ଏସିଆନ୍ ଗେମ୍ସ ୨୦୨୩; ଭାରତକୁ ସ୍ୱର୍ଣ୍ଣ ପଦକ – Ibnodisha

[ad_1]
ହାଙ୍ଗ୍ଝ : ଚୀନ୍ର ହାଙ୍ଗ୍ଝୁ ସହରରେ ଚାଲିଥିବା ୧୯ତମ ଏସିଆନ୍ ଗେମ୍ସର ଏକାଦଶ ଦିବସ ବୁଧବାର ଭାରତୀୟ କ୍ରୀଡ଼ା ଜଗତ ପାଇଁ ଏକ ସ୍ମରଣୀୟ ଦିନ । ବୁଧବାର ଭାରତୀୟ ଆଥ୍ଲେଟ୍ମାନେ ୩ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ୪ ବ୍ରୋଞ୍ଜ୍ ସମେତ ମୋଟ ୧୧ ପଦକ ହାସଲ କରିଛନ୍ତି । ଆଜିର ଏହି ପଦକ ବିଜୟ ବଳରେ ଚଳିତ ସଂସ୍କରଣରେ ଭାରତର ମୋଟ ପଦକ ସଂଖ୍ୟା ୮୧ରେ (୧୮ ସ୍ୱଣ୍ଣ, ୩୧ ରୌପ୍ୟ ଓ ୩୨ ବ୍ରୋଞ୍ଜ୍) ପହଞ୍ଚଛି ଏବଂ ଭାରତ ପଦକ ତାଲିକାର ଚତୁର୍ଥ ସ୍ଥାନରେ ରହିଛି । ୧୯୫୧ରୁ ଆରମ୍ଭ ହୋଇଥିବା ଏସିଆନ୍ ଗେମ୍ସରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୨୦୧୮ ଜାକର୍ତ୍ତା ସଂସ୍କରଣରେ ଥିଲା । ଏଠାରେ ଭାରତ ମୋଟ ୭୧ ପଦକ (୧୬ ସ୍ୱର୍ଣ୍ଣ, ୨୩ ରୌପ୍ୟ ଓ ୩୧ ବ୍ରୋଞ୍ଜ୍) ଜିତିଥିଲା । ଚଳିତ ସଂସ୍କରଣର ଏକାଦଶ ଦିନର ପ୍ରଥମ ପଦକ (ବ୍ରୋଞ୍ଜ୍) ୩୫ କିମି ରେସ୍ ୱାକ୍ରେ ଆସିଥିଲା । ଏହାପରେ ଆର୍ଚେରୀ ମିକ୍ସଡ୍ ଟିମ୍ ସ୍ୱର୍ଣ୍ଣ ପଦକ ଜିତିଥିଲା । ଭାରତକୁ ଦିନର ତୃତୀୟ ପଦକ ସ୍କ୍ୱାଶ୍ ଏବଂ ଚତୁର୍ଥ ପଦକ ବକ୍ସିଂରୁ ମିଳିଥିଲା । ଉଭୟ କ୍ରୀଡ଼ାରେ ବ୍ରୋଞ୍ଜ୍ ପଦକ ମିଳିଥିବା ବେଳେ ପଞ୍ଚମ ପଦକ ବକ୍ସର୍ ଲଭ୍ଲିନା ବୋରଗୋହନ୍ ପ୍ରଦାନ କରିଥିଲେ । ଦ୍ୱିତୀୟ ସ୍ୱର୍ଣ୍ଣ ପୁରୁଷ ୪ ଗୁଣନ ୪୦୦ ମିଟର ରିଲେରେ ଆସିଥିବା ବେଳେ ତୃତୀୟ ସ୍ୱର୍ଣ୍ଣ ଜାଭେଲିନ୍ରେ ନୀରଜ ଚୋପ୍ରା ଜିତିଥିଲେ । ସେହିପରି ମହିଳା ୪ ଗୁଣନ ୪୦୦ ମିଟର ରିଲେ ଦଳ ରୌପ୍ୟ ପଦକ ଜିତିଥିଲେ ।
ପୁରୁଷ ରିଲେ ଦଳକୁ ସ୍ୱର୍ଣ୍ଣ, ମହିଳା ଦଳକୁ ରୌପ୍ୟ
ଚଳିତ ଏସିଆନ୍ ଗେମ୍ସରେ ଭାରତୀୟ ଆଥ୍ଲେଟ୍ମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ବୁଧବାର ପୁରୁଷ ୪ ଗୁଣନ ୪୦୦ ମିଟର ରିଲେ ଇଭେଣ୍ଟ୍ରେ ପୁରୁଷ ଭାରତୀୟ ପୁରୁଷ ଦଳ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ମହିଳା ଦଳ ରୌପ୍ୟ ପଦକ ହାସଲ କରିଛି । ବିଥ୍ୟା ରାମରାଜ, ଐଶ୍ୱର୍ଯ୍ୟା ମିଶ୍ର, ପ୍ରାଚୀ ଓ ଶୁଭା ଭେଙ୍କଟେଶନ୍ଙ୍କ ମହିଳା ଦଳ ଫାଇନାଲ୍ରେ ପୂର୍ବ ଏସିଆନ୍ ଗେମ୍ସ ରେକର୍ଡ ସମୟ (୨୦୧୪ ଇଞ୍ଚିଅନ୍ରେ ୩:୨୮.୬୮)ରେ ସୁଧାର କରିବା ସତ୍ତ୍ୱେ ଦ୍ୱିତୀୟ ସ୍ଥାନରେ ରହିଥିଲା । ବାହାରିନ୍ ୩:୨୭.୬୫ ସେକେଣ୍ଡ୍ ସମୟ ସହ ନୂଆ ରେକର୍ଡ ସ୍ଥାପନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ଶ୍ରୀଲଙ୍କା ଦଳ ବ୍ରୋଞ୍ଜ୍ ପଦକ ଜିତିଥିଲା । ଏହାପରେ ଅନୁଷ୍ଠିତ ପରେ ପୁରୁଷ ୪ ଗୁଣନ ୪୦୦ମି. ରିଲେରେ ଅନସ ମହମ୍ମଦ ୟାହିୟା, ଅମୋଜ ଜାକବ, ମହମ୍ମଦ ଅଜମଲ ଭାରିଆଥୋଡି ଓ ରାଜେଶ ରମେଶଙ୍କ ଦଳି ଜାତୀୟ ରେକର୍ଡ ଭାଙ୍ଗି ଚଳିତ ଏସିଆନ୍ ଗେମ୍ସରେ ଭାରତ ପାଇଁ ୧୮ତମ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଭାରତୀୟ ଦଳ ୩ ମିନିଟ୍ ୧.୫୮ ସେକେଣ୍ଡ୍ ସମୟ ନେଇଥିଲା । କତାର ୩:୦୨.୦୫ ସେକେଣ୍ଡ ସମୟ ସହ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଶ୍ରୀଲଙ୍କା ୩ ମିନିଟ୍ ୨ ମିନିଟ୍ ୫୫ ସେକେଣ୍ଡ୍ ସମୟ ସହ ନିଜର ଜାତୀୟ ରେକର୍ଡ ଭଙ୍ଗକରି ବ୍ରୋଞ୍ଜ୍ ପଦକ ଜିତିଥିଲା । ଲେନ୍ ଉଲ୍ଲଙ୍ଘନ ଯୋଗୁଁ ଇରାକ୍ ଦଳ ଏହି ପ୍ରତିଯୋଗିତାରେ ଅଯୋଗ୍ୟ ଘୋଷିତ ହୋଇଥିଲା । ପୂର୍ବରୁ ଭାରତ ୪ ଗୁଣନ ୪୦୦ମି. ମିକ୍ସଡ୍ ରିଲେରେ ରୌପ୍ୟ ପଦକ ଜିତିଥିଲା । ମହମ୍ମଦ ଅଜମଲ, ଭିଥ୍ୟ।। ରାମରାଜ, ରାଜେଶ ରମେଶ ଏବଂ ସୁଭା ଭେଙ୍କଟେଶନ୍ଙ୍କୁ ନେଇ ଗଠିତ ଭାରତୀୟ ଦଳ ୩:୧୪.୩୪ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନରେ ରହିଥିଲା ।
ଆର୍ଚେରୀରେ ଓଜସ୍ ଓ ଜ୍ୟୋତି ସୁରେଖା ଯୋଡ଼ିକୁ ସ୍ୱର୍ଣ୍ଣ
ଶୀର୍ଷ ମାନ୍ୟତାପ୍ରାପ୍ତ ଓଜସ୍ ଦେଓତାଲେ ଓ ଜ୍ୟୋତି ସୁରେଖା ଭେନମ୍ଙ୍କ ଭାରତୀୟ ଆର୍ଚେରୀ ଯୋଡ଼ି ଚଳିତ ଏସିଆନ୍ ଗେମ୍ସରେ ଚମତ୍କାର ଆତ୍ମବିଶ୍ୱାସ ଓ ନିଖୁଣ ପ୍ରଦର୍ଶନ କରି ବୁଧବାର ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ବୁଧବାର ଅନୁଷ୍ଠିତ ଫାଇନାଲ୍ରେ ଭାରତୀୟ ଯୋଡ଼ି ନିଜର ଆଧିପତ୍ୟ ଜାହିର କରି ଦକ୍ଷିଣ କୋରିଆ ପ୍ରତିପକ୍ଷଙ୍କୁ ମାତ୍ର ଗୋଟିଏ ପଏଣ୍ଟ୍ରେ ହରାଇ ୧୫୯-୧୫୮ରେ ବିଜୟ ହାସଲ କରିଛନ୍ତି । ଏହି ସ୍ୱର୍ଣ୍ଣ ପଦକ ବିଜୟ ଏସିଆନ୍ ଗେମ୍ସରେ ଭାରତୀୟ ଆର୍ଚର୍ଙ୍କ ଉଲ୍ଲେଖନୀୟ ସଫଳତାକୁ ପ୍ରଦର୍ଶିତ କରିଛି । ଏହି ଦୁଇ ସ୍ୱର୍ଣ୍ଣ ପଦକକୁ ମିଶାଇ ଭାରତୀୟ ଆର୍ଚର୍ମାନେ ଚଳିତ ଟୁର୍ଣ୍ଣାମେଣ୍ଟ୍ରେ ମୋଟ ଚାରିଟି ପଦକ ହାସଲ କରିଛନ୍ତି, ଯାହା ୨୦୧୪ ଇଞ୍ଜିଅନ୍ ଗେମ୍ସରେ ସେମାନଙ୍କ ପୂର୍ବ ଶ୍ରେଷ୍ଠ ପ୍ରଦର୍ଶନକୁ ଅତିକ୍ରମ କରିଛି । ଇଞ୍ଚିଅନ୍ ଏସିଆନ୍ ଗେମ୍ସରେ ଭାରତୀ ଆର୍ଚର୍ମାନେ ପୁରୁଷ କମ୍ପାଉଣ୍ଡ୍ ଟିମ୍ ଇଭେଣ୍ଟ୍ରେ ସ୍ୱର୍ଣ୍ଣ ସହିତ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ୍ ପଦକ ଜିତିଥିଲେ । ଚଳିତ ଟୁର୍ଣ୍ଣାମେଣ୍ଟ୍ରେ ଭାରତୀୟ ଯୋଡ଼ି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ମ୍ୟାଲେସୀୟ ପ୍ରତିପକ୍ଷଙ୍କୁ ୧୫୮-୧୫୫ରେ ହରାଇ ସେମିଫାଇନାଲ୍ରେ ପ୍ରବେଶ କରିଥିଲା । କଜାଖ୍ସ୍ତାନ ବିପକ୍ଷ ସେମିଫାଇନାଲ୍ରେ ଅସାଧାରଣ ପ୍ରଦର୍ଶନ କରି ମାତ୍ର ଗୋଟିଏ ‘୯’ ପଏଣ୍ଟ୍ ବ୍ୟତୀତ ଅନ୍ୟ ସମସ୍ତ ଶଟ୍ରେ ପୂରା ୧୦ ପଏଣ୍ଟ୍ ଲେଖାଏଁ ହାସଲ କରି ଫାଇନାଲ୍ ସ୍ଥାନ ପକ୍କା କରିଥିଲେ ।
୧୩ ବର୍ଷ ପରେ ଗ୍ରୀକୋ ରୋମାନ୍ରେ ପଦକ ଦେଲେ ସୁନୀଲ୍ କୁମାର
ଭାରତୀୟ ରେସ୍ଲର୍ ସୁନୀଲ୍ କୁମାର ୧୩ ବର୍ଷ ପରେ ଗ୍ରୀକୋ ରୋମାନ୍ରେ ଭାରତକୁ ପ୍ରଥମ ଏସିଆନ୍ ଗେମ୍ସ ପଦକ ଦେଇଛନ୍ତି । ବୁଧବାର ୮୭ କିଗ୍ରା ବର୍ଗରେ ସୁନୀଲ୍ କୁମାର ବ୍ରୋଞ୍ଜ୍ ପଦକ ଜିତିଛନ୍ତି । ବ୍ରୋଞ୍ଜ୍ ପଦକ ମ୍ୟାଚ୍ରେ ସୁନୀଲ୍ କିର୍ଗିଜସ୍ତାନ ରେସ୍ଲର୍ ଆଟାବେକ୍ ଅଜିସ୍ୱେକୋଭ୍ଙ୍କୁ ୨-୧ରେ ହରାଇ ଦେଇଛନ୍ତି । ସୁନୀଲ୍ ଚୀନ୍ର ଫେଇ ପିଙ୍ଗ୍ର ୪-୩ରେ ହରାଇ ଟୁର୍ଣ୍ଣାମେଣ୍ଟ୍ରେ ଅଭିଯାନ ଆରମ୍ଭ କରିଥିଲେ ଏବଂ ପରେ ତାଜିକିସ୍ତାନର ସୁଖ୍ରୋଭ୍ ଅବ୍ଦୁଲାଖାଏଭ୍ଙ୍କୁ ହରାଇ ସେମିରେ ପ୍ରବେଶ କରିଥିଲେ । ତେବେ ୨୦୨୦ ଏସୀୟା ଚାମ୍ପିଅନ୍ ଇରାନ୍ର ନାସେର୍ ଅଳିଜାଦେହଙ୍କଠାରୁ ୧-୪ରେ ହାରି ସ୍ୱର୍ଣ୍ଣ ପଦକ ଦୌଡ଼ରୁ ବାଦ୍ ପଡ଼ିଥିଲେ । ଏହା ପୂର୍ବରୁ ୨୦୧୦ ଗୁଆଙ୍ଗ୍ଝୁ ସଂସ୍କରଣରେ ଭାରତ ପାଇଁ ରବିନ୍ଦର ସିଂହ (୬୦ କିଗ୍ରା) ଏବଂ ସୁନୀଲ୍ କୁମାର ରାଣା (୬୬ କିଗ୍ରା) ଗ୍ରୀକୋ ରୋମାନ୍ରେ ବ୍ରୋଞ୍ଜ୍ ପଦକ ଜିତିଥିଲେ । ଅନ୍ୟ ଭାରତୀୟ ଗ୍ରୀକୋ ରୋମାନ୍ ରେସ୍ଲର୍ଙ୍କ ମଧ୍ୟରୁ ଜ୍ଞାନେନ୍ଦର (୬୦ କିଗ୍ରା), ନୀରଜ (୬୭ କିଗ୍ରା) ଓ ବିକାଶ (୭୭ କିଗ୍ରା) ପ୍ରଥମରୁ ହିଁ ପରାଜିତ ହୋଇଥିଲେ । ସେହିପରି ନରିନ୍ଦର ଚିମା (୯୭ କିଗ୍ରା) ଓ ନବୀ (୧୩୦ କିଗ୍ରା) ଗୁରୁବାର ସେମାନଙ୍କ ଚ୍ୟାଲେଞ୍ଜ୍ ଉପସ୍ଥାପନ କରିବେ । ମହିଳା ପ୍ରତିଯୋଗିତା ଗୁରୁବାରରୁ ଆରମ୍ଭ ହେବାକୁ ଥିବା ବେଳେ ଯୁବ ରେସ୍ଲର୍ ତଥା ଦୁଇଥରର ବିଶ୍ୱ ଚାମ୍ପିଅନ୍ ଅମିତ୍ ପଙ୍ଘାଲ୍ (୫୩ କିଗ୍ରା)ଙ୍କ ସହିତ ପ୍ରତିଭାବାନ ପୂଜା ଗେହଲଟ୍ (୫୦ କିଗ୍ରା) ଓ ମାନସୀ ଅହଲାବତ୍ (୫୭ କିଗ୍ରା) ଗୁରୁବାରରୁ ସେମାନଙ୍କ ଅଭିଯାନ ଆରମ୍ଭ କରିବେ ।
ପୁରୁଷ ୫୦୦୦ ମିଟରରେ ଅବିନାଶଙ୍କୁ ରୌପ୍ୟ
ଭାରତର ଦୂରଗାମୀ ଧାବକ ଅବିନାଶ ସାବ୍ଲେ ଚମତ୍କାର ପ୍ରଦର୍ଶନ ଜାରିରଖି ବୁଧବାର ଚଳିତ ଏସିଆନ୍ ଗେମ୍ସରେ ପୁରୁଷ ୫୦୦୦ମି. ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି । ୨୯ ବର୍ଷୀୟ ଭାରତୀୟ ୧୩:୨୧.୦୯ ସେକେଣ୍ଡ୍ ସମୟ ନେଇ ଏକ ଦର୍ଶନୀୟ ଦୌଡ଼ରେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ବାହାରିନ୍ର ବିରହାନୁ ୟେମାତାଓ ବେଲେଉ ୧୩:୧୭:୪୦ ସେକେଣ୍ଡ୍ ସହ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ତାଙ୍କ ସାଥୀ ଦାଭିତ ଫିକାଡୁ ଆଡମାସୁ ୧୩:୨୫.୬୩ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ୍ ପଦକ ଜିତିଥିଲେ । ଏହି ବିଜୟ ସହିତ ସାବ୍ଲେ ତାଙ୍କ ୩୦୦୦ମି. ଷ୍ଟିପଲ୍ଚେଜ୍ ସ୍ୱର୍ଣ୍ଣରେ ଆଉ ଏକ ପଦକ ଯୋଡ଼ିଛନ୍ତି, ଯାହା ସେ ଗତ ସପ୍ତାହରେ ଜିତିଥିଲେ । ଗୁଲବୀର ସିଂହ ୧୩:୨୯.୯୩ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରୟାସ ସତ୍ତ୍ୱେ ପଦକରୁ ବଞ୍ଚିତ ହୋଇ ଚତୁର୍ଥ ସ୍ଥାନରେ ରହିଥିଲେ ।
ବକ୍ସିଂ: ଲଭ୍ଲିନାଙ୍କୁ ରୌପ୍ୟ, ପରବିନ୍ଙ୍କୁ ବ୍ରୋଞ୍ଜ୍
ଚଳିତ ଏସିଆନ୍ ଗେମ୍ସରେ ଭାରତୀୟ ବକ୍ସର୍ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ବୁଧବାର ମହିଳା ୭୫ କିଗ୍ରା ବର୍ଗରେ ବିଶ୍ୱ ତଥା ଏସୀୟ ଚାମ୍ପିଅନ୍ ଲଭ୍ଲିନା ବୋର୍ଗୋହେନ୍ ରୌପ୍ୟ ପଦକ ଜିତିଛନ୍ତି । ପୂରା ଟୁର୍ଣ୍ଣାମେଣ୍ଟ୍ରେ ଉନ୍ନତ ଫର୍ମରେ ଥିବା ଲଭ୍ଲିନା ଏକତରଫା ଫାଇନାଲ୍ରେ ଘରୋଇ ଫେଭରିଟ୍ ଲି ଜିଆନ୍ଙ୍କ ନିକଟରୁ ପରାଜିତ ହୋଇଛନ୍ତି । ଏହା ପୂର୍ବରୁ ପରବିନ୍ ହୁଡ୍ଡା ମହିଳା ୫୭ କିଗ୍ରା ବର୍ଗରେ ବ୍ରୋଞ୍ଜ୍ ପଦକ ଜିତିଥିଲେ । ୨୦୨୨ ବିଶ୍ୱ ଚାମ୍ପିଅନ୍ଶିପ୍ର ୬୩ କିଗ୍ରା ବର୍ଗରେ ବ୍ରୋଞ୍ଜ୍ ପଦକ ଜିତିଥିବା ପରବିନ୍ ବିଶ୍ୱ ଚାମ୍ପିଅନ୍ ଚୀନା ତାଇପେଇର ଲିନ୍ ୟୁ ଟିଙ୍ଗ୍ଙ୍କ ବିପକ୍ଷରେ ଚ୍ୟାଲେଞ୍ଜିଂ ମୁକାବିଲା କରିଥିଲେ । ତେବେ ପାଞ୍ଚ ଫୁଟ ସାତ ଇଞ୍ଚ୍ର ପରବିନ୍ଙ୍କୁ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ପଞ୍ଚ୍ ମାରିବା ପାଇଁ ସଂଘର୍ଷ କରିବାକୁ ପଡ଼ିଥିଲା । ନିଜ ଉଚ୍ଚତାର ଫାଇଦା ଉଠାଇ ଲିନ୍ ଚମତ୍କାର ପ୍ରଦର୍ଶନ ସହ ୫-୦ର ସର୍ବସମ୍ମତି ନିଷ୍ପତ୍ତିକ୍ରମେ ବିଜୟୀ ହୋଇଥିଲେ । ଏହା ସହିତ ଗୋଟିଏ ରୌପ୍ୟ ଏବଂ ୪ଟି ବ୍ରୋଞ୍ଜ୍ ପଦକ ଜିତି ଭାରତର ବକ୍ସିଂ ଅଭିଯାନ ଶେଷ ହୋଇଛି । ଏହା ପୂର୍ବରୁ ଦୁଇ ଥରର ବିଶ୍ୱ ଚାମ୍ପିଅନ୍ ନିଖତ୍ ଜରିନ୍ (୫୦ କିଗ୍ରା), ପ୍ରୀତି ପୱାର (୫୪ କିଗ୍ରା) ଓ ନରେନ୍ଦ୍ର ବେରୱାଲ (+୯୨କିଗ୍ରା) ବ୍ରୋଞ୍ଜ୍ ପଦକ ଜିତିଛନ୍ତି । ସମସ୍ତେ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ ମଧ୍ୟ ନିଜ ନିଜ ବର୍ଗରେ ଫାଇନାଲ୍କୁ ଉନ୍ନୀତ ହୋଇ ପାରିନଥିଲେ ।
[ad_2]




