ଆସାମ ବନ୍ୟା: 30ଟି ଜିଲ୍ଲାରେ 70 ଲକ୍ଷ ଲୋକ ପ୍ରଭାବିତ, ଗଲାଣି 125 ଜଣଙ୍କ ଜୀବନ
IBN ଓଡିଶା(ବ୍ୟୁରୋ)-: ମହାମାରୀ କରୋନା କାଳରେ ଦାଉ ସାଧୁଛି ପ୍ରାକୃତିକ ବିପର୍ଯ୍ୟୟ । ବୁଧବାର ଦିନ ଆସାମ ବନ୍ୟାରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟର 30 ଟି ଜିଲ୍ଲାରେ ବନ୍ୟା ଯୋଗୁଁ 70 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅନୁଯାୟୀ ବୁଧବାର ଦିନ ବାରପେଟାର ବାଗବୋରରେ ଜଣେ ଏବଂ ମରିଗାଓଁ ରାଜସ୍ୱ ସର୍କଲ ନିକଟରେ ଆଉ ଅନ୍ୟ ଜଣଙ୍କର ବନ୍ୟା ଯେଗୁଁ ମୃତ୍ୟୁ ଘଟିଛି ।
କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ରାଜ୍ୟରେ ଏପର୍ଯ୍ୟନ୍ତ 125 ଲୋକ ପ୍ରାଣ ହରାଇଛନ୍ତି। ଏଥି ସହିତ ଧାମଜୀ, ଲକ୍ଷ୍ମୀପୁର, ବିଶ୍ୱନାଥ, ଦାରାଙ୍ଗ, ବକସା, ନାଲବାରୀ, ବାରପେଟା, ଚିରଙ୍ଗ, କୋକରାଜ, ଧୁବ୍ରି, ଗୋଲପାରା ସମେତ 26 ଟି ଜିଲ୍ଲାରେ ଅବସ୍ଥା ଅତ୍ୟନ୍ତ ଖରାପ ଅଟେ। ଏଥିରେ ଗୋଲପାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି, ଯେଉଁଠାରେ 4.86 ଲକ୍ଷ ଲୋକ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି।
ବାରପେଟାରେ 3.82 ଲକ୍ଷ ଏବଂ ମୋରିଗାଓଁରେ 3.08 ଲକ୍ଷ ପ୍ରଭାବିତ ହୋଇଥିଲେ । NDRF ଏବଂ ASDRF, ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଲୋକ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ମଙ୍ଗଳବାର ଦିନ ରାଜ୍ୟର 80 ଟି ଡଙ୍ଗାରୁ 452 ଜଣ ଫସି ରହିଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। 2525 ଗାଁ ସଂପୂର୍ଣ୍ଣ ଜଳମଗ୍ନ ହୋଇଛି ଏବଂ 1.15 ହେକ୍ଟର ଫସଲ ନଷ୍ଟ ହୋଇଯାଇଛି । ରାଜ୍ୟର 20 ଟି ଜିଲ୍ଲାରେ 3928 ଟି ରିଲିଫ୍ କ୍ୟାମ୍ପ ଏବଂ ବିତରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ଯେଉଁଥିରେ 45281 ଜଣ ଲୋକ ରହିଛନ୍ତି।
ତେବେ ବ୍ରହ୍ମପୁତ୍ରର ଜଳ ସ୍ତର ବୃଦ୍ଧି ପରିସ୍ଥିତିକୁ ଆହୁରି ଖରାପ କରିବ ବୋଲି କୁହାଯାଉଛି । ଆସାମରେ ବ୍ରହ୍ମପୁତ୍ର ଏବଂ ଏହାର ଉପନଦୀଗୁଡ଼ିକର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ହେତୁ ବନ୍ୟା ପରିସ୍ଥିତି ଆହୁରି ଖରାପ ହେବ ବୋଲି ଆଶା କରାଯାଉଛି। ଅଧିକାରୀଙ୍କ ଅନୁଯାୟୀ ଗୁରୁବାର ସୁଦ୍ଧା ବ୍ରହ୍ମପୁତ୍ର ଜଳ ସ୍ତର 30 ସେମି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ନଦୀ କୂଳରେ ରହୁଥିବା ଲୋକଙ୍କ ପାଇଁ ରେଡ ଆଲର୍ଟ ଜାରି କରାଯାଇଛି।
346 କୋଟି ପ୍ୟାକେଜ୍ ଘୋଷଣା କରିଛି କେନ୍ଦ୍ର । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ଆସାମରେ ବନ୍ୟା ପରିସ୍ଥିତି ପାଇଁ କେନ୍ଦ୍ର ସରକାର 346 କୋଟି ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି। ଆହୁରି ମଧ୍ୟ ଭୁଟାନ ସହିତ ବନ୍ୟା ପରିସ୍ଥିତି ଉପରେ ଆଲୋଚନା ହେବ। ଏଥି ସହିତ ବୁଧବାର ବନ୍ୟା ସହାୟତା କାର୍ଯ୍ୟରେ ନିୟୋଜିତ ଚାରିଜଣ ଭୁଟାନ ସୈନିକଙ୍କ ମୃତ୍ୟୁରେ କେନ୍ଦ୍ର ଶୋକ ପ୍ରକାଶ କରିଛି। ଏହି ସୈନିକ ମାନେ ମାଖୋଲା ନଦୀ ପାର ହେଉଥିବାବେଳେ ଫସି ରହିଥିବା ଲୋକଙ୍କୁ ବାହାରକୁ ନେଉଥିଲେ।