ହରିଣ ଚମଡ଼ା, ଶିଙ୍ଗ ଜବତ, ୩ ଗିରଫ – Ibnodisha

[ad_1]
ରାଜନଗର: ରାଜନଗର ବ୍ଲକ ଗୁପ୍ତି ପଞ୍ଚାୟତ ଦେବେନ୍ଦ୍ର ନାରାୟଣପୁର (ଓକିଲପାଳ) ଓ ବନବିହାରୀପୁର ଗ୍ରାମରେ ବନବିଭାଗର ପାଟ୍ରୋଲିଂ ଦଳ ଚଢ଼ଉ କରି ତିନିଜଣ ଶିକାରୀଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ଘରୁ ଗୋଟିଏ ହରିଣ ଛାଲ, ୪ଟି ଶିଙ୍ଗ, ୧୫ଟି ଫାଶ, ଦୁଇଟି କୁରାଢ଼ି ଓ ଦୁଇଟି କଟୁରୀ ଜବତ କରିଛନ୍ତି । ବିଶେଷ ସୂତ୍ରରୁ ଖବରପାଇ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ଦୁଇ ସହକାରୀ ବନସଂରକ୍ଷକ ମାନସ ଦାସ ଓ ଗଗନବିହାରୀ ମଲ୍ଲିକଙ୍କୁ ଏହି ଶିକାରୀମାନଙ୍କ ଗତବିଧି ସମ୍ପର୍କରେ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଦୁଇ ସହକାରୀ ବନସଂରକ୍ଷକଙ୍କ ନିର୍ଦ୍ଦେଶକ୍ରମେ ରାଜନଗର ରେଞ୍ଜ୍ ଅଫିସର୍ ଚିତ୍ତରଞ୍ଜନ ବେହୁରାଙ୍କ ନେତୃତ୍ୱରେ ଗୁପ୍ତି ଫରେଷ୍ଟର ବିଭୂତିଭୂଷଣ ତରାଇ, ଫରେଷ୍ଟଗାର୍ଡ ତ୍ରିଦୀପ ପ୍ରଧାନ, ସଜେନ୍ଦ୍ର ଦାସ ଓ ସବିତା ବେହେରାଙ୍କ ସହ ଆଟିଂ ପୋଚିଙ୍ଗ ସ୍କ୍ୱାଡ୍ ଚଢ଼ଉ କରିଥିଲେ । ଦେବେନ୍ଦ୍ରନାରାୟଣପୁର ଗ୍ରାମର ଭଗବାନ ସାମଲ(୪୫)ଙ୍କ ଘରେ ତନଖି କରିଥିଲେ ।
ତାଙ୍କ ଘରୁ ଗୋଟିଏ ହରିଣ ଛାଲ ଜବତ କରିଥିଲେ । ସେହି ଗ୍ରାମର ରଞ୍ଜନ ଦାସ(୪୦)ଓ ବନବିହାରୀପୁର ଗ୍ରାମର ବିଶ୍ୱାମିତ୍ର ପରିଡ଼ାଙ୍କ ଘରେ ଚଢ଼ଉ କରି ୪ଟି ହରିଣ ଶିଙ୍ଗ ସହ ଫାଶ, କୁରାଢି ଓ କଟୁରୀ ଜବତ କରିଥିଲେ । ସେମାନଙ୍କୁ ଗିରଫ କରି ୧୯୭୨ ବନ୍ୟପ୍ରାଣୀ ଆଇନ ଅନୁଯାୟୀ ମାମଲା ସହ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହି ଅଭିଯୁକ୍ତମାନଙ୍କ ସହ ଅନ୍ୟ କିଛି ବ୍ୟକ୍ତି ଫେରାର ଥିବା ସୂଚନା ମିଳିଛି । ବନବିଭାଗ ସେମାନଙ୍କ ନାମରେ ମାମଲା ରୁଜୁକରିଥିଲେ ମଧ୍ୟ ଗିରଫ କରିପାରିନାହିଁ । ସୂଚନା ଥାଉକି, ଅଭିଯୁକ୍ତମାନେ ଭିତରକନିକା ଜାତୀୟ ଉଦ୍ୟାନରୁ ହରିଣ, ବାର୍ହା ପ୍ରଭୃତି ବନ୍ୟଜୀବ ଶିକାର ସହ ସେମାନଙ୍କ ମାଂସ, ଚମଡ଼ା, ଶିଙ୍ଗ ପ୍ରଭୃତିକୁ ବାହାର ଚାଲାଣ କରୁଥିବା ଅଭିଯୋଗ ହୋଇ ଆସୁଥିଲା ।
[ad_2]