ଦେଶ

ରାଜନାଥଙ୍କ ହୁଙ୍କାରକୁ ‘ଉତ୍ତେଜକ’ କହିଲା ପାକିସ୍ତାନ – Ibnodisha

[ad_1]

ନୂଆଦିଲ୍ଲୀ: ଦିନକ ପୂର୍ବେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ଘରୋଇ ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ ପଡୋଶୀ ରାଷ୍ଟ୍ର ପାକିସ୍ତାନ ଏବଂ ସେଠାରେ ବଢ଼ୁଥିବା ଆତଙ୍କବାଦୀ ଗୋଷ୍ଠୀଙ୍କ ସମ୍ପର୍କରେ କିଛି ବିବୃତି ଦେଇଥିଲେ । ଅବଶ୍ୟ ବ୍ରିଟିଶ ସମ୍ବାଦପତ୍ର ଗାର୍ଡିଅନ୍‌ର ଏକ ରିପୋର୍ଟକୁ ନେଇ ରାଜନାଥଙ୍କୁ ଏପ୍ରକାର ବିବୃତି ଦେବାକୁ ପଡ଼ିଥିଲା ।

ରାଜନାଥ କହିଥିଲେ, ଆତଙ୍କବାଦ ବିରୋଧରେ ଭାରତ ନିଜ ଶୂନ୍ୟ ସହନଶୀଳତା ନୀତିକୁ ବଜାୟ ରଖିଛି ଏବଂ ଆଗକୁ ମଧ୍ୟ ଏହା ଅବ୍ୟାହତ ରହିବ । କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଭାରତ ଲୁଚାଛପାରେ ଏପ୍ରକାର କିଛି ଅପରେସନ୍ କରିବ । ଭାରତକୁ ଏସବୁ କରିବାର ଆବଶ୍ୟକତା ନାହିଁ କିମ୍ବା ଏହା ଭାରତର ନୀତି ମଧ୍ୟ ନୁହେଁ । ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କ ବିରୋଧୀ ଲଢ଼େଇରେ ଭାରତ ଆମ୍ନାସାମ୍ନା ଲଢ଼େଇକୁ ପ୍ରାଥମିକତା ଦେବ । ଭାରତରେ ଅଶାନ୍ତି ତଥା ହିଂସାକାଣ୍ଡ ଘଟାଇ ନୀରିହ ଜନସାଧାରଣଙ୍କୁ ହତ୍ୟା କରି ଯଦି ଆତଙ୍କବାଦୀ ପାକିସ୍ତାନ କିମ୍ବା ଅନ୍ୟତ୍ର ପଳାଇଯିବାରେ ସଫଳ ମଧ୍ୟ ହୁଅନ୍ତି ତଥାପି ଭାରତ ସେମାନଙ୍କୁ ଖୋଜି ଖୋଜି ଉଚିତ୍ ଦଣ୍ଡ ଦେବ । ଆତଙ୍କବାଦୀ ବିରୋଧୀ ଅଭିଯାନ ପାଇଁ ଯଦି ଆମକୁ ସେମାନଙ୍କ ଘରେ ପଶି ସେମାନଙ୍କୁ ମାରିବାକୁ ପଡେ, ତେବେ ଆମେ ପଛଘୁଞ୍ଚା ଦେବୁ ନାହିଁ । ସିଧାସଳଖ ସେମାନଙ୍କୁ ସେମାନଙ୍କ ମାଟିରେ ହିଁ ଶେଷ କରିଦିଆଯିବ, ଲୁଚାଛପାରେ ନୁହେଁ ।

ଅନ୍ୟପକ୍ଷେ ରାଜନାଥଙ୍କ ଏପ୍ରକାର ଉତ୍ତରକୁ ନେଇ ପାକିସ୍ତାନ ବିଚଳିତ ହୋଇପଡିଥିବା ପ୍ରତୀତ ହୋଇଛି । ଶନିବାର ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏସମ୍ପର୍କରେ ପ୍ରତିକ୍ରିୟା ଦିଆଯାଇ କୁହାଯାଇଛି ଯେ, ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ମନ୍ତବ୍ୟ ଅତ୍ୟନ୍ତ ଉତ୍ତେଜକ । ଏପ୍ରକାର ମନ୍ତବ୍ୟ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଧାରିବା ପରିବର୍ତ୍ତେ ଅଧିକ ବିଗାଡିବ । ଏତଦ୍‌ବ୍ୟତୀତ ରାଜନାଥଙ୍କ ମନ୍ତବ୍ୟକୁ ଭାରତ ଚଳାଇଥିବା ସୀମାପାର ଆତଙ୍କବାଦ ବିରୋଧୀ ଅଭିଯାନ (ଟାର୍ଗେଟ୍ କିଲିଂ)ର ବଳିଷ୍ଠ ପ୍ରମାଣ ବୋଲି ମଧ୍ୟ ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ଅଭିହିତ କରିଛନ୍ତି । ପାକିସ୍ତାନ ମାଟିରେ ଦୁଇ ନାଗରିକଙ୍କୁ ହତ୍ୟା କରାଯିବା ଘଟଣାରେ ମଧ୍ୟ ଭାରତୀୟ ଗୁଇନ୍ଦା ଅଧିକାରୀଙ୍କ ସମ୍ପୃକ୍ତି ରହିଥିବାର ପ୍ରମାଣ ପାକିସ୍ତାନକୁ ମିଳିଛି ବୋଲି ପାକ୍ ବିଦେଶ ମନ୍ତ୍ରୀ କହିଛନ୍ତି ।

ପ୍ରକାଶ, ଗାର୍ଡିଅନ୍ ନିଜ ରିପୋର୍ଟରେ ଉଲ୍ଳେଖ କରିଥିଲା ଯେ, ‘ଭାରତ ଏବେ ବିଦେଶରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ବିରୋଧରେ ଏକ ବଡ଼ ଧରଣର ଅପରେସନ୍ ଜାରି ରଖିଛି । ସୀମାପାର ଟେରରିଜମ୍‌କୁ ଶେଷ କରିବା ଲକ୍ଷ୍ୟରେ ବିଦେଶ ମାଟିରେ ଲୁଚି ରହିଥିବା ଆତଙ୍କବାଦୀମାନଙ୍କୁ ଖୋଜି ସେମାନଙ୍କୁ ଗୁପ୍ତ ଭାବେ ହତ୍ୟା କରିବା ପାଇଁ ଭାରତ ନିଜ ଗୁଇନ୍ଦା ବିଭାଗ ‘ର’କୁ ନିୟୋଜିତ କରିଛି । ତେବେ ୨୦୧୯ ପୁଲୱାମା ଆତଙ୍କୀ ହମ୍‌ଲା ହେବାର ପରବର୍ଷ ଅର୍ଥାତ୍ ୨୦୨୦ରୁ ଭାରତ କୁଆଡେ ଏହି ଅପରେସନ୍ ଆରମ୍ଭ କରିଛି । ଏପରିକି ବର୍ତ୍ତମାନ ସୁଦ୍ଧା ବିଶ୍ୱର ବିଭିନ୍ନ ଦେଶରେ ଲୁଚି ରହିଥିବା ୨୦ଜଣ କୁଖ୍ୟାତ ଆତଙ୍କବାଦୀଙ୍କ ଅସ୍ୱାଭାବିକ ମୃତ୍ୟୁ ହେବା ପଛରେ ଭାରତର ‘ର’ ଏଜେଣ୍ଟ ତଥା ସ୍ଲିପର ସେଲ୍ ସକ୍ରିୟ ରହିଥିବା ନେଇ ଗାର୍ଡିଅନ୍ ନିଜ ରିପୋର୍ଟରେ ଉଲ୍ଲେଖ କରିଥିଲା । ଏହାକୁ ନେଇ ଭାରତ ଉପରେ ପ୍ରଶ୍ନ ଉଠିବା ପରେ ରାଜନାଥଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡିଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button