ଦେଶ

କେଜ୍ରିୱାଲ୍‌ଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଆଗତ ପିଟିସନ୍ ଖାରଜ – Ibnodisha

[ad_1]

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ସମ୍ପ୍ରତି ଇଡି ରିମାଣ୍ଡରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଦାଖଲ ହୋଇଥିବା ଏକ ଜନସ୍ୱାର୍ଥ ମାମଲାଯୁକ୍ତ ପିଟିସନ୍‌କୁ ଆଜି ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଏଥିସହ କେଜ୍ରିୱାଲ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରେ ରହିବା ନରହିବା ସମ୍ପର୍କରେ ନ୍ୟାୟପାଳିକା ନିଷ୍ପତ୍ତି ନେବାର କୌଣସି ନିୟମ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।
ମୁଖ୍ୟ ବିଚାରପତି ଜଷ୍ଟିସ୍‌୍ ମନମୋହନ୍ ଏବଂ ଜଷ୍ଟିସ୍ ମନମିତ୍ ପ୍ରୀତମ୍ ସିଂ ଆରୋରାଙ୍କୁ ନେଇ ଗଠିତ ହାଇକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି, କେଜ୍ରିୱାଲ୍‌ଙ୍କ ମୁଖ୍ୟମନ୍ତ୍ରୀତ୍ୱ ପ୍ରସଙ୍ଗରେ ଦିଲ୍ଲୀ ଉପରାଜ୍ୟପାଳ ଅନୁଧ୍ୟାନ କରୁଛନ୍ତି, ଖୁବଶୀଘ୍ର ଉପରାଜ୍ୟପାଳ ଏସମ୍ପର୍କରେ ନିଷ୍ପତ୍ତି ନେବେ । ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବାପୂର୍ବକ ଉପରାଜ୍ୟପାଳ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ଯଦି କୌଣସି ପରିସ୍ଥିତିରେ ସାମ୍ବିଧାନିକ କିମ୍ବା ଶାସନଗତ ସମସ୍ୟା ସୃଷ୍ଟି ହୁଏ ତେବେ ରାଷ୍ଟ୍ରପତି ଏବଂ ରାଜ୍ୟପାଳ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଏହାହିଁ ସାମ୍ବିଧାନିକ ବ୍ୟବସ୍ଥା । ସୁତରାଂ କେଜ୍ରିୱାଲ୍‌ଙ୍କ ମୁଖ୍ୟମନ୍ତ୍ରୀତ୍ୱ ପ୍ରସଙ୍ଗରେ ନ୍ୟାୟିକ ହସ୍ତକ୍ଷେପର କୌଣସି ଆବଶ୍ୟକତା ନାହିଁ ବୋଲି ଶୁଣାଣି ବେଳେ ହାଇକୋର୍ଟ କହିଛନ୍ତି । ଏତଦ୍‌ବ୍ୟତୀତ ଏଭଳି ମାମଲାରେ ନ୍ୟାୟପାଳିକାଙ୍କ ହସ୍ତକ୍ଷେପ ସମ୍ପର୍କୀତ କୌଣସି ପୂର୍ବ ଉଦାହରଣ ମଧ୍ୟ ନାହିଁ । ରାଜନୈତିକ ପ୍ରସଙ୍ଗରେ ନ୍ୟାୟପାଳିକା ଭାବେ ନ୍ୟାୟିକ ସମୀକ୍ଷା କରିବାରେ କେତେକ ପ୍ରାକ୍ଟିକାଲ ସମସ୍ୟା ଉପୁଜିପାରେ । ” ପ୍ରକାଶ, ସୁରଜିତ୍ ସିଂ ଯାଦବ ନାମକ ଜଣେ ସମାଜସେବୀ କେଜରିୱାଲ୍‌ଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବହିଷ୍କାର କରିବା ଦାବିରେ ଏହି ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ଆର୍ଥିକ ଅନିୟମିତତା ଏବଂ ମନି ଲଣ୍ଡରିଂ ଭଳି ଅଭିଯୋଗରେ ଛନ୍ଦି ହେବା ପରେ କେଜ୍ରିୱାଲ୍ ମୁଖ୍ୟମନ୍ତ୍ରୀ ପଦରେ ରହିବାର ନୈତିକତା ହରାଇଥିବା ବେଳେ ତାଙ୍କୁ ଜେଲ୍‌ରୁ ଥାଇ ସରକାର ଚଳାଇବା ପାଇଁ ଅନୁମତି ନଦେବାକୁ ସୁରଜିତ୍ ନିଜ ପିଟିସନ୍‌ରେ ଦାବି କରିଥିଲେ ।
ଅନ୍ୟ ଏକ ରିପୋର୍ଟ ଅନୁସାରେ କେଜ୍ରିୱାଲ୍‌ଙ୍କ ଆଜି ଇଡ଼ି ରିମାଣ୍ଡ୍ ଅବଧିକୁ ଏପ୍ରିଲ୍ ୧ ଯାଏ ବୃଦ୍ଧି କରାଯାଇଛି । ଗତ ୨୧ ତାରିଖ ବିଳମ୍ବିତ ରାତିରେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ତାଙ୍କୁ ଗିରଫ କରିଥିଲା ଏବଂ କୋର୍ଟରେ ହାଜର କରାଇ ୭ ଦିନିଆ ରିମାଣ୍ଡ୍‌ରେ ନେଇଥିଲା । ତେବେ ଆଜି ଏହି ରିମାଣ୍ଡ୍ ଅବଧି ଶେଷ ହୋଇଥିବା ବେଳେ ଇଡି ପୁନର୍ବାର କେଜ୍ରିୱାଲ୍‌ଙ୍କୁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରାଇଥିଲା । ଏହି ସମୟରେ କୋର୍ଟ ରୁମ୍‌ରେ କେଜ୍ରିୱାଲ୍ ନିଜେ ନିଜ ପାଇଁ ଓକିଲାତି କରିବା ଦେଖିବାକୁ ମିଳିଥିଲା । କେଜ୍ରିୱାଲ୍ କହିଥିଲେ, ସେ ଇଡିର ରିମାଣ୍ଡ ଅବଧି ବୃଦ୍ଧି ପାଇଁ କରାଯାଇଥିବା ପିଟିସନ୍‌କୁ ଆଦୌ ବିରୋଧ କରୁନାହାନ୍ତି । କିନ୍ତୁ ଇଡି ଜାଣିଶୁଣି ତାଙ୍କୁ ଏହି ମାମଲାରେ ଛନ୍ଦିବାକୁ ଚେଷ୍ଟା କରୁଛି । ଇଡି ଏବେ କେବଳ ଗୋଟିଏ ଏଜେଣ୍ଡାରେ କାମ କରୁଛି ଆଉ ତାହା ହେଉଛି ଆମ୍ ଆଦ୍‌ମୀ ପାର୍ଟି (ଆପ୍‌)କୁ ନଷ୍ଟ କରିଦେବା । ତାଙ୍କ ବିରୋଧରେ ସିବିଆଇ ପ୍ରାୟ ୩୧ହଜାର ପୃଷ୍ଠାର ଏବଂ ଇଡି ପ୍ରାୟ ୨୫ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିନାହାନ୍ତି । ତଥାପି ବିନା ୱାରେଣ୍ଟରେ ତାଙ୍କ ଭଳି ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି । ସୂଚନାଯୋଗ୍ୟ କେଜ୍ରିୱାଲ୍‌ଙ୍କ ପକ୍ଷରୁ ଇଡି ଗିରଫଦାରୀ ବିରୋଧରେ କରାଯାଇଥିବା ପିଟିସନ୍ ଉପରେ ଆସନ୍ତା ୩ ତାରିଖରେ ଶୁଣାଣି ହେବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button