ରାଜ୍ୟ

୧୩୯୭.୧୮ କୋଟି ଟଙ୍କାର ୮ଟି ଶିଳ୍ପ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟିର ଅନୁମୋଦନ, ୨୮୬୦ ଜଣଙ୍କୁ ମିଳିବ ନିଯୁକ୍ତି – Ibnodisha

[ad_1]

ଭୁବନେଶ୍ଵର : ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଆଜି ୧୨୪ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ) ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୧୩୯୭.୧୮ କୋଟି ଟଙ୍କାର ୮ଟି ରୂପାନ୍ତରଣକାରୀ ପ୍ରକଳ୍ପକୁ ଅନୁମୋଦନ ମିଳିଛି, ଯାହା ଏକ ନିବେଶ ଗନ୍ତବ୍ୟସ୍ଥଳ ଭାବରେ ରାଜ୍ୟର ସ୍ଥିତିକୁ ଆହୁରି ସୁଦୃଢ଼ କରୁଛି । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ୨୮୬୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ସଙ୍ଗେ ସଙ୍ଗେ ଯଥେଷ୍ଟ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି ।

ପ୍ଲାଷ୍ଟିକ୍, ବୈଷୟିକ ବୟନଶିଳ୍ପ ଓ ଆଲୁମିନିୟମ କ୍ଷେତ୍ରରେ ଉଲ୍ଲେଖନୀୟ ପୁଞ୍ଜିନିବେଶ ଓଡ଼ିଶାର ଉତ୍ପାଦନ କ୍ଷମତାରେ ସହାୟକ ହୋଇଛି । ଇସ୍ପାତ କ୍ଷେତ୍ରର ଅନୁମୋଦନ ବୃଦ୍ଧି ପାଇଛି, ଯାହା ଓଡ଼ିଶାର ସମୃଦ୍ଧ ଖଣିଜ ସମ୍ପଦ ଏବଂ ଅଭିଜ୍ଞ ଧାତବ ବିଜ୍ଞାନ କ୍ଷେତ୍ର ଉପରେ ଆଲୋକପାତ କରିଛି । ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ର ଏକ ଅଗ୍ରାଧିକାର କ୍ଷେତ୍ର ଭାବରେ ଉଭା ହୋଇଛି, ଯାହା ଆଇଟି କ୍ଷେତ୍ରରେ ବିକାଶ ପାଇଁ ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ରାଜ୍ୟର କୃଷି ସମ୍ଭାବନାକୁ ଦୃଷ୍ଟିରେ ରଖି କୃଷି ଶିଳ୍ପ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଛି । ବ୍ୟାପକ ଶିଳ୍ପ ବିକାଶ ରଣନୀତିର ସଙ୍କେତ ସ୍ୱରୂପ ସିଙ୍ଗଲ ଓ୍ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ରାଜ୍ୟର ୬ଟି ଜିଲ୍ଲାରେ ଏହି ସବୁ ନୂଆ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ପ୍ଲାଷ୍ଟିକ୍ କ୍ଷେତ୍ରରେ, ସିଣ୍ଟେକ୍ସ ବିଏପିଏଲ୍ ଲିମିଟେଡ୍ ସିପିଭିସି, ୟୁପିଭିସି, ଏସଡବ୍ଲ୍ୟୁଆର,ଏଗ୍ରି ପାଇପ୍, ପିଭିସି ଫିଟିଂ ଏବଂ ପ୍ଲାଷ୍ଟିକ୍ ଟାଙ୍କିର ବାର୍ଷିକ କ୍ଷମତା ୩୭,୫୨୦ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ନିମନ୍ତେ ୪୭୯.୪୭ କୋଟି ଟଙ୍କା ବିନିଯୋଗ କରିବାକୁ ପ୍ରତିଶ୍ରୁତିବଦ୍ଧ । ଫଳରେ ସମ୍ବଲପୁରରେ ୧୦୦୦ ଜଣଙ୍କୁ ନିଯୁକ୍ତି ମିଳିବ । ଏଥିସହ ପିଭିସି ଓ ସିପିଭିସି ପାଇପ୍ ଉତ୍ପାଦନ ୟୁନିଟ୍ ସ୍ଥାପନ ପାଇଁ ୨୫୦ କୋଟି ଟଙ୍କା ବିନିଯୋଗ କରିବାକୁ ଏଚ୍ ଆଇଏଲ୍ ଇଣ୍ଡିଆ ପ୍ରତିଶ୍ରୁତିବଦ୍ଧ । ଏହା ଦ୍ୱାରା ୨୫୦ ଲୋକଙ୍କ ପାଇଁ ନିଯୁକ୍ତି ସୁବିଧା ସୃଷ୍ଟି ହୋଇଛି । ସେହିପରି ମେଗା ଫ୍ଲେକ୍ସ ପ୍ଲାଷ୍ଟିକ୍ ଲିମିଟେଡ୍, ପ୍ଲାଷ୍ଟିକ୍ କଣ୍ଟେନର, ଲେନୋ ବ୍ୟାଗ୍, ପିପି ୱେନ୍ ବ୍ୟାଗ୍, ପିପି ୱେନ୍ ଫେବ୍ରିକ୍ସ ଆଣ୍ଡ କୋରଗେଟେଡ୍ ବକ୍ସ ପାଇଁ ୬୨.୩୮ କୋଟି ଟଙ୍କା ବିନିଯୋଗରେ ବାର୍ଷିକ କ୍ଷମତା ୯୬୦୦ ମେଟ୍ରିକ୍ ଟନ୍ ବିଶିଷ୍ଟ ଏହାର ଉତ୍ପାଦନ ୟୁନିଟ୍ ଖୋର୍ଦ୍ଧାରେ ରହିଛି । ଏହି ଉଦ୍ୟୋଗ କେବଳ ୩୮୨ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ନାହିଁ ବରଂ ଏ କ୍ଷେତ୍ରରେ ପ୍ରଥମ ଉତ୍ପାଦନ କେନ୍ଦ୍ର ଭାବରେ ମଧ୍ୟ କାର୍ୟ୍ୟ କରିବ ।

ସାନ୍ଧୁ ଟ୍ୟୁବ୍ ପ୍ରାଇଭେଟ୍ ଲିମିଟେଡ୍ ଓ କେଏଆଇ ଷ୍ଟିଲ୍ ପ୍ରାଇଭେଟ୍ ଲିମିଟେଡ୍ ଭଳି ଉଲ୍ଲେଖନୀୟ କମ୍ପାନୀଗୁଡ଼ିକର ପୁଞ୍ଜିନିବେଶ ଯୋଗୁଁ ଇସ୍ପାତ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ଯାଜପୁର ଓ ସୁନ୍ଦରଗଡ଼ ଭଳି ଅଞ୍ଚଳରେ ଏହି ଦୁଇ କମ୍ପାନୀ ପ୍ରାୟ ୧୮୮.୯୮ କୋଟି ଟଙ୍କା ନିବେଶ କରିଛନ୍ତି । ଡାଉନ୍ ଷ୍ଟ୍ରିମ୍ କ୍ଷେତ୍ରରେ ଏହି ପୁଞ୍ଜିନିବେଶ ରାଜ୍ୟର ୪୦୩ରୁ ଅଧିକ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବ । ବିଶେଷ କରି ସମ୍ବଲପୁରରେ ଏକ ହ୍ୱାଇଟ୍ ଫ୍ୟୁଜ୍ ଆଲୁମିନା ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଆଲୁମିନିୟମ କ୍ଷେତ୍ରରେ ୨୪୧.୦୫ କୋଟି ଟଙ୍କା ନିବେଶ କରିବ ।

ଏହି ଗୁରୁତ୍ୱପୂର୍ଣ୍ଣ ନିବେଶ ୨୧୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ଆଇଟି ଶିଳ୍ପରେ ଅନୁଜ ଅଟୋଗ୍ରାଫ୍ ବିଜନେସ୍ ପାର୍କ ଖୋର୍ଦ୍ଧାରେ ୧୦୫.୩ କୋଟି ଟଙ୍କା ନିବେଶରେ ଓ ୩୦୦ ନିଯୁକ୍ତି ସମ୍ଭାବନା ସହିତ ଏକ ଆଇଟି ପାର୍କ ସ୍ଥାପନ କରୁଛି । କୃଷି ଶିଳ୍ପ କ୍ଷେତ୍ରରେ ଜିଜିଏଲ୍ ଚାଲେଟ୍ ପ୍ରାଇଭେଟ୍ ଲିମିଟେଡ୍ କୋରାପୁଟରେ ଭେନିର (ବାର୍ଷିକ ୨,୫୦,୦୦,୦୦୦ ଏସ୍ କ୍ୟୁଏମ୍), ପ୍ଲାଇ ବୋର୍ଡ ଏବଂ ପାର୍ଟିକଲ୍ ବୋର୍ଡ (ବାର୍ଷିକ ୫,୦୦,୦୦୦ ଏସ୍ କ୍ୟୁଏମ୍) ଏବଂ ବାୟୋମାସ୍ ପେଲେଟ୍ (୧୦,୦୦,୦୦୦ ଏମଟିପିଏ) ଉତ୍ପାଦନ ୟୁନିଟ୍ ରେ ୭୦ କୋଟି ନିବେଶ କରିବ । ଏ ସମସ୍ତ ୟୁନିଟରେ ମିଳିତ ନିଯୁକ୍ତି ସୃଷ୍ଟି ସମ୍ଭାବନା ପ୍ରାୟ ୨୯୦ । ପ୍ଲାଷ୍ଟିକ୍ ଠାରୁ ଆରମ୍ଭ କରି କୃଷି ଓ ଜଙ୍ଗଲଜାତ ଦ୍ରବ୍ୟ ପର୍ୟ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ରହିଥିବା ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ବହୁମୁଖୀ ଅଭିବୃଦ୍ଧି ରଣନୀତି ଏବଂ ଶିଳ୍ପ ବିକାଶ ଦିଗରେ ପଦକ୍ଷେପକୁ ପ୍ରତିଫଳିତ କରୁଛି । ନିରନ୍ତର ଓ ଅନ୍ତର୍ଭୁକ୍ତିକରଣ ଅଭିବୃଦ୍ଧି ପାଇଁ ଓଡ଼ିଶାର ରଣନୈତିକ ଦୃଷ୍ଟିକୋଣ କେବଳ ଜାତୀୟ ଓ ବୈଶ୍ୱିକ ନିବେଶକଙ୍କୁ ଆକୃଷ୍ଟ କରୁନାହିଁ ବରଂ ସାମଗ୍ରିକ ବିକାଶ ପାଇଁ ଏକ ମାନଦଣ୍ଡ ମଧ୍ୟ ସ୍ଥାପିତ କରୁଛି । ଏହି ସବୁ ପ୍ରକଳ୍ପ କାର୍ୟ୍ୟକାରୀ ହେଲେ ଓଡ଼ିଶାକୁ ଶିଳ୍ପ ବିକାଶ ଓ ରୋଜଗାର ସୃଷ୍ଟିର କ୍ଷମତା କେନ୍ଦ୍ରରେ ପରିଣତ କରିବାରେ ସହାୟକ ହେବ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button