ଚାଉଳ ରପ୍ତାନୀ ଉପରେ ଭାରତୀୟ କଟକଣାର ପ୍ରଭାବ; ବିଶ୍ୱ ବଜାରରେ ଚାଉଳ ମୂଲ୍ୟ ୯.୮% ବଢିଛି – Ibnodisha

[ad_1]
ପ୍ୟାରିସ: ବିଦେଶକୁ ଚାଉଳ ରପ୍ତାନୀ ଉପରେ ଭାରତ ସରକାର କଟକଣା ଲାଗୁ କରିଥିବାବେଳେ ଏହାର ପ୍ରତିକୂଳ ପ୍ରଭାବ ବିଶ୍ୱ ମାର୍କେଟରେ ପରିଲକ୍ଷିତ ହୋଇଛି । ଜାତିସଂଘ ସଂସ୍ଥା ଏଫଏଓ (ଫୁଡ୍ ଆଣ୍ଡ୍ ଅଗ୍ରିକଲଚରାଲ ଅର୍ଗାନାଇଜେସନ) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବିଶ୍ୱ ମାର୍କେଟରେ ଚାଉଳ ମୂଲ୍ୟ ୯.୮ ପ୍ରତିଶତ ବୃଦ୍ଧି ପାଇଛି । ଅଗଷ୍ଟରେ ଅନ୍ୟ ଖାଦ୍ୟ ସାମଗ୍ରୀ ମୂଲ୍ୟ ହ୍ରାସ ପାଇଥିବାବେଳେ ଚାଉଳ ମୂଲ୍ୟ ବୃଦ୍ଧି ପଛରେ ଭାରତର କଟକଣା ପ୍ରମୁଖ କାରଣ ବୋଲି ରିପୋର୍ଟରେ କୁହାଯାଇଛି । ସୂଚନାଯୋଗ୍ୟ ଦେଶରେ ଚାହିଦା ମେଣ୍ଟାଇବା ଉଦ୍ଦେଶ୍ୟରେ ଭାରତ ସରକାର ଗତ ଜୁଲାଇରେ ଅଣବାସୁମତି ଚାଉଳ ରପ୍ତାନୀକୁ ବ୍ୟାନ୍ କରିଥିବାବେଳେ ବାସୁମତି ଚାଉଳ ରପ୍ତାନୀ ଉପରେ ୪୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି । ଫଳରେ ଚାଉଳ ବ୍ୟବସାୟୀମାନେ ଏତେ ପରିମାଣର ଶୁଳ୍କ ପୈଠ କରିବା ଅପେକ୍ଷା ଘରୋଇ ମାର୍କେଟରେ ଚାଉଳ ବିକ୍ରି କରିବାକୁ ଉଚିତ ମଣୁଛନ୍ତି । ବିଶ୍ୱରେ ଚାଉଳ ଏକ ପ୍ରମୁଖ ଖାଦ୍ୟଭାବେ ପରିଗଣିତ ହୋଇଥାଏ । କୋଭିଡ୍ ପରେ ଚାଉଳ ଉତ୍ପାଦନରେ କିଛିଟା ଉନ୍ନତି ପରିଲକ୍ଷିତ ହୋଇଥିଲେ ସୁଦ୍ଧା ରୁଷ୍-ୟୁକ୍ରେନ୍ ଯୁଦ୍ଧ ଏବଂ ମୌସୁମୀ ସମ୍ପର୍କିତ ଏଲ-ନିନୋ ପ୍ରଭାବ ଯୋଗୁଁ ଉତ୍ପାଦନ ପୁଣି ବାଧାପ୍ରାପ୍ତ ହୋଇଥିବା କୁହାଯାଇଛି ।
ବିଶ୍ୱର ମୋଟ ଚାହିଦାର ୪୦ ପ୍ରତିଶତ ଚାଉଳ ଭାରତ ଯୋଗାଇଥାଏ । ତେବେ ଭାରତ ସରକାରଙ୍କ କଟକଣା ଯୋଗୁଁ ଆଫ୍ରିକୀୟ ରାଷ୍ଟ୍ର ସମେତ ତୁର୍କୀ, ସିରିୟା ଓ ପାକିସ୍ତାନ ଭଳି ଦେଶକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହି ସବୁ ରାଷ୍ଟ୍ରରେ ମୁଦ୍ରାସ୍ଫୀତି ହାର ଅତି ଉଚ୍ଚରେ ଥିବାବେଳେ ଚାଉଳ ଉତ୍ପାଦନ କ୍ଷମତା ଯଥେଷ୍ଟ କମ୍ ରହିଛି । ବିଶ୍ୱର ଚାଉଳ ଭଣ୍ଡାର କୁହାଯାଉଥିବା ଫିଲିପାଇନ୍ସରେ ମଧ୍ୟ ଅବସ୍ଥା ସଙ୍ଗୀନ ହୋଇପଡିଛି । ସବୁଠାରୁ ଅଧିକ ଚାଉଳ ରପ୍ତାନୀକାରୀ ରାଷ୍ଟ୍ରର ମାନ୍ୟତାଲାଭ କରିଥିବା ଫିଲିପାଇନ୍ସ ବର୍ତ୍ତମାନ ଭିଏତନାମରୁ ଚାଉଳ କିଣିବାକୁ ପାଞ୍ଚବର୍ଷୀୟା ରାଜିନାମା ସ୍ୱାକ୍ଷର କରିଛି । ପୂର୍ବ ସିଜିନ ତୁଳନାରେ ଚଳିତବର୍ଷ ବିଶ୍ୱରେ ମୋଟ ୧୯୮.୧ ନିୟୁତ ଟନ୍ ଚାଉଳ ଉତ୍ପାଦିତ ହେବ ବୋଲି ଏଫ୍ଏଓ ପକ୍ଷରୁ ଆକଳନ କରାଯାଇଛି । ଏଥିମଧ୍ୟରୁ କେବଳ ଭାରତ ଓ ଚୀନ୍ରେ ୭୫ ପ୍ରତିଶତ ଚାଉଳ ଉତ୍ପାଦିତ ହୋଇଥାଏ ।
ତେବେ ଏଲ୍ ନିନୋ ପ୍ରଭାବ ଯୋଗୁଁ ଏବର୍ଷ ଭାରତରେ ମୌସୁମୀ ବର୍ଷାର ଅଭାବ ପରିଲକ୍ଷିତ ହୋଇଥିବାରୁ ଏହା ଚାଉଳ ଉତ୍ପାଦନକୁ ବାଧାପ୍ରାପ୍ତ କରିବାର ଆଶଙ୍କା ଉପୁଜିଛି । ଏଫଏଓ ପକ୍ଷରୁ ବିଶ୍ୱରେ ଖାଦ୍ୟ ସୂଚକାଙ୍କ ପ୍ରସ୍ତୁତ କରାଯାଇଥାଏ । ତଦନୁଯାୟୀ ଜୁଲାଇରେ ଖାଦ୍ୟ ସୂଚକାଙ୍କ ୧୨୩.୫ ପଏଣ୍ଟ ଥିବାବେଳେ ଅଗଷ୍ଟରେ ଏହା ୧୨୧.୪ ପଏଣ୍ଟକୁ ହ୍ରାସ ପାଇଛି । ଅର୍ଥାତ୍ ଜୁଲାଇ ତୁଳନାରେ ଅଗଷ୍ଟରେ ଖାଦ୍ୟସାମଗ୍ରୀ ମୂଲ୍ୟ ହ୍ରାସ ପାଇଛି । ୟୁକ୍ରେନ୍ରୁ ଖାଦ୍ୟଶସ୍ୟ ରପ୍ତାନୀ ପାଇଁ ରୁଷ୍ ଅନୁମତି ଦେବାପରେ ଜୁଲାଇରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ୟୁକ୍ରେନ୍ର ଖାଦ୍ୟଶସ୍ୟ ବୋଝେଇ ଜାହାଜ ପହଞ୍ଚି ପାରିଥିଲା । ଫଳରେ ଅଗଷ୍ଟରେ ଚାଉଳ, ଗହମ ଓ ମକା ମୂଲ୍ୟ ହ୍ରାସ ପାଇଥିବା ଏଫଏଓ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ରୁଷ୍-ୟୁକ୍ରେନ୍ ଯୁଦ୍ଧ ଶିଥିଳ ପଡିଆସୁଥିବାରୁ ୨୦୨୪ରେ ଚାଉଳ ସମସ୍ୟାରର ସମାଧାନ ଘଟିପାରେ ବୋଲି ରିପୋର୍ଟରେ ଆଶାବ୍ୟକ୍ତ କରାଯାଇଛି ।
[ad_2]