ନୀତିକାନ୍ତି ବିଳମ୍ବ ହୋଇଥିଲା। ସକାଳ ୭ଟା ୨୫ରେ ଦ୍ବାରଫିଟା ପରେ ଅନ୍ୟାନ୍ୟ ନୀତି ବଢ଼ିଥିଲା। ଏଣୁ ଯେଉଁ ଭକ୍ତମାନେ ଆଜି ଭୋର୍ରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ, ସେମାନେ ଲମ୍ବାଧାଡ଼ିରେ ସିଂହଦ୍ବାରରେ ଛିଡ଼ା ହୋଇ ରହିଥିଲେ। ସକାଳ ୮ଟା ୫ରେ ମଙ୍ଗଳ ଆଳତି ପରେ ଭକ୍ତଙ୍କ ଦର୍ଶନ ସ୍ବାଭାବିକ ହୋଇଥିଲା। ନୀତିକାନ୍ତି ବିଳମ୍ବ ଥିବାରୁ ମହାପ୍ରସାଦ ବି ବାହାରିବା ବିଳମ୍ବ ହୋଇଥିଲା। ଭକ୍ତମାନେ ସନ୍ଧ୍ୟାରେ ମହାପ୍ରସାଦ ପାଇଥିଲେ। ଆଜି ମଧ୍ୟାହ୍ନଧୂପ ପୂଜା ସନ୍ଧ୍ୟା ୬ଟା ୨୦ରେ ଅନୁଷ୍ଠିତ ହୋଇଥିବାବେଳେ ଆଜି ବି ନୀତିକାନ୍ତି ବିଳମ୍ବ ହେବା ଆଶଙ୍କା ଦେଖାଦେଇଛି।
[ad_2]