ରାଜନୀତି

ମୋଦୀ ସରକାର ଛାନିଆ କାହିଁକି : କଂଗ୍ରେସ – Ibnodisha

[ad_1]

ଭୁବନେଶ୍ୱର : ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ତଥା ପୂର୍ବତନମନ୍ତ୍ରୀ ଶ୍ରୀ ଗଣେଶ୍ୱର ବେହେରା ବିଜେପି ଦ୍ୱାରା ରାହୁଲ ଗାନ୍ଧୀଙ୍କୁ ରାବଣ ରୂପେ ଚିତ୍ରିତ କରାଯାଇ ଯେଉଁ ପୋଷ୍ଟର ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରାଯାଇଛି ତାହାର ଦୃଢ଼ ନିନ୍ଦା କରିବା ସହ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କର ଜନପ୍ରିୟତା ଏବଂ ଗ୍ରହଣୀୟତାକୁ ବିଜେପି ଓ ମୋଦୀ ସରକାର ଭୟ କରୁଛନ୍ତି । ଏଣୁ ଜନସାଧାରଣରେ ଜନନାୟକ ରାହୁଲ ଗାନ୍ଧୀଙ୍କର ଛବିକୁ ମଳିନ କରିବା ପାଇଁ ମୋଦୀ ସରକାର ଷଡ଼ଯନ୍ତ୍ର କରୁଛି । ଏହା ଘୃଣା, ହିଂସା ଓ ଇର୍ଷାର ରାଜନୀତି ବୋଲି ଶ୍ରୀ ବେହେରା କହିଛନ୍ତି । କ୍ଷମତାର ଅହମିକା ସବୁକାଳର ସୀମା ଟିପିଛି, ତା’ ସହିତ ଅସହିଷ୍ମୁତା ମଧ୍ୟ ସବୁ କାଳର ସୀମା ଟପିଛି । ରାଜନୀତିରେ ଏବଂ ଗଣତନ୍ତ୍ରରେ ସମାଲୋଚନା କରାଯାଏ ।  ମାତ୍ର ସବୁର ଗୋଟେ ଲକ୍ଷ୍ମଣରେଖା ଥାଏ । ବିଜେପି ଏତେ ଛାନିଆ କାହିଁକି? ରାହୁଲ ଗାନ୍ଧୀଙ୍କ ପ୍ରତି ଏତେ ଭୟ କାହିଁକି?  ମୋଦୀ ସରକାର ଏତେ ଆତଙ୍କିତ କାହିଁକି? କ୍ଷମତାର ଔଦ୍ଧତ୍ୟର ଏ ହେଉଛି ଏକ ନିଛକ ପ୍ରତିଫଳନ ।

ରାହୁଲ ଗାନ୍ଧୀଙ୍କୁ ହିନ୍ଦୁ ବିରୋଧି ଭାବରେ ଆକ୍ଷେପ କରାଯାଇଛି । ଏହି କୁତ୍ସାରଟନା କେବଳ ଭୟ ଏବଂ ଆତଙ୍କିତ ପରିସ୍ଥିତିରୁ ଜନ୍ମ ନେଇଛି । ରାହୁଲ ଗାନ୍ଧୀଙ୍କୁ ଭାରତର ବିନାଶ ପାଇଁ ଉଦ୍ଧିଷ୍ଟ ବୋଲି ପ୍ରଚାର କରାଯିବା ଦୁର୍ଭାଗ୍ୟଜନକ । ଯିଏ ଭାରତକୁ ଯୋଡ଼ିବା ପାଇଁ ଭାରତ ଯୋଡ଼ ଯାତ୍ରା କରି କାଶ୍ମିର ରୁ କନ୍ୟାକୁମାର ପର୍ଯ୍ୟନ୍ତ ପ୍ରାୟ ୪ ହଜାର କିଲୋମିଟର ପଦଯାତ୍ରା କଲେ । ଜାତି, ଭାଷା, ବର୍ଣ୍ଣ ଓ ଧର୍ମ ଭିତିରେ ବିଭାଜନକୁ ସେ ବିରୋଧ କରିଥିଲେ । ସମସ୍ତଙ୍କୁ ଏକାଠି କରିବା ପାଇଁ ପ୍ରୟାସ କରୁଥିଲେ । ଯିଏ ଦେଶ ପାଇଁ ତାଙ୍କର ବାପାଙ୍କୁ, ଜେଜେମାଙ୍କୁ ହରାଇଛନ୍ତି, ତାଙ୍କୁ ଏପରି ଆକ୍ଷେପ କରିବା କେତେଦୂର ସମିଚୀନ ଏହାକୁ ସାଧାରଣ ଜନତା ବିଚାର କରିବେ । ଏହା କେବଳ ମୋଦୀ ସରକାର ଓ ବିଜେପିର ରୁଗ୍‌ଣ ମାନସିକତା । ଶ୍ରୀ ବେହେରା ରାହୁଲ ଗାନ୍ଧୀଙ୍କର ସଦ୍ୟ ପ୍ରକାଶିତ ପ୍ରବନ୍ଧ-“ସତ୍ୟମ୍ ଶିବମ୍ ସୁନ୍ଦରମ୍‌” ଉପରେ କହିଥିଲେ । ଏହି ପ୍ରବନ୍ଧରେ ରାହୁଲ ଜୀ ହିନ୍ଦୁ ଧର୍ମ କ’ଣ, ହିନ୍ଦୁ କିଏ ଓ ହିନ୍ଦୁ ଧର୍ମର ଉଦ୍ୟେଶ କ’ଣ ତାହା ଉପରେ ନିଜସ୍ୱ ମତରଖିଥିଲେ । ତାଙ୍କର ଲେଖାରୁ ହିନ୍ଦୁ ଧର୍ମପ୍ରତି ତାଙ୍କର ଶ୍ରଦ୍ଧା, ସମ୍ମାନ କେତେ ଓ ଅନୁରକ୍ତି କେତେ ତାହା ସ୍ପଷ୍ଟ ପ୍ରମାଣିତ । ରାହୁଲ ଗାନ୍ଧୀ କହିଥିଲେ ଭୟର ଗଭୀରତାକୁ ପଶିବାର କ୍ଷମତା ଯିଏ ରଖିଛି ଓ ଜୀବନ ରୂପକ ମହାସାଗରକୁ ସତ୍ୟ ଓ ନିଷ୍ଠାର ସହ ଦେଖିବାକୁ ଯିଏ ସାହାସ ରଖିଛି ସେ ହିନ୍ଦୁ । ହିନ୍ଦୁର ଚରିତ୍ର ବାବଦରେ ସେ କହିବାକୁ ଯାଇ ଉଲ୍ଲେଖ କରିଛନ୍ତି ଯେ ହିନ୍ଦୁ ସମସ୍ତଙ୍କୁ ଶ୍ରଦ୍ଧା କରେ, ସେ ସବୁ ରାସ୍ତାକୁ ଶ୍ରଦ୍ଧା କରେ, ସମସ୍ତଙ୍କୁ ଆଦର କରେ ଓ ସେମାନଙ୍କ ଉପସ୍ଥିତକୁ ନିଜର ଭାବି ସ୍ୱୀକାର କରେ । କେତେ ବିଶାଳ, କେତେ ଉଦାର, କେତେ ଗଭୀର, କେତେ ଅନୁଶୀଳନ ସାପେକ୍ଷ ରାହୁଲ ଗାନ୍ଧୀଙ୍କ ମତ ।

ଶ୍ରୀ ବେହେରା ଏଠି ପ୍ରଶ୍ନ କରିଛନ୍ତି ଯେ କିଏ ବାସ୍ତବରେ ବିଦେଶୀ ଶକ୍ତି ଦ୍ୱାରା ପରିଚାଳିତ? ଏହା ଦେଶବାସୀ ଜାଣନ୍ତି, ପ୍ରଧାନମନ୍ତ୍ରୀ ମହୋଦୟ ଚାଇନାର ରାଷ୍ଟ୍ରପତି ଜି. ଜିନ୍ ପିଙ୍ଗ୍ ଙ୍କ ସହ ୨୦ ଥର ସାକ୍ଷାତ ଆଲୋଚନା କରିଛନ୍ତି । ତା’ ମଧ୍ୟରୁ ଗୋଟିଏ ଥର ଝୁଲଣାରେ ଝୁଲି ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ ଜୁନ୍ ୧୯, ୨୦୨୦ ରେ ଚାଇନାର ଅନୁପ୍ରବେଶକୁ ଅସ୍ୱୀକାର କରି ତାଙ୍କୁ କ୍ଲିନ୍‌ଚିଟ୍ ଦେଇଛନ୍ତି, ଆଉ ଯିଏ ପିଏମ୍ କେୟାର ଫଣ୍ଡ ସୃଷ୍ଟି କରି ବହୁ ଚାଇନ୍‌ଜ୍ କମ୍ପାନୀ ଠାରୁ ଅର୍ଥ ରାଶି  ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ କାହା ଦ୍ୱାରା ପରିଚାଳିତ । ସେ ନିଜ ବିବେକ ଦ୍ୱାରା ପରିଚାଳିତ କି? ଯେଉଁମାନେ ପ୍ରତିରକ୍ଷା ବିଶେଷଜ୍ଞ, ସେମାନେ କହୁଛନ୍ତି ଭାରତର ହଜାର ହଜାର ବର୍ଗ ମାଇଲ୍ ଭୂମି ବର୍ତମାନ ଚାଇନା ଅଧିନରେ । ଭାରତ ସ୍ୱାର୍ଥ ବିରୋଧି ମୋଦୀ-ଜି.ଜିନ୍ ପିଙ୍ଗ୍ ସଂପର୍କ ବର୍ଜନୀୟ । ସଂପର୍କ ବର୍ଜନ ହେଉଛି ନା ସମ୍ପ୍ରସାରିତ ହେଉଛି । ଭାରତବାସୀ ଏହା ପ୍ରଶ୍ନ କରୁଛନ୍ତି । ଏ ସଂପର୍କରେ କାହା ସ୍ୱାର୍ଥ ବଳି ପଡ଼ୁଛି । ମାତ୍ର ବିଦେଶୀ ଶକ୍ତି ଦ୍ୱାରା ପରିଚାଳିତ ବୋଲି ରାହୁଲ ଗାନ୍ଧୀଙ୍କୁ ଦୋଷାରୋପ କରିବା ଦୁର୍ଭାଗ୍ୟନଜନକ ବୋଲି ସେ କହିଛନ୍ତି । ମୋଦୀ ଏବଂ ନଡ୍ଡା ଘୃଣା ରାଜନୀତି, ବିଦ୍ୱେଶ ରାଜନୀତି ହିଂସା ସୃଷ୍ଟି କରିବାର ଅଭିସନ୍ଧିକୁ ପ୍ରୋତ୍ସାହନ ଦେଉଛନ୍ତି ।

ଘୃଣା ରାଜନୀତି ବିଜେପିର ଅସ୍ତିମଜାଗତ । ତୁ ଯେତେ ମାଠିବୁ ମାଠ, ମୁଁ ସେହି ଦରପଡ଼ା କାଠ । ବିଜେପି ଠାରୁ ଅନ୍ୟ କିଛି ଆଶା କରିବା ବୃଥା । ସଦ୍ୟ ସମାପିତ ଲୋକସଭାରେ ଯେଭଳି ଭାବରେ ବହୁୂଜନ ସମାଜବାଦୀ ପାର୍ଟିର ଏମ୍‌.ପି. ଶ୍ରୀଯୁକ୍ତ ଅନୁୱାର ତାଲିସ୍ ଅଲ୍ଲୀଙ୍କ ବିରୁଧ୍ୟରେ ଯେଉଁ ବିଶ୍ଲେଷଣ ପ୍ରୟୋଗ କରାଯାଇଛି ତାହା ନିିନ୍ଦନୀୟ । ଜଣେ ସାଂସଦକୁ ଆଉ ଜଣେ ବିଜେପି ସାଂସଦ ଏପରି କହିବା ଦୁଃଖ ଦାୟକ । ବିଜେପିର ସାଂସଦ ରମେଶ ବିଦୁରୀ ରାଜ୍ୟସଭାରେ ଏପରି କହିଛନ୍ତି । ଶ୍ରୀ ଅଲ୍ଲୀ ଏହାର ପ୍ରତିବାଦ କରି ବାଚସ୍ପତିଙ୍କୁ ଚିଠି ଲେଖିଲେ । ମାତ୍ର ତାହାର ଫଳ କିଛି ହେଲା ନାହିଁ । ବାଚସ୍ପତି କିଛି ଶୁଣିଲେ ନାହିଁ କି ପ୍ରଧାନମନ୍ତ୍ରୀ କିଛି ଶୁଣିଲେ ନାହିଁ ବରଂ ରମେଶ ବିଦୁରୀଙ୍କୁ ଅଧିକ ଦାୟିତ୍ୱ ଦିଅଗଲା । କ୍ଷମତାର ଅହଂ ବିନାଶର ପଥ ପରିଷ୍କାର କରିବ । ପ୍ରଧାନ ବିରୋଧି ଦଳର ପ୍ରଧାନ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଯେଉଁ ଆକ୍ରମଣ କରାଯାଇଛି ସେଥିପ୍ରତି ମୋଦୀ, ନଡ୍ଡା ଓ ବିଜେପି ଦଳ ଦୁଃଖ ପ୍ରକାଶ କରିବା ସହ କ୍ଷମା ମାଗନ୍ତୁ । ରାହୁଲ ଗାନ୍ଧୀ ଜଣେ ଉଦାର ବ୍ୟକ୍ତି । ରାହୁଲ ଗାନ୍ଧୀ କ୍ଷମା ଦେଇ ପାରନ୍ତି କିନ୍ତୁ ଲୋକେ କ୍ଷମା ଦେବେନି ।

କବିବର ରାଧାନାଥ ରାୟଙ୍କର ପାର୍ବତୀ କାବ୍ୟର ଏକ କାଳଜୟୀ ପଂକ୍ତି ଆଜି ପ୍ରାସଙ୍ଗିକ କହି ଶ୍ରୀ ବେହେରା ଚେତାବନୀ ଦେଲେ ଯେ “ଇଚ୍ଛନ୍ତି ଦାମ୍ଭିକେ ହସ୍ତେ ରଖିବାକୁ ନିଜ ହସ୍ତେ ଅନ୍ୟଡ଼ୋରି, ନିଜ ହସ୍ତ ଡ଼ୋରି ପର ହସ୍ତେ ବନ୍ଧା ହେଳେ ଦିଅନ୍ତି ପାସୋରୀ” । ଏହି ସମୟ ବିଜେପି ଓ ତାଙ୍କ ପ୍ରଧାନମନ୍ତ୍ରୀଙ୍କ ଅପେକ୍ଷାରେ, ଆଶା କରୁଛି ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ମୋଦୀ, ଭାରତୀୟ ଜନତା ପାର୍ଟିର ଶ୍ରୀଯୁକ୍ତ ନାଡ୍ଡା ଏ କୁତ୍ସାରଟନାକୁ ପ୍ରତିବାଦ କରିବେ, ସାମାଜିକ ଗଣମାଧ୍ୟମରୁ ଏହାକୁ ଅପସାରଣ କରିବେ ଏବଂ ଏହାର ପ୍ରକାଶନ ଓ ପ୍ରସାରଣ ପାଇଁ କ୍ଷମା ପ୍ରାର୍ଥନା କରିବେ । ତାହା ନ ହେଲେ ଠିକଣା ସମୟରେ ଠିକଣା ଫଳକୁ ଅପେକ୍ଷା କରିବେ ବୋଲି ଶ୍ରୀ ବେହେରା ସତର୍କ କରାଇଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ମନୋରଞ୍ଜନ ଦାସ, ରଜନୀ କୁମାର ମହାନ୍ତି, ସାଧାରଣ ସମ୍ପାଦକ ପ୍ରକାଶ ମିଶ୍ର ଓ ଗଣମାଧ୍ୟ ସଂଯୋଜକ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button