ଦେଶ

ଇସ୍ରାଏଲକୁ ଦୃଢ ସମର୍ଥନ ଜଣାଇଲା ଭାରତ; ମୋଦୀଙ୍କୁ ସ୍ଥିତି ଅବଗତ କଲେ ନେତାନ୍ୟାହୁ – Ibnodisha

[ad_1]

ନୂଆଦିଲ୍ଲୀ : ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଇତିମଧ୍ୟରେ ଚତୁର୍ଥ ଦିନରେ ପଦାର୍ପଣ କରିଥିବାବେଳେ ଉଭୟପକ୍ଷର ପ୍ରାୟ ୨୬୦୦ ଲୋକ ପ୍ରାଣ ହରାଇସାରିଲେଣି । ଇସ୍ରାଏଲ ଇତିମଧ୍ୟରେ ଗାଜା ଉପତ୍ୟକାରେ ବିମାନ ଆକ୍ରମଣକୁ ଜୋରଦାର କରିଛି । ପାଲେଷ୍ଟାଇନ ଅଧିକୃତ ଅଞ୍ଚଳରେ ହାମାସ୍ ସଂଗଠନର ୧୫୦୦ ଆତଙ୍କବାଦୀଙ୍କ ମୃତଦେହ ଠାବ କରାଯାଇଛି ବୋଲି ଇସ୍ରାଏଲ ଦାବି କରିଛି । ଗାଜାକୁ ଧ୍ୱଂସସ୍ତୂପରେ ପରିଣତ ନ କରିବା ପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ ବୋଲି ନେତାନ୍ୟାହୁ ଧମକ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମଙ୍ଗଳବାର ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍‌ରେ କଥାବାର୍ତ୍ତା ହୋଇ ଯୁଦ୍ଧ ପରିସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଇସ୍ରାଏଲ ପଛରେ ଭାରତର ଦୃଢ ସମର୍ଥନ ରହିଛି ବୋଲି ମୋଦୀ ନେତାନ୍ୟାହୁଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ଭାରତ ସବୁବେଳେ ଆତଙ୍କବାଦ କାର୍ଯ୍ୟକଳାପକୁ ଘୋର ବିରୋଧ କରିଆସୁଥିବାବେଳେ ଇସ୍ରାଏଲକୁ ସମର୍ଥନ କରିବା ସ୍ୱାଭାବିକ ବୋଲି ମଧ୍ୟ କହିଛନ୍ତି । ଅତୀତରେ ଭାରତ ପାଲେଷ୍ଟାଇନ ମୁକ୍ତି ସଂଗ୍ରାମକୁ ସମର୍ଥନ ଜଣାଇଥିବାବେଳେ ବର୍ତ୍ତମାନ ଇସ୍ରାଏଲ ପ୍ରତି ସମର୍ଥନ ଭାରତର କୂଟନୈତିକ ରଣନୀତି ପ୍ରତି ଆହ୍ୱାନ ସୃଷ୍ଟି କରିଛି । ମୁସଲମାନ ରାଷ୍ଟ୍ରଗୁଡିକ ସବୁବେଳେ ଇସ୍ରାଏଲକୁ ପରମ ଶତ୍ରୁଭାବେ ବିବେଚନା କରିଆସୁଛନ୍ତି । ଭାରତ ବର୍ତ୍ତମାନ ମୁସଲମାନ ବହୁଳ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡିକ ସହ ସମ୍ପର୍କ ମଜଭୁତ କରିବାକୁ ଅଣ୍ଟା ଭିଡିଥିବାବେଳେ ଇସ୍ରାଏଲକୁ ସମର୍ଥନ ଜଣାଇବା ଭାରତ ପାଇଁ ଅଗ୍ନିପରୀକ୍ଷା ସଦୃଶ ହୋଇଛି । ଗୋଟିଏପଟେ ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ ଓ ଇଟାଲୀ ଭଳି ଶକ୍ତିଶାଳୀ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ମିଳିତ ରାଜିନାମାରେ ପାଲେଷ୍ଟାଇନରେ ହାମାସ୍ ଆକ୍ରମଣକୁ ନିନ୍ଦା କରିବା ସହ ଇସ୍ରାଏଲ ପ୍ରତି ଅକୁଣ୍ଠ ସମର୍ଥନ ଜଣାଇଛନ୍ତି । ଅପରପକ୍ଷରେ ମଧ୍ୟପ୍ରାଚ୍ୟର ଅଧିକାଂଶ ରାଷ୍ଟ୍ର ଏହି ଯୁଦ୍ଧ ପାଇଁ ଇସ୍ରାଏଲକୁ ଏକତରଫାଭାବେ ଦାୟୀ କରୁଛନ୍ତି । ଗାଜା ଉପତ୍ୟକାରେ ଚଳାଇଥିବା ଧ୍ୱଂସଲୀଳାକୁ ଇସ୍ରାଏଲ ଅବିଳମ୍ବେ ବନ୍ଦ କରୁ ଏବଂ ଭାରତ ଏଥିରେ ମଧ୍ୟସ୍ଥତା କରିବା ଉଚିତ ବୋଲି ନୂଆଦିଲ୍ଲୀରେ ଅବସ୍ଥାପିତ ପାଲେଷ୍ଟାଇନ ରାଷ୍ଟ୍ରଦୂତ ଅବୁ ଅଲ୍‌ହାଇଜା କହିଛନ୍ତି । ଜାତିସଂଘ ପକ୍ଷରୁ ପାଲେଷ୍ଟାଇନ ପ୍ରସଙ୍ଗରେ ୮୦୦ ପ୍ରସ୍ତାବ ଅନୁମୋଦିତ ହୋଇସାରିଥିଲେ ସୁଦ୍ଧା ଇସ୍ରାଏଲ ଗୋଟିଏ ହେଲେ ପ୍ରସ୍ତାବକୁ କାର୍ଯ୍ୟକାରୀ କରୁନଥିବା ସେ ଅଭିଯୋଗ କରିଛନ୍ତି । ଯଦି ଇସ୍ରାଏଲ ପାଲେଷ୍ଟାଇନରେ ମାଡିବସିଥିବା ସ୍ଥାନ ଖାଲି କରିଦେବ, ତାହାହେଲେ ଏହି ଯୁଦ୍ଧ ଆପେ ବନ୍ଦ ହୋଇଯିବ ବୋଲି ସେ କହିଛନ୍ତି । ଉଭୟ ଇସ୍ରାଏଲ ଓ ପାଲେଷ୍ଟାଇନ  ସହ ଭାରତର ଉତ୍ତମ ବନ୍ଧୁତା ରହିଛି । ତେଣୁ ଏହି ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ସରକାର ମଧ୍ୟସ୍ଥତା କରିବା ଉଚିତ ବୋଲି ସେ କହିଛନ୍ତି । ବର୍ତ୍ତମାନ ପାଲେଷ୍ଟାଇନର ୱେଷ୍ଟ ବ୍ୟାଙ୍କ୍ ଅଞ୍ଚଳରେ ଅବୁଙ୍କ ସରକାର କ୍ଷମତାରେ ଥିବାବେଳେ ଗାଜା ଉପତ୍ୟକାରେ ହମାସ୍ ସଂଗଠନର ନିୟନ୍ତ୍ରଣରେ ରହିଛି । ହାମାସ୍ ଓ ଇସ୍ରାଏଲ ପକ୍ଷରୁ ଯେଉଁ ପଣବନ୍ଦୀ କାର୍ଯ୍ୟକ୍ରମ ଚାଲିଛି, ତାହାକୁ ଅବୁ ନିନ୍ଦା କରିଛନ୍ତି । ନିରୀହ ନାଗରିକଙ୍କୁ ଅପହରଣ କରି ମୁଣ୍ଡଜାମିନ ରଖିବା କିମ୍ବା ସେମାନଙ୍କୁ ଅଯଥାରେ ହତ୍ୟା କରାଯିବା ନିତାନ୍ତ ଅମାନବୀୟ ବୋଲି ଅବୁ କହିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button