ମଣିପୁରରେ ଛାତ୍ରଛାତ୍ରୀଙ୍କୁ ହତ୍ୟା ଘଟଣା: ୬ ଜଣଙ୍କୁ ଗିରଫ କଲା ସିବିଆଇ – Ibnodisha

[ad_1]
ଇମ୍ଫାଲ : ମଣିପୁରରେ ଦୁଇଜଣ ଛାତ୍ରଛାତ୍ରୀଙ୍କୁ ହତ୍ୟା ଘଟଣାରେ ସିବିଆଇ ଆଜି ୬ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ୨ ଜଣ ନାବାଳକ ଅଛନ୍ତି । ଗିରଫ ପରେ ସିବିଆଇ ଅଧିକ ପଚରାଉଚୁରା କରିବା ଲାଗି ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଆସାମର ଗୌହାଟୀକୁ ନେଇଯାଇଛି । ୨ ନାବାଳକଙ୍କୁ ଏଠାରେ ରଖାଯାଇ ପଚରାଉଚୁରା କରାଯାଉଛି । ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ ଆଜି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଛାତ୍ର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଚୂରାଚାନ୍ଦପୁର ଜିଲ୍ଲାରୁ ଗିରଫ କରାଯାଇଛି ।
ହତ୍ୟାକାଣ୍ଡ ଭିଆଇବା ପରେ ସେମାନେ ଫେରାର ହୋଇଯାଇଥିଲେ । କିନ୍ତୁ ଆଇନର ହାତରୁ ଖସିବା ସହଜ ହୋଇନଥିଲା । ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିଷ୍ଣୁପୁର ଜିଲ୍ଲା ଅନ୍ତର୍ଗତ ଟେରା ଅଞ୍ଚଳର ମୈତେଇ ସମୁଦାୟର ୧୭ ବର୍ଷୀୟା ଛାତ୍ରୀ ହିଜାମ ଲିନଥେଇଙ୍ଗମ୍ବି ଏବଂ ୨୦ ବର୍ଷୀୟ ଛାତ୍ର ଫିଜାମ ହେମଜିତ୍ ଗତ ଜୁଲାଇ ୬ ତାରିଖରୁ ନିଖୋଜ ଥିଲେ । ତେବେ ଗତ ସେପ୍ଟେମ୍ବର ୨୩ ତାରିଖରେ ରାଜ୍ୟରୁ ଇଣ୍ଟରନେଟ ସେବା ଉପରେ ଲାଗିଥିବା କଟକଣା ହଟିବା ପରେ ୨୫ ତାରିଖରେ ଦୁଇ ଛାତ୍ରଛାତ୍ରୀଙ୍କୁ ହତ୍ୟା କରାଯିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ପ୍ରଥମ ଫଟୋରେ ସେମାନେ ଏକ ଜଙ୍ଗଲ କ୍ୟାମ୍ପ ଭଳି ଲାଗୁଥିବା ଅଞ୍ଚଳରେ ଘାସ ଉପରେ ବସିଥିବା ବେଳେ ସେମାନଙ୍କ ପଛରେ ସେନା ଯବାନଙ୍କ ଭଳି ପୋଷାକରେ ଦୁଇଜଣ ବନ୍ଧୁକଧାରୀ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଅନ୍ୟ ଏକ ଫଟୋରେ ଏକ ପଥର ନିକଟରେ ଉଭୟ ଛାତ୍ରଛାତ୍ରୀଙ୍କ ମୃତଦେହ ପଡିଥିବା ବେଳେ ସେଥିରେ ମୁଣ୍ଡ ନଥିବା ଦେଖିବାକୁ ମିଳିଥିଲା । ତେବେ ଏପର୍ଯ୍ୟନ୍ତ ଉଭୟଙ୍କ ଶବ ମିଳିପାରି ନାହିଁ । ଉଭୟଙ୍କୁ ଶେଷଥର ପାଇଁ ଜୁଲାଇ ୬ରେ ସେମାନଙ୍କ ଘର ପାଖ ଏକ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା । ଏହା ପରେ ସେମାନଙ୍କର ଆଉ କୌଣସି ପତ୍ତା ମିଳି ନଥିଲା । ସେମାନଙ୍କୁ ବିଷ୍ଣୁପୁରରୁ ଅପହରଣ କରାଯାଇ ଚୁରାଚାନ୍ଦପୁର ନିଆଯାଇଥିଲା ଓ ସେଠାରେ ହତ୍ୟା କରାଯାଇଥିଲା ।
[ad_2]