ଦେଶ

ସିକ୍କିମରେ ବାଦଲଫଟା ବର୍ଷା, ୧୪ ମୃତ; ୨୩ ଯବାନ ସମେତ ୧୨୦ ନିଖୋଜ – Ibnodisha

[ad_1]

ଗ୍ୟାଙ୍ଗଟକ୍‌: ସିକ୍କିମରେ ମଙ୍ଗଳବାର ରାତିରେ ବାଦଲଫଟା ବର୍ଷା ଯୋଗୁଁ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତିସ୍ତା ନଦୀର ଜଳସ୍ତର ଅତ୍ୟଧିକଭାବେ ବୃଦ୍ଧି ପାଇଥିବାରୁ ଲୋନାକ୍ ହ୍ରଦ ନିକଟରେ ବନ୍ୟା ଦେଖାଦେଇଛି । ଏଥିରେ ୧୪ ଜଣ ପ୍ରାଣ ହରାଇଥିବାବେଳେ ୨୩ ଯବାନଙ୍କ ସମେତ ୧୨୦ ଜଣ ନିଖୋଜ ହୋଇଥିବା ସରକାରୀଭାବେ କୁହାଯାଇଛି । ଏମାନଙ୍କୁ ଉଦ୍ଧାର କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଆରମ୍ଭ କରାଯାଇଛି । ଚୁଙ୍ଗ୍‌ଥାମ୍ ଡ୍ୟାମ୍‌ରୁ ଜଳ ନିଷ୍କାସନ କରାଯିବାପରେ ତିସ୍ତା ନଦୀର ଜଳସ୍ତର ହଠାତ୍ ୨୦ ଫୁଟ ବୃଦ୍ଧି ପାଇଛି । ଲାଚେନ୍ ଅଞ୍ଚଳ ମାଟି କାଦୁଅରେ ଭର୍ତ୍ତି ହୋଇଥିବାବେଳେ ଅଧିକାଂଶ ଯାନବାହନ ପୋତି ହୋଇପଡିଥିବା ଲକ୍ଷ୍ୟ କରାଯାଇଛି । ବନ୍ୟା ଯୋଗୁଁ ଚୁଙ୍ଗ୍‌ଥାଙ୍ଗ୍‌ଠାରେ ତିସ୍ତା ଡ୍ୟାମ୍‌ର ଏକ ଅଂଶ ଭାସିଯାଇଛି ।

ଏଥିଯୋଗୁଁ ସିକ୍କିମ-ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା ୧୦ ନମ୍ବର ଜାତୀୟ ରାଜପଥ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଇଛି । ରାଜଧାନୀ ଗ୍ୟାଙ୍ଗଟକ୍ ସହ କେତେକ ସହରର ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ଗ୍ୟାଙ୍ଗଟକ୍‌, ପାକ୍‌ୟୋଙ୍ଗ୍‌, ମଙ୍ଗାନ୍‌, ନାମ୍‌ଛି, ଗ୍ୟାଲସିଂହ ଏବଂ ସୋରେଙ୍ଗ୍ ଜିଲ୍ଲାରେ ଅଧିକାଂଶ ସଡକ ଅବରୋଧ ହୋଇପଡିଛି । ତିସ୍ତା ନଦୀର ଜଳସ୍ତର ବିପଦ ସଙ୍କେତଠାରୁ ଯଥେଷ୍ଟ ଉପରେ ପ୍ରବାହିତ ହେଉଛି । ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆରଏଫ୍‌ର ୩ଟି ଟିମ୍‌କୁ ନିୟୋଜିତ କରାଯାଇଛି । ସେମାନେ ଇତିମଧ୍ୟରେ ବନ୍ୟା ଘେରରୁ ୧୭ ଜଣଙ୍କୁ ଉଦ୍ଧାର କରିଥିବା କୁହାଯାଇଛି । ରାଙ୍ଗ୍‌ପୋ ଅଞ୍ଚଳରୁ ପ୍ରାୟ ୪୦୦୦ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବାବେଳେ ସରକାରଙ୍କ ତରଫରୁ ୫ଟି ରିଲିଫ୍ କ୍ୟାମ୍ପ୍ ଖୋଲାଯାଇଛି ।

ଏଠାରେ ଆଶ୍ରୟ ନେଇଥିବା ଲୋକଙ୍କୁ ଖାଦ୍ୟପେୟ ଓ ଔଷଧପତ୍ର ଯୋଗାଇ ଦିଆଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇତିମଧ୍ୟରେ ବନ୍ୟା ପରିସ୍ଥିତି ନେଇ ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗଙ୍କ ସହ ଆଲୋଚନା କରିଛନ୍ତି । ଆକସ୍ମିକ ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ମୋଦୀ ଗଭୀର ସମବେଦନା ଜ୍ଞାପନ କରିଥିବାବେଳେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ଦୁର୍ଦ୍ଦିନରେ ସିକ୍କିମକୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ମୋଦୀ ନିର୍ଭର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାକୁ ରାଜ୍ୟବାସୀ ଏକାଠି ହେବାକୁ ସିକ୍କିମ ବିଜେପି ସଭାପତି ଦିଲିରାମ ଥାପ୍ପା ନିବେଦନ କରିଛନ୍ତି । ଜରୁରୀ କାର୍ଯ୍ୟ ନଥିଲେ ଘରୁ ନ ବାହାରିବାକୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଲାଚେନ୍ ଅଞ୍ଚଳରେ ଥିବା କେତେକ ସେନା ଶିବିର ନିଶ୍ଚିହ୍ନ ହୋଇପଡିଥିବା ଇଷ୍ଟର୍ଣ୍ଣ କମାଣ୍ଡ ପକ୍ଷରୁ କୁହାଯାଇଛି । ଆଗାମୀ ଦୁଇଦିନ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଦୁର୍ଘଟଣା ପ୍ରବଣ ଅଞ୍ଚଳ ପାଇଁ ପର୍ଯ୍ୟଟକଙ୍କ ଉପରେ କଟକଣା ଲାଗୁ କରାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button