ବିଶ୍ୱକପ୍ : ଶ୍ରୀଲଙ୍କାକୁ ୫ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ – Ibnodisha
[ad_1]
ଲକ୍ଷ୍ନୌ : ଲକ୍ଷ୍ନୌର ଭାରତରତ୍ନ ଅଟଳବିହାରୀ ବାଜପେୟୀ ଏକନା କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇସିସି ବିଶ୍ୱକପର ଏକ ମ୍ୟାଚରେ ଶ୍ରୀଲଙ୍କାକୁ ୫ ୱିକେଟରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଚଳିତ ବିଶ୍ୱକପରେ ଅଷ୍ଟ୍ରେଲିଆର ଏହା ହେଉଛି ପ୍ରଥମ ବିଜୟ । ଶ୍ରୀଲଙ୍କା ଦ୍ୱାରା ରଖାଯାଇଥିବା ୨୧୦ ରନର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୩୫.୧ ଓଭରରେ ହାସଲ କରିନେଇଥିଲା । ଦଳ ପକ୍ଷରୁ ଜସ୍ ଇଂଗଲିସ୍ ୫୮ ରନ କରିଥିବାବେଳେ ମିଚେଲ୍ ମାର୍ସ ୫୨ ରନ କରିଥିଲେ । ମାର୍ନସ ଲାବୁସଚେନ ୪୦ ରନ କରିଥିଲେ ଓ ଗ୍ଲେନ ମାକ୍ସୱେଲ ( ଅପରାଜିତ ୩୧ରନ ) ଛକା ମାରି ଦଳ ପାଇଁ ବିଜୟ ଆଣିଦେଇଥିଲେ ।
ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ପଥୁମ ନିଶଙ୍କା ଓ କୁଶଲ ପରେରା ଆରମ୍ଭରୁ ଲଢୁଆ ବ୍ୟାଟିଂ କରି ଏକ ଶତକୀୟ ପାର୍ଟନରସିପ କରିଥିଲେ । ଲାଗୁଥିଲା ଶ୍ରୀଲଙ୍କା ଏକ ବଡ଼ ସ୍କୋର ଛିଡ଼ା କରିବ । କିନ୍ତୁ ପରେରା ୭୮ ରନ ଓ ନିଶଙ୍କା ୬୧ ରନ କରି ଆଉଟ ହେବା ପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କେବଳ ଅଶଲଙ୍କାଙ୍କୁ ଛାଡ଼ିଦେଲେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଦୁଇ ଅଙ୍କ ଛୁଇଁପାରିନଥିଲେ । ଫଳରେ ଏକଦା ୩୦୦ ରନ କରିବାପରି ଲାଗୁଥିବା ଶ୍ରୀଲଙ୍କା ଦଳ ମାତ୍ର ୨୦୯ ରନରେ ଅଲଆଉଟ ହୋଇଯାଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ୪ଟି ୱିକେଟ ନେଇଥିବାବେଳେ ପାଟ କମିନ୍ସ ଓ ମିଚେଲ ଷ୍ଟାର୍କ ୨ଟି ଲେଖାଏଁ ୱିକେଟ ନେଇଥିଲେ ।
[ad_2]