
କଟକ/ଯାଜପୁର:IBN ଓଡିଶା:-ହାଇକୋର୍ଟ ର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ। ଏହା ଆତ୍ମହତ୍ୟା ନୁହେଁ, ବରଂ ତାଙ୍କୁ ହତ୍ୟା କରାଯାଇଥିବା ସଂପର୍କୀୟମାନେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସୁବାସଙ୍କ ମା, ଭିଣୋଇ ଏବଂ ତାଙ୍କର ଜଣେ ସଂପର୍କୀୟ ଭାଇ ସୁବାସଙ୍କୁ ତାଙ୍କ ସ୍ତ୍ରୀ ଓ ଶଳା ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ଏନେଇ ସିବିଆଇ ତଦନ୍ତ ଦାବି ମଧ୍ୟ କରାଯାଇଛି। ଖାଲି ସେତିକି ନୁହେଁ, ହତ୍ୟା କରାଯାଇଥିବା ଅଭିଯୋଗ ନେଇ ମର୍କତ ନଗର ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯିବ ବୋଲି ସୂଚନା ମଧ୍ୟ ମିଳିଛି।
ସୂଚନାଯୋଗ୍ୟ, ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ତଥା ଅତିରିକ୍ତ ଦୌରାଜଜ୍ ସୁବାସ କୁମାର ବିହାରୀ (୪୯) ଶୁକ୍ରବାର ଦିନ ନିଜ ସରକାରୀ କ୍ବାର୍ଟର୍ସରେ ଆତ୍ମହତ୍ୟା କରିଥିଲେ। ସିଡିଏ ସେକ୍ଟର ୯ ସ୍ଥିତ କ୍ବାର୍ଟର୍ସରୁ ତାଙ୍କର ମୃତଦେହକୁ ସିଲିଂ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଜଣେ ବିଚାରପତି ଏଭଳି ଢଙ୍ଗରେ ଆତ୍ମହତ୍ୟା କରିବା ଘଟଣା ବିଭିନ୍ନ ମହଲରେ ଚର୍ଚ୍ଚା ତଥା ଉଦ୍ବେଗର କାରଣ ହୋଇଛି। ପାରିପାର୍ଶ୍ବିକ ସ୍ଥିତିରୁ ପୁଲିସ ପ୍ରାଥମିକ ଭାବେ ଏହା ଏକ ଆତ୍ମହତ୍ୟା ବୋଲି କହୁଛି। କିନ୍ତୁ, ଏଭଳି ଆତ୍ମହତ୍ୟା ପଛର କାରଣ ସ୍ପଷ୍ଟ ହୋଇ ନଥିଲେ ବି ପାରିବାରିକ ଅଶାନ୍ତି ହୁଏତ କାରଣ ହୋଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି।
ବିଚାରପତି ସୁବାସ କୁମାର ବିହାରୀ ସିଡିଏସ୍ଥିତ ତାଙ୍କର ସରକାରୀ କ୍ବାର୍ଟର୍ସରେ ପରିବାର ସହିତ ରହୁଥିଲେ। ପରିବାର କହିଲେ ତାଙ୍କର ପତ୍ନୀ ଏବଂ ଦୁଇ ଝିଅ। ବଡ଼ଝିଅ ନବମ ଶ୍ରେଣୀରେ ପାଠ ପଢୁଥିବା ବେଳେ ସାନଝିଅ ସପ୍ତମ ଶ୍ରେଣୀର ଛାତ୍ରୀ। ସେମାନେ ଆଜି ସ୍କୁଲ୍ ଯାଇଥିବା ବେଳେ ପତ୍ନୀ ବି କୌଣସି କାମରେ ବାହାରକୁ ଯାଇଥିଲେ। ବିଚାରପତିଙ୍କ କର୍ମଚାରୀମାନଙ୍କ ମଧ୍ୟରୁ କେତେଜଣ କୋର୍ଟ ଯାଇଥିଲେ। ଅନ୍ୟଜଣେ ତଳିଆ କର୍ମଚାରୀ ବାହାର ଅଗଣାରେ ଥିଲେ। ଦିନ ପ୍ରାୟ ୧୨ଟା ବେଳକୁ ସେ ଶୋଇବା ଘର କବାଟ ଭିତରୁ ବନ୍ଦ କରି ବେକରେ ରଶି ଗୁଡ଼ାଇ ସିଲିଂ ଫ୍ୟାନରୁ ଝୁଲି ପଡିଥିବା ସନ୍ଦେହ କରାଯାଉଛି। ବିଚାରପତି ଏଭଳି ଝୁଲି ରହିଥିବା ଦୃଶ୍ୟ ଅଗଣାରେ ଥିବା କୋର୍ଟ କର୍ମଚାରୀ ଝରକା ବାଟେ ଦେଖିବା ପରେ ସେ ତୁରନ୍ତ ବିଚାରପତିଙ୍କ ପତ୍ନୀଙ୍କୁ ଫୋନ୍ କରି ଜଣାଇଥିଲେ। ତାଙ୍କର ପତ୍ନୀ ଘରକୁ ଫେରି ଆସି ଘର କବାଟ ଭିତରପଟୁ ବନ୍ଦ ଥିବା ଜାଣିଥିଲେ। ଏ ସଂପର୍କରେ ମର୍କତନଗର ଥାନାକୁ ଖବର ଦିଆଯିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରାଯାଇ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ, ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ପରେ ଶବକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ନିଆଯାଇଥିଲା।ଏପଟେ ବିଚାରପତି ସୁବାସ କୁମାର ବିହାରୀଙ୍କ ଆତ୍ମହତ୍ୟା ଘଟଣା ପ୍ରଚାର ପରେ ତାଙ୍କ ଜନ୍ମମାଟିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଶୁକ୍ରବାର ଦିନ ବାପାଙ୍କ ଶ୍ରାଦ୍ଧ ଦିବସ ଥିବାରୁ ସେ ଗାଁକୁ ଆସିବାର ଥିଲା। ଏହା ପୂର୍ବରୁ ତାଙ୍କ ମୃତ୍ୟୁ ଖବର ଏଠାରେ ପହଞ୍ଚିଥିଲା। ଅନ୍ୟପଟେ ଶବ ସଂସ୍କାରକୁ ନେଇ ତାଙ୍କ ବାପାଘର ଏବଂ ଶ୍ବଶୁର ଘର ମଧ୍ୟରେ ବିବାଦ ଦେଖାଦେଇଛି।
ଯାଜପୁର ବ୍ଲକ୍ ଭୁବନେଶ୍ବରପୁର ପଞ୍ଚାୟତ ଅନ୍ତର୍ଗତ ମଠଗାଁରେ ୧୯୭୪ରେ ସୁବାସ କୁମାର ବିହାରୀ ଜନ୍ମଗ୍ରହଣ କରିଥିଲେ। ନିକଟସ୍ଥ ଶେଷଦେବ ବାସନ୍ତୀ ସ୍କୁଲରେ ହାଇସ୍କୁଲ ଶିକ୍ଷା ପରେ ଏନ୍ସି କଲେଜ ଏବଂ ବିରଜା ଆଇନ ମହାବିଦ୍ୟାଳୟରୁ ଶିକ୍ଷାଲାଭ କରି କିଛିଦିନ ଯାଜପୁର କୋର୍ଟରେ ଓକିଲାତି କରିଥିଲେ। ୨୦୦୩ ମସିହାରେ ସେ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ସେ କଟକରେ ରହୁଥିବା ବେଳେ ଗାଁରେ ତାଙ୍କ ମାଆ ଓ ସାନ ଭାଇ ରହୁଛନ୍ତି। ଏପରି ଆତ୍ମହତ୍ୟାକୁ ପରିବାର ଲୋକ ଗ୍ରହଣ କରିପାରୁନାହାନ୍ତି। ସେ ବହୁତ ଭଲ ମଣିଷ ଥିଲେ ବୋଲି ଗ୍ରାମବାସୀ କହୁଥିବା ବେଳେ ତାଙ୍କ ସାଙ୍ଗସାଥୀ ବି ଏହି ଖବରକୁ ବିଶ୍ବାସ କରିପାରୁନାହାନ୍ତି।
ଗତକାଲି ତାଙ୍କ ସାନଭାଇ ସୁବୋଧ ବିହାରୀ ନିଜର ସଂପର୍କୀୟଙ୍କ ସହ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଗାଁକୁ ଆଣି ଶେଷକୃତ୍ୟ ସଂପନ୍ନ କରିବାକୁ ଚାହିଁଥିଲେ। କିନ୍ତୁ, ସେହି ଭୁବନେଶ୍ବରପୁର ପଞ୍ଚାୟତ କଳସଢିହ ଗ୍ରାମରେ ରହୁଥିବା ଶ୍ବଶୁର ଘର ଲୋକେ ପହଞ୍ଚି ଏହାକୁ ବିରୋଧ କରିବା ସହ ଶବ ସଂସ୍କାର ପାଇଁ ପୁରୀ ସ୍ବର୍ଗଦ୍ବାରକୁ ନେଇଯାଇଛନ୍ତି। ମୃତକଙ୍କ ମା ତୁଲସୀ ବିହାରୀ ନିଜ ପୁଅର ମୁହଁ ଦେଖିବାରୁ ବଞ୍ଚିତ ହୋଇଥିବାରୁ ପୈତୃକ ଗାଁରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଦୁଇ ପରିବାର ମଧ୍ୟରେ ବିବାଦ କାରଣରୁ ଦୀର୍ଘ ୪ ବର୍ଷ ହେଲା ସେ ନିଜଘରକୁ ଆସୁ ନ ଥିଲେ। ଏଠାକୁ ଆସିଲେ ଶ୍ବଶୁର ଘରେ ରହୁଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ବାପାଙ୍କ ଶ୍ରାଦ୍ଧ ଦିବସରେ ଆତ୍ମହତ୍ୟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି।
ଉଲ୍ଲେଖଯୋଗ୍ୟ, ସୁବାସ କୁମାର ବିହାରୀ ୨୦୨୧, ଏପ୍ରିଲ ୬ ତାରିଖରୁ ପୋକ୍ସୋ କୋର୍ଟର ବିଚାରପତି ଭାବେ କାର୍ଯ୍ୟ କରୁଥିଲେ। ବିଭିନ୍ନ ପୋକ୍ସୋ ମାମଲାର ବିଚାର କରି ଦୋଷୀଙ୍କୁ ଦଣ୍ଡିତ କରିବା ଏବଂ ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ ଦେଇ ସେ ଚର୍ଚ୍ଚାରେ ଥିଲେ।