ରାଜ୍ୟ

ଜୟଦେବବିହାର-ନନ୍ଦନକାନନ ରାସ୍ତା ଭିଡ଼ କମିବ କେମିତି? ଏଥର ପ୍ରସ୍ତାବରେ ୭ ଫ୍ଲାଏଓଭର – Ibnodisha

[ad_1]

ଦୁଇ କିମି ମଧ୍ୟରେ ନିର୍ମାଣ ହେବ ୪ ଫ୍ଲାଏଓଭର, ଡମଣା, ପଟିଆ ଓ ମାଗ୍‌ନାଇଟ୍‌ ଛକ କଥା ଭୁଲିଗଲେ

ଚନ୍ଦ୍ରଶେଖରପୁର: ରାଜଧାନୀର ଜନଗହଳିପୂର୍ଣ୍ଣ ଜୟଦେବ ବିହାର-ନନ୍ଦନକାନନ ରାସ୍ତାରୁ ଭିଡ଼ କମାଇବାକୁ ରାଜ୍ୟ ସରକାର ୭ ବର୍ଷ ହେଲା ନୀଳ ନକ୍ସା ବା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି। ତେବେ ସହରବାସୀଙ୍କୁ ଦେଖାଉ ଥିବା ସେ ନୀଳରଙ୍ଗର ସ୍ବପ୍ନ ଯେ କେବେ ବାସ୍ତବ ରୂପ ଧାରଣ କରିବ, ତା’କୁ ନେଇ ଘୋର ସନ୍ଦେହ। କାରଣ ସରକାର କେତେବେଳେ ବିକଳ୍ପ ରାସ୍ତା କଥା କହୁଛନ୍ତି ତ ଆଉ କେତେବେଳେ ଫ୍ଲାଏଓଭର ତିଆରି କରିବାକୁ ଚିନ୍ତା କରୁଛନ୍ତି। ମାତ୍ର ସମୟ ଯେତିକି ଆଗକୁ ଗଡ଼ୁଛି, ଭିଡ଼ କମାଇବାର ନକ୍ସା ଥରକୁ ଥର ବଦଳି ଚାଲିଛି। ଏବେ ପ୍ରସ୍ତୁତ ହୋଇଥିବା ଯୋଜନା ଅନୁଯାୟୀ ରାଜଭବନ ଛକଠାରୁ ଜୟଦେବ ବିହାର ଦେଇ ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତାରେ ୭ଟି ଫ୍ଲାଏଓଭର ନିର୍ମାଣ କରାଯିବ। ଏଥିସହ ରାଜଭବନରୁ ବାରଙ୍ଗ ଛକ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତୀକରଣ ମଧ୍ୟ ହେବ। ତେବେ ଏହା ଯେ ଚୂଡ଼ାନ୍ତ ଯୋଜନା, କହିବା କଷ୍ଟକର। ୧୫ କିମି ଏହି ରାସ୍ତାର ଭିଡ଼ କମାଇବାକୁ ବାରମ୍ବାର ନକ୍ସା ପ୍ରସ୍ତୁତ ହେଉଥିବାରୁ ଏହାର ଭବିଷ୍ୟତ ନେଇ ଆଶଙ୍କା ପ୍ରକାଶ ପାଇଛି।

ଏଥର ପ୍ରସ୍ତାବ ଅନୁଯାୟୀ ରାଜଭବନରୁ ନନ୍ଦନକାନନ ଦେଇ ବାରଙ୍ଗ ଛକ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ପ୍ରଶସ୍ତୀକରଣ କରାଯିବ। ପାୱାର ହାଉସ ଛକ, ନିକୋ ପାର୍କ ଛକ, ଜୟଦେବ ବିହାର ଛକ, ଜନତା ମଇଦାନ ଛକ, ଜାଭିଅର ଛକ, କଳିଙ୍ଗ ହସ୍ପିଟାଲ ଛକ ଓ ନନ୍ଦନକାନନ ଛକରେ ଫ୍ଲଏ ଓଭର କରିବାକୁ ପ୍ରସ୍ତାବ ରହିଥିବା ନିର୍ମାଣ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ବିଧାନସଭାରେ ଉତ୍ତର ରଖିଛନ୍ତି। ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ଉତ୍ତରକୁ ଅନୁଧ୍ୟାନ କଲେ ଜଣାପଡ଼ୁଛି ଯେ ଏଥର ମଧ୍ୟ ପ୍ରସ୍ତାବ କାର୍ଯ୍ୟକାରୀ ହୋଇ ପାରିବ ନାହିଁ। କାରଣ ଜୟଦେବ ବିହାର ଛକରୁ କଳିଙ୍ଗ ହସ୍ପିଟାଲ ଛକ ପର୍ଯ୍ୟନ୍ତ ମାତ୍ର ୨ କିମି ରାସ୍ତାରେ କିଭଳି ଭାବେ ୪ଟି ଫ୍ଲାଏ ଓଭର କରାଯିବ? ଜନତା ମଇଦାନ ଓ ଜାଭିଅର ଛକ ପାଖାପାଖି ରହିଥିବା ବେଳେ ସେଠାରେ ୨ଟି ଫ୍ଲାଏ ଓଭରର ଆବଶ୍ୟକତା କ’ଣ ରହିଛି? ଏହି ରାସ୍ତାର ଡମଣା ଛକ, ପଟିଆ ଛକ ଓ ମାଗନାଇଟ୍‌ ଛକରେ ପ୍ରବଳ ଭିଡ଼ ହେଉଥିଲେ ମଧ୍ୟ ସେଠାରେ ଫ୍ଲାଏ ଓଭର କରିବା ନେଇ କୌଣସି ପ୍ରସ୍ତାବ ନାହିଁ। ଗୋଟିଏ ପଟେ ରାସ୍ତା ସମ୍ପ୍ରସାରଣ କରିବାର ‌ପ୍ରସ୍ତାବ ତ ଅନ୍ୟପଟେ ଫ୍ଲାଏ ଓଭର ନିର୍ମାଣ। ତା’ ଭିତରେ ଏହି ରାସ୍ତାରେ ମେଟ୍ରୋ ଟ୍ରେନ୍‌ ଚଳାଇବାକୁ ମଧ୍ୟ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି ରାଜ୍ୟ ସରକାରଙ୍କ କେଉଁ ଯୋଜନାଟି ଏହି ରାସ୍ତାରେ କାର୍ଯ୍ୟକାରୀ ହେବ? ସହରବାସୀ କେଉଁଭଳି ସେବା ପାଇବେ? ଜୟଦେବ ବିହାରରେ ଏବେ ଗୋଟିଏ ଫ୍ଲାଏ ଓଭର ରହିଥିବା ବେଳେ ଆଉ ଗୋଟିଏ ଫ୍ଲାଏ ଓଭର ସହ ମେଟ୍ରୋ ଟ୍ରେନ୍‌ ପାଇଁ ଟ୍ରାକ୍‌ ପ୍ରସ୍ତୁତ କିଭଳି ହେବ- ତାହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି।

ଦୁଇ କିମି ମଧ୍ୟରେ ନିର୍ମାଣ ହେବ ୪ ଫ୍ଲାଏଓଭର
ଡମଣା, ପଟିଆ ଓ ମାଗ୍‌ନାଇଟ୍‌ ଛକ କଥା ଭୁଲିଗଲେ
ରାଜଭବନ ଛକରୁ ବାରଙ୍ଗ ଛକ ରାସ୍ତା ହେବ ପ୍ରଶସ୍ତୀକରଣ

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ୨୦୧୭ ପ୍ରଥମ ଯୋଜନା ଅନୁଯାୟୀ ଏହି ରାସ୍ତା‌ରେ ସୃଷ୍ଟି ହେଉଥିବା ଭିଡ଼ ହଟାଇବାକୁ ନାଲ୍‌କୋ ଛକ ଓ ଡମଣା ଛକରେ ଫ୍ଲାଏଓଭର୍ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ପରବର୍ତୀ ସମୟରେ ଏହି ରାସ୍ତାକୁ ୮ ଥାକିଆ କରିବାକୁ ଯୋଜନା ହେଲା। ତେବେ ତାହାକୁ ନେଇ ମଧ୍ୟ କେଁ ପଶିବାରୁ ରାତାରାତି ନିଷ୍ପତ୍ତି ବଦଳିବା ସହ କୋଟି କୋଟି ଟଙ୍କା ବ୍ୟୟବରାଦ କରି ୨ଟି ବିକଳ୍ପ ରାସ୍ତା ପାଇଁ ରାଜ୍ୟ ସରକାର ନକ୍ସା ଆଙ୍କିଲେ। ୨୦୧୮ରୁ ଆଜି ପର୍ଯ୍ୟନ୍ତ ୨ଟି ଯାକ ବିକଳ୍ପ ରାସ୍ତା ନିର୍ମାଣ ଚାଲିଛି ଯେ ସରିବାର ନାଁ ଧରୁନି। ବାମ ପାର୍ଶ୍ବ ସମାନ୍ତରାଳ ରାସ୍ତା ସାଲିଆସାହି ବସ୍ତି ନିକଟରେ ଅଟକି ରହିଛି। ୨୦୧୯ରେ ସାଧାରଣ ନିର୍ବାଚନ, ୨୦୨୨ରେ ବିଏମ୍‌ସି ନିର୍ବାଚନ ପାଇଁ ଶାସକ ଦଳ ସାଲିଆ ସାହିକୁ ଉଚ୍ଛେଦ କରି ନିଜର ଭୋଟ ବ୍ୟାଙ୍କ ଭାଙ୍ଗିବାକୁ ଚାହି ନ ଥିବାବେଳେ ୨୦୨୪ ନିର୍ବାଚନ ପୂର୍ବରୁ ମଧ୍ୟ ଏହି ରାସ୍ତା ଫିଟିବାର ସମ୍ଭାବନା ନାହିଁ। ଡାହାଣ ପାର୍ଶ୍ବ ସମାନ୍ତରାଳ ରାସ୍ତା ମଧ୍ୟ ଅତି ମନ୍ଥର ଗତିରେ ଆଗକୁ ବଢ଼ୁଥିବାରୁ ସହରବାସୀ ପୂର୍ବଭଳି ଯନ୍ତ୍ରଣାରେ ଛଟପଟ ହେବା ଏକପ୍ରକାର ଥୟ।

ପୂର୍ତ୍ତ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ସହରର ଲୋକସଂଖ୍ୟା ପ୍ରତିବର୍ଷ ବଢ଼ୁଛି। ୨୦୦୭ରେ ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ନକ୍ସା ପ୍ରସ୍ତୁତ ହୋଇଥିଲା। ଆଉ ଏବେ ଆମେ ୨୦୨୩ରେ ପହଞ୍ଚିଲେଣି। ଯେଉଁଭଳି ଭାବେ ସହରର କଳେବର ବଢ଼ୁଛି ୬ ଲେନ୍‌ ବିଶିଷ୍ଟ ରାସ୍ତା ବି କମ୍‌ ହେଉଛି। ନନ୍ଦନକାନନ ରାସ୍ତା ଦେଇ କଟକକୁ ବାଟ ଫିଟିବା ପରେ ଭୁବନେଶ୍ବର-କଟକ ମଧ୍ୟରେ ଦୂରତା କମିଛି। ତେଣୁ ଲୋକେ ଏହି ରାସ୍ତା ଦେଇ ଯିବାକୁ ପସନ୍ଦ କରୁଛନ୍ତି। ତେଣୁ ଆସନ୍ତା ୧୦ରୁ ୧୫ ବର୍ଷ ଭିତରେ ଭିଡ଼ ଆହୁରି ବଢ଼ିବ। ତାହାକୁ ଆଖିରେ ରଖି ସମାନ୍ତରାଳ ରାସ୍ତା ସହ ଫ୍ଲାଏଓଭର ଓ ଜୟଦେବ ବିହାର-ନନ୍ଦନକାନନ ରାସ୍ତାକୁ ୮ ଥାକିଆ କରିବାକୁ ପ୍ରସ୍ତାବ ଦିଆଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button