ହସିନାଙ୍କୁ ବିଜୟ ଶୁଭେଚ୍ଛା ଜଣାଇଲେ ମୋଦୀ – Ibnodisha

[ad_1]
ନୂଆଦିଲ୍ଲୀ: ବାଂଲାଦେଶରେ ପୁଣିଥରେ ଶେଖ୍ ହସିନାଙ୍କ ନେତୃତ୍ୱାଧୀନ ଦଳ ଆୱାମୀ ଲିଗ୍ ସରକାର ଗଠନ କରିବାକୁ ଯାଉଛି । ଏହାକୁ ମିଶାଇ କ୍ରମାଗତ ୪ର୍ଥ ଥର ପାଇଁ ଦେଶରେ ଆୱାମୀ ଲିଗ୍ ସରକାର ଗଢ଼ିବ । ୨୦୦୯ ପରଠାରୁ ଶେଖ୍ ହସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ରହିଆସିଛନ୍ତି । ସେହିପରି ପୂର୍ବରୁ ଅର୍ଥାତ୍ ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ମଧ୍ୟ ଆୱାମୀ ଲିଗ୍ ସରକାର ଗଢ଼ିଥିଲା ଏବଂ ଏହି ୫ ବର୍ଷ ମଧ୍ୟ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ଶେଖ୍ ହସିନା ଦାୟିତ୍ୱ ଗ୍ରହଣ କରିଥିଲେ । ସିଧାସଳଖ ଭାବେ କହିଲେ ଶେଖ୍ ହସିନା ୫ମ ଥର ବାଂଲାଦେଶର ପ୍ରଧାନମନ୍ତ୍ରୀ ହେବାର ଏକ ବିରଳ କୃତୀତ୍ୱ ହାସଲ କରିଛନ୍ତି । ରିପୋର୍ଟ ଅନୁସାରେ ଶେଖ୍ ହସିନାଙ୍କ ଦଳ ଆୱାମୀ ଲିଗ୍ ମୋଟ୍ ୩୦୦ ଆସନ ମଧ୍ୟରୁ ୨୦୪ ଆସନରେ ବିଜୟ ହାସଲ କରିଛି ।
ସାଧାରଣ ନିର୍ବାଚନରେ ଏପ୍ରକାର ବୃହତ୍ ବିଜୟ ଉପଲକ୍ଷେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଶେଖ ହସିନାଙ୍କୁ ଫୋନ୍ ଯୋଗେ ଅଭିନନ୍ଦନ ଜଣାଇଛନ୍ତି । ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଉନ୍ନତସ୍ତରକୁ ନେବା ଦିଗରେ ଉଭୟ ନେତା କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଶେଖ ହସିନା ମଧ୍ୟ ଭାରତକୁ ଏକ ଅବିଚ୍ଛେଦ୍ୟ ବନ୍ଧୁ ବୋଲି ଅଭିହିତ କରିଛନ୍ତି । ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି, ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ସେ କଥା ହୋଇଛନ୍ତି ଏବଂ ନିର୍ବାଚନରେ ଐତିହାସିକ ବିଜୟ ପାଇଁ ସେ ହସିନାଙ୍କ ସମେତ ସମସ୍ତ ବାଂଲାଦେଶବାସୀଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି ।
ବାଂଲାଦେଶ ସହିତ ଭାରତର ସ୍ଥାୟୀ ଏବଂ ଜନକୈନ୍ଦ୍ରିକ ଭାଗିଦାରୀକୁ ଆହୁରି ମଜବୁତ୍ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି ମୋଦୀ ଉଲ୍ଲେଖ କରିଛନ୍ତି । ଢ଼ାକାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ ହସିନାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ରାଷ୍ଟ୍ରଦୂତ ପ୍ରଣୟ ବର୍ମା, ଶେଖ୍ ହସିନାଙ୍କୁ ସାକ୍ଷାତ କରିଥିଲେ ପୁଷ୍ପତୋଡା ପ୍ରଦାନ କରିଥିଲେ । ଭାରତ ବ୍ୟତୀତ ଚୀନ୍ ଏବଂ ରୁଷ୍ ମଧ୍ୟ ହସିନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
[ad_2]




