ସନ୍ଦୀପ ଲାମିଛାନେଙ୍କୁ ୮ ବର୍ଷ ଜେଲ୍ ଦଣ୍ଡାଦେଶ – Ibnodisha

[ad_1]
କାଠମାଣ୍ଡୁ : ନେପାଳ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ସନ୍ଦୀପ ଲାମିଛାନେଙ୍କୁ ଏକ ଦୁଷ୍କର୍ମ ମାମଲାରେ ଦୋଷୀ ପାଇବା ପରେ କାଠମାଣ୍ଡୁ ଜିଲ୍ଲା କୋର୍ଟ ୮ ବର୍ଷ ଜେଲ୍ଦଣ୍ଡାଦେଶ ଶୁଣାଇଛି । ରିପୋର୍ଟ ଅନୁସାରେ ଶିଶିର ରାଜ ଢକାଲ୍ଙ୍କ ଜଣିକିଆ ବେଞ୍ଚ୍ ବୁଧବାର ଲାମିଛାନେଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହିତ କ୍ରିକେଟର୍ଙ୍କୁ ୩ ଲକ୍ଷ ଟଙ୍କା ଜୋରିମାନା ଏବଂ ପୀଡ଼ିତାକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜଜ୍ ରାୟରେ ଆଦେଶ ଦେଇଛନ୍ତି । ଗତବର୍ଷ ଡିସେମ୍ବରରେ କାଠମାଣ୍ଡୁ ଜିଲ୍ଲା କୋର୍ଟ ଲାମିଛାନେଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲା । କୋର୍ଟ ଏହା ମଧ୍ୟ କହିଛନ୍ତି, ଅପରାଧ ଘଟିବା ବେଳେ ପୀଡ଼ିତା ନାବାଳିକା ନଥିଲେ, ତାଙ୍କୁ ୧୮ ବର୍ଷରୁ ଅଧିକ ବୟସ ହୋଇଥିଲା । ପୀଡ଼ିତାଙ୍କ ବୟସ ୧୭ ବର୍ଷ ବୋଲି ପୂର୍ବରୁ କୁହାଯାଉଥିଲା । ମାମଲାର ଶୁଣାଣି ବେଳେ ଲାମିଛାନେଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗ କୋର୍ଟରେ ସତ୍ୟ ପ୍ରମାଣିତ ହୋଇଥିଲା ।
ସନ୍ଦୀପ ଲାମିଛାନେଙ୍କ ବିରୋଧରେ ୨୦୨୨ ସେପ୍ଟେମ୍ବରରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ୱେଷ୍ଟ୍ଇଣ୍ଡିଜ୍ରେ ସେ କ୍ୟାରିବିୟାନ୍ ପ୍ରିମିୟର୍ ଲିଗ୍ ଖେଳୁଥିବା ବେଳେ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ୍ ଜାରି କରାଯାଇଥିଲା । ସନ୍ଦୀପ ନେପାଳରେ ପହଞ୍ଚିବା ମାତ୍ରେ ହିଁ କାଠମାଣ୍ଡୁ ପୁଲିସ ତାଙ୍କୁ ଗିରଫ କରିଥିଲା । ତଳ କୋର୍ଟ ତାଙ୍କୁ ପୁଲିସ ରିମାଣ୍ଡ୍ରେ ରଖି ପଚରା ଉଚରା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ନେପାଳ ସୁପ୍ରିମ୍କୋର୍ଟ ରିମାଣ୍ଡ୍ ଆଦେଶକୁ ବଦଳାଇ ଦେଇଥିଲେ । ଏହାପରେ ସେ ଜାମିନ୍ ପାଇ ନେପାଳ ପକ୍ଷରୁ କ୍ରିକେଟ୍ ଖେଳିବା ଜାରି ରଖିଥିଲେ । ଅଭିଯୋଗ ସତ୍ତ୍ୱେ ନେପାଳ କ୍ରିକେଟ୍ ଆସୋସିଏସନ୍ (ସିଏଏନ୍) ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାକୁ ଅନୁମତି ଦେଇଥିଲା । ଅବଶ୍ୟ ତାଙ୍କୁ ଅଧିନାୟକତ୍ୱ ହରାଇବାକୁ ପଡ଼ିଥିଲା । ୨୦୨୩ ଫେବୃଆରୀରେ ସ୍କଟ୍ଲାଣ୍ଡ୍-ନେପାଳ ମ୍ୟାଚ୍ ପରେ ସ୍କଟ୍ଲାଣ୍ଡ୍ ଖେଳାଳି ତାଙ୍କ ସହିତ ହାତ ମିଳାଇବାକୁ ମନା କରିଦେଇଥିଲେ । ଦୁଷ୍କର୍ମ ଦୋଷୀ ଖେଳାଳିଙ୍କ ସହ ତାଙ୍କ ଟିମ୍ ହାତ ମିଳାଇବ ନାହିଁ ବୋଲି ସ୍କଟ୍ଲାଣ୍ଡ ଖେଳାଳି ସେତେବେଳେ କହିଥିଲେ ।
ନେପାଳ ପକ୍ଷରୁ ୫୧ ଦିନିକିଆ ଏବଂ ୫୨ ଟି-୨୦ ମ୍ୟାଚ୍ ଖେଳିଥିବା ଏହି ଡାହାଣହାତୀ ସ୍ପିନର୍ ଏହି ଅବସରରେ ୧୧୨ ଦିନିକିଆ ଏବଂ ୯୮ ଟି-୨୦ ୱିକେଟ୍ ହାସଲ କରିଛନ୍ତି । ସେ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ ପକ୍ଷରୁ ଆଇପିଏଲ୍ ଖେଳିଛନ୍ତି । ୨୦୧୮ରେ ଦିଲ୍ଲୀ ତାଙ୍କୁ ନିଜ ଟିମ୍ରେ ସାମିଲ କରିଥିଲା । ଲାମିଛାନେ ଆଇପିଏଲ୍ରେ ୯ଟି ମ୍ୟାଚ୍ ଖେଳି ୧୩ ୱିକେଟ୍ ହାସଲ କରିଛନ୍ତି । ୫ ବର୍ଷର କ୍ୟାରିୟର୍ରେ ଲାମିଛାନେ ୨୩ ଅଲଗା ଅଲଗା ଟିମ୍ ପକ୍ଷରୁ ଖେଳିସାରିଛନ୍ତି । ବିଶ୍ୱର ଭିନ୍ନ ଭିନ୍ନ ଫ୍ରାଞ୍ଚାଇଜି ଲିଗ୍ରେ ଭାଗ ନେବାରେ ସେ ପ୍ରଥମ ନେପାଳୀ କ୍ରିକେଟର୍ । ଭିନ୍ନ ଭିନ୍ନ ଲିଗ୍ ଏବଂ ଟୁର୍ଣ୍ଣାମେଣ୍ଟ୍ରେ ସେ ବର୍ତ୍ତମାନ ସୁଦ୍ଧା ମୋଟ ୧୪୪ ମ୍ୟାଚ୍ ଖେଳି ୨୦୬ ୱିକେଟ୍ ଅକ୍ତିଆର କରିଛନ୍ତି । ତାଙ୍କ ନାମରେ ପ୍ରଥମଶ୍ରେଣୀ କ୍ରିକେଟ୍ରେ ତିନିଟି ଏବଂ ଲିଷ୍ଟ୍-ଏ’ କ୍ରିକେଟ୍ରେ ୧୫୮ ୱିକେଟ୍ ରହିଛି ।
[ad_2]