ରାଜନୀତି

ବିଜେପି-ବିଜେଡି ସରକାରର କୃଷକଙ୍କ ପ୍ରତି ଅନ୍ୟାୟ ଅବିଚାରକୁ କସ୍ମିନ୍‌କାଳେ ବରଦାସ୍ତ କରାଯିବ ନାହିଁ: କଂଗ୍ରେସ – Ibnodisha

[ad_1]

ଭୁବନେଶ୍ୱର : ସମଗ୍ର ଦେଶରେ ଚାଷୀଙ୍କ ଦୁଃସ୍ଥିତି ଅତ୍ୟନ୍ତ ସଂଗୀନ । ଏହି ସରକାର କୃଷି ଓ କୃଷକର ବିକାଶ ପାଇଁ ଯେତେଗୁଡ଼ିଏ ପ୍ରତିଶ୍ରୁତି ଦେଇଛନ୍ତି, ତାହା ଆଜି ପ୍ରତାରଣାରେ ପରିଣତ ହୋଇଛି । ସରକାର ଚାଷୀଙ୍କ ସମସ୍ୟା ଦୂର କରିବା ପରିବର୍ତେ ସେମାନଙ୍କ ସ୍ୱରକୁ ଚପାଇଦେବା ପାଇଁ ବହୁ ମସୁଧା କରି ଚାଲିଛନ୍ତି । କେନ୍ଦ୍ର ସରକାରଙ୍କ ତିନୋଟି କଳା କୃଷି ଆଇନ୍ ପ୍ରତ୍ୟାହାର ପାଇଁ ଚାଷୀ ସଂଗଠନ ଦୀର୍ଘ ୧୩ମାସ ଧରି ଆନ୍ଦୋଳନ କରିବା ଏବଂ ଏଥିରେ ୭୫୦ଜଣ ଚାଷୀ ବଳିଦାନ ଦେବା ପରେ ମୋଦି ସରକାର ଚାଷୀଙ୍କ ରୋଷରୁ ମୁକ୍ତି ପାଇଁ ଓ ୫ଟି ରାଜ୍ୟର ନିର୍ବାଚନକୁ ଆଖି ଆଗରେ ରଖି ଯେଉଁ ଚାଷୀଙ୍କୁ ଖଲିସ୍ତାନୀ ଆତଙ୍କବାଦୀ ଓ ଆନ୍ଦୋଳନଜୀବୀ ବୋଲି କହିଥିଲେ, ପୁଣି ସେହି ଚାଷୀଙ୍କ ପାଖରେ ଚତୁରତାର ସହ କ୍ଷମା ପ୍ରାର୍ଥନା ମାଗି ୩ଟି କଳା କୃଷି ଆଇନ୍ ପ୍ରତ୍ୟାହାର କଲେ ।

ଏମ୍‌ଏସ୍‌ପିକୁ ଆଇନ୍ ସମ୍ମତ କରିବା ପାଇଁ ତୁରନ୍ତ କମିଟି ଗଠନ କରାଯିବ ବୋଲି ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଇତିମଧ୍ୟରେ ଦୀର୍ଘ ୨ବର୍ଷ ବିତିଯାଇଥିଲେ ମଧ୍ୟ ଏମ୍‌ଏସ୍‌ପି ବୃଦ୍ଧି ଓ ଏମ୍‌ଏସ୍‌ପିକୁ ଆଇନ୍‌ଗତ ମାନ୍ୟତା ମିଳିଲା ନାହିଁ ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ କହିଛନ୍ତି । ଏହି ନିକ୍କମା ସରକାର ଉପରୁ ଚାଷୀ ସଂଗଠନଗୁଡ଼ିକ ସଂପୂର୍ଣ୍ଣ ଆସ୍ଥା ହରାଇଲା ପରେ ଗତ ଫେବୃଆରୀ ୧୩ ତାରିଖ ଠାରୁ ଦିଲ୍ଲୀ ଚଲ୍ଲୋ ଡାକରା ଅବ୍ୟାହତ ରଖିଛନ୍ତି । ଗତ ୧୨ ତାରିଖ ଦିନ ଦୁଇଜଣ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲ ଓ ଅର୍ଜୁନ ମୁଣ୍ଡା ଚାଷୀ ସଂଗଠନଗୁଡ଼ିକ ସହିତ ୬ ଘଂଟା ଧରି ଆଲୋଚନା କରିବା ପରେ ଅସଫଳ ହୋଇଛନ୍ତି । ଅନ୍ୟପକ୍ଷରେ ଚାଷୀଙ୍କ ନ୍ୟାୟୋଚିତ ଦାବିକୁ ଏଡ଼ାଇଦେବା ପାଇଁ ଧର୍ମକୁ ଆଖିଠାର ସଦୃଶ ସ୍ୱାମୀନାଥନ୍‌ଙ୍କୁ ଭାରତରତ୍ନ ଉପାଧିରେ ସମ୍ମାନିତ କରିବା ପାଇଁ କେନ୍ଦ୍ର ସରକାର ପ୍ରୟାସ କରିଛି ।

କିନ୍ତୁ ହଜାର ହଜାର ଚାଷୀ ଟ୍ରାକ୍ଟର ଧରି ଶାନ୍ତିପୂର୍ଣ୍ଣ ଭାବେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାରୁ ହରିଆନା ରାଜ୍ୟର ଖଟ୍ଟର ସରକାର ଯେପରି ପାକିସ୍ତାନ ଆତଙ୍କବାଦୀଙ୍କୁ ଯନ୍ତ୍ରଣା ଦିଆଯାଏ, ସେହିପରି ଏହି ଚାଷୀମାନଙ୍କ ପ୍ରତି ଆଚରଣ କରିଛନ୍ତି । ବିଭିନ୍ନ ଜାଗାରେ କଂଟା, ତାରବାଡ଼, କିଲା, କଂକ୍ରିଟ୍ ପିଲାର୍ ଓ ରାସ୍ତା ଖୋଳି ଚାଷୀଙ୍କୁ ଅଟକାଇବାକୁ ଚେଷ୍ଟା କରିଛନ୍ତି । ଏପରିକି ଗୁଳି, ଡ୍ରୋନ୍ ମାଧ୍ୟମରେ ଲୁହବୁହା ଗ୍ୟାସ୍‌, ଲାଠିମାଡ଼ ଓ ପଥରମାଡ଼ କରାଯାଉଛି । ଫଳରେ ୧୦୦ରୁ ଊର୍ଦ୍ଧ୍ୱ ଚାଷୀ ଆହତ ହେଲେଣି, ୯ଜଣ ଚାଷୀଙ୍କ ସ୍ଥିତି ଅତି ସଂକଟାପନ୍ନ । ସ୍ୱାମୀନାଥନ୍ କମିଟି ସୁପାରିସକୁ ତୁରନ୍ତ କାର୍ଯ୍ୟକାରୀ କରି ଫସଲର ଏମ୍‌ଏସ୍‌ପି ବୃଦ୍ଧି, ଏମ୍‌ଏସ୍‌ପିକୁ ଆଇନ୍‌ଗତ ମାନ୍ୟତା, କୃଷିଋଣ ଛାଡ଼, ସମସ୍ତ ଚାଷୀଙ୍କୁ ପେନ୍‌ସନ୍ ପ୍ରଦାନ କରିବା ସହିତ ସରକାର ପ୍ରଥମେ ଦିଲ୍ଲୀ ସୀମା ସ୍ଥିତି ସମାଧାନ କରନ୍ତୁ, କୃଷକମାନଙ୍କୁ ଦିଲ୍ଳୀକୁ ପ୍ରବେଶ କରାଇ ସେମାନଙ୍କ ଗଣତନ୍ତ୍ର ଅଧିକାର ସାବ୍ୟସ୍ତ କରିବା ଲାଗି ଅନୁମତି ଦିଅନ୍ତୁ, କୃଷକମାନଙ୍କ ପ୍ରତି ଦମନମୂଳକ ନୀତି ପରିହାର କରନ୍ତୁ, ଆନ୍ଦୋଳନରତ ଚାଷୀଙ୍କ ଉପରୁ ସମସ୍ତ ମାମଲା ପ୍ରତ୍ୟାହାର କରାଯିବା ପାଇଁ କଂଗ୍ରେସ ଦଳ ତରଫରୁ ଦୃଢ଼ ଦାବି କରାଯାଇଛି ।

ପ୍ରକାଶଥାଉକି, ଅଖିଳ ଭାରତ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ଶ୍ରୀ ରାହୁଲ ଗାନ୍ଧି ଏବଂ ଅଖିଳ ଭାରତ ଜାତୀୟ କଂଗ୍ରେସ ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେ ଜୀ କୃଷକମାନଙ୍କୁ ତାଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ୍ ପ୍ରାପ୍ୟ ମିଳୁ ଏବଂ ଏମ୍‌ଏସ୍‌ପିକୁ ଆଇନ୍‌ରେ ପରିଣତ କରାଯାଉ ବୋଲି ଦୀର୍ଘଦିନ ଧରି ମଧ୍ୟ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଆସୁଛନ୍ତି । ସରକାରଙ୍କ ଏହି ଅଗଣତାନ୍ତ୍ରିକ ବ୍ୟବସ୍ଥାକୁ ବିରୋଧ କରି ଫେବୃଆରୀ ୧୬ ଶୁକ୍ରବାର ଦିନ ସମଗ୍ର ଭାରତ ବର୍ଷରେ କେନ୍ଦ୍ର ବିଜେପି ସରକାରର ଚାଷୀମାରଣ ନୀତି ବିରୋଧରେ ଯେଉଁ ପ୍ରମୁଖ କୃଷକ ସଂଗଠନଗୁଡ଼ିକ ହରତାଳ ପାଇଁ ଆହ୍ୱାନ ଦେଇଛନ୍ତି, ଏହାକୁ ପୂର୍ଣ୍ଣମାତ୍ରାରେ କଂଗ୍ରେସ ଦଳ ସମର୍ଥନ କରିବା ସହିତ ଦଳ ତରଫରୁ ପ୍ରତ୍ୟେକ ସ୍ଥାନରେ ସମସ୍ତ ଜିଲ୍ଳା, ବ୍ଲକ, ନଗର କଂଗ୍ରେସ କମିଟି କର୍ମକର୍ତା, ବିଧାୟକ, ପୂର୍ବତନ ବିଧାୟକ, ସାଂସଦ, ପୂର୍ବତନ ସାଂସଦ, ସମସ୍ତ ସାମ୍ମୁଖ୍ୟ, ସମସ୍ତ ବିଭାଗ ଓ ପ୍ରକୋଷ୍ଠର କର୍ମକର୍ତା, ସମସ୍ତ କଂଗ୍ରେସ କର୍ମୀ ସାମିଲ ରହି ହରତାଳକୁ ସଫଳ କରିବାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସୋସିଆଲ୍ ମିଡିଆ ଅଧ୍ୟକ୍ଷ ଅମୀୟ ପାଣ୍ଡବ, ଅନ୍ୟତମ ପ୍ରବକ୍ତା ପ୍ରଶାନ୍ତ ଶତପଥୀ ଉପସ୍ଥିତ ଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button