ଦେଶ

ଚମ୍ପାରନ୍ ରାଲିରୁ ବାଜିବ ବିଜେପିର ନିର୍ବାଚନୀ ବିଗୁଲ – Ibnodisha

[ad_1]

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦେଶର ସବୁ ରାଜନୈତିକ ଦଳ ଏବେ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି । ପ୍ରତିପକ୍ଷ ଦଳଙ୍କୁ ଟକ୍କର ତଥା କଡା ମୁକାବିଲା ଦେବା ଲକ୍ଷ୍ୟରେ ନିଜ ହିସାବରେ ରଣନୀତି ମଧ୍ୟ ପ୍ରସ୍ତୁତ କରୁଛନ୍ତି । ତେବେ ଅନ୍ୟ ଦଳଙ୍କ ତୁଳନାରେ ବିଜେପି ଏବଂ କଂଗ୍ରେସର ପ୍ରତ୍ୟେକ ଗତିବିଧି ଉପରେ ଦେଶର ଗଣମାଧ୍ୟମଙ୍କ ସତର୍କ ଦୃଷ୍ଟି ନିବଦ୍ଧ ରହିଛି । ଏସବୁ ମଧ୍ୟ ବିଜେପିର ନୂଆ ମାଷ୍ଟରପ୍ଲାନ୍ ସମ୍ପର୍କରେ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିହାରରୁ ପ୍ରଚାର ଅଭିଯାନ ଆରମ୍ଭ କରିପାରନ୍ତି ବୋଲି କୁହାଯାଉଛି । ରିପୋର୍ଟ ଅନୁସାରେ ବିହାରର ଚମ୍ପାରଣ ଜିଲ୍ଲା ଅନ୍ତଗର୍ତ ବେତିଆ ସହର ଉପକଣ୍ଠରେ ଥିବା ରମଣ ମୈଦାନ୍‌ରେ ବିଜେପି ଆସନ୍ତା ୧୩ ତାରିଖ ପାଇଁ ଏକ ବଡ଼ ଧରଣର ରାଲିର ଆୟୋଜନ କରିଛି ।

ପ୍ରଦେଶ ବିଜେପି ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି । ସବୁଠୁ ବଡ଼ କଥା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ଯୋଗଦେବା ସହ ରାଲିକୁ ସମ୍ବୋଧିତ କରିବେ । ଏତଦ୍‌ବ୍ୟତୀତ ବିହାରରେ ନବନିର୍ମିତ ତଥା ନିର୍ମାଣ ହେବାକୁ ଥିବା ସଡ଼କ ଓ ପୋଲ ସମେତ ଅନେକ ପ୍ରକଳ୍ପର ଉଦ୍‌ଘାଟନ ତଥା ଶିଳାନ୍ୟାସ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ସୁତରାଂ ଏହି କାର୍ଯ୍ୟକ୍ରମ ଜରିଆରେ ମୋଦୀ ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିଗୁଲ୍ ବଜାଇବେ ବୋଲି ଅନୁମାନ କରାଯାଉଛି । ବିହାରରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ବ୍ୟାପକ ଯୋଜନା ପ୍ରସ୍ତୁତ କରିଛି । ବିଶେଷକରି ଶାସକ ମେଣ୍ଟ ଜେଡିୟୁ-ଆରଜେଡିକୁ ପ୍ରତିହତ କରି ସରକାର ଗଢ଼ିବା ଲକ୍ଷ୍ୟରେ ବିଜେପି ନିର୍ବାଚନୀ ମୈଦାନକୁ ଓହ୍ଲାଇବାକୁ ଯାଉଛି । ବିହାରରେ ମୋଟ୍ ୪୦ଟି ଲୋକସଭା ଆସନ ରହିଥିବା ବେଳେ ବିଜେପି ଏଠାରେ ଏକାକୀ ସମସ୍ତ ଆସନରେ ପ୍ରାର୍ଥୀ ଦେବ ।

୪୦ଟି ଯାକ ଆସନରେ ବିଜୟ ଲାଭ କରିବା ବିଜେପିର ଏକମାତ୍ର ଲକ୍ଷ୍ୟ ପାଲଟିଛି । ବିହାରରେ ଭଲ ଫଳାଫଳ କରିବା ଉଦ୍ଦେଶ୍ୟରେ ବିଜେପି, ମୋଦୀ, ଅମିତ୍ ଶାହା, ଜେପି ନଡ୍ଡାଙ୍କ ଭଳି ରାଷ୍ଟ୍ରୀୟସ୍ତରର ନେତାଙ୍କୁ ଏଠାକୁ ଆଣି ପ୍ରଚାର ତଥା ରାଲି କରାଇବା ନେଇ ଯୋଜନା ପ୍ରସ୍ତୁତ କରିଛି । ଜାନୁଆରୀ ୧୫ ପରେ ପ୍ରଚାର କଟକଣା ହଟିବା ପରେ ବିଜେପି ଏଠାରେ ଜୋରଦାର ପ୍ରଚାର କରିବ ବୋଲି ଦଳୀୟ ସୂତ୍ରରୁ ଜଣାପଡିଛି । କେବଳ ଜାନୁଆରୀରେ ମୋଦୀ, ବିହାରର ବେଗୁସରାଇ, ବେତିଆ ଏବଂ ଔରଙ୍ଗାବାଦ୍‌ରେ ପୃଥକ୍ ପୃଥକ୍ ରାଲି କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଜାନୁଆରୀ ଓ ଫେବ୍ରୁଆରୀରେ ଗୃହମନ୍ତ୍ରୀ ଅମିତ୍ ଶାହା ସୀତାମଢ଼ି, ମଧେପୁରା ଓ ନାଳନ୍ଦାରେ ରାଲି ତଥା ଜନସମାବେଶକୁ ସମ୍ବୋଧିତ କରିବେ । ବିହାରର ବାକି ଲୋକସଭା କ୍ଷେତ୍ରରେ ପ୍ରଚାର ଦାୟିତ୍ୱ ଜେପି ନଡ୍ଡା ନିଜେ ସମ୍ଭାଳିବେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button