ରାଜ୍ୟ

ବିଜେଡ଼ି ସାଜିଛି ବିଜେପିର ସଂକଟ ମୋଚକ, ଦୁହେଁ ଏକ ଓ ଅଭିନ୍ନ – Ibnodisha

[ad_1]

ଭୁବନେଶ୍ୱର – ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ବକ୍ତବ୍ୟ ଦେଇ କହିଲେ ଯେ ବିଜେଡ଼ି ବିଜେପି ମଧ୍ୟରେ ଥିବା ଗୁଢ ସମ୍ପର୍କ ଆତ୍ମ ପ୍ରକାଶ କରିଛି । ପାର୍ଲ୍ୟାମେଂଟରେ ଆଗତ ମୋଦି ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବକୁ ବିଜେଡ଼ି ବିରୋଧ କରିବ ଓ ଦିଲ୍ଲୀ ଜାତୀୟ ରାଜଧାନୀ ସରକାର ଅଂଚଳ (ସଂଶୋଧନ) ବିଲ-୨୦୨୩ ବିଧେୟକୁ ସମର୍ଥନ କରିବ ବୋଲି ଘୋଷଣା କରିଛି । ସୁତରାଂ ଉଭୟଙ୍କ ଧମନୀରେ ସମାନ ରକ୍ତ ପ୍ରବାହିତ ହେଉଛି ଓ ବିଜେଡ଼ି ବିଜେପିର ସଂକଟମୋଚକ ସାଜିଛି ବୋଲି ଶ୍ରୀ ପଟ୍ଟନାୟକ ବ୍ୟଙ୍ଗୋକ୍ତି କରିଥିଲେ ।

ସେ ବିଜେପି ଠାରୁ ଜାଣିବାକୁ ଚାହିଁଥିଲେ ଯେ କାହିଁକି ଏମ.ବି ଶାହା କମିଶନଙ୍କ ସୁପାରିଶ ସତ୍ୱେ ଓଡ଼ିଶାର ଖଣି ଦୁର୍ନୀତି ସିବିଆଇ ତଦନ୍ତ ହେଲାନାହିଁ? କାହିଁକି ଓ କାହା ନିର୍ଦ୍ଦେଶରେ ଚିଟଫଣ୍ଡ ସ୍କାମର ତଦନ୍ତ କରୁଥିବା ସିବିଆଇ ମୁଖ୍ୟମନ୍ତ୍ରୀଙ୍କ ଦୁଆରୁ ଫେରିଆସି ତୁନି ପଡ଼ିଛି?
କଥା କଥାରେ ମହିଳା ସଶକ୍ତି କରଣ ମୋ ସରକାରର ପ୍ରଧାନ ଲକ୍ଷ୍ୟ ବୋଲି ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ମଣିପୁର ମହିଳା ଲଜ୍ଜା ପ୍ରସଙ୍ଗରେ ଆଜି ପର୍ଯ୍ୟନ୍ତ ମୌନବ୍ରତ ଅବଲମ୍ବନ କରିଛନ୍ତି କାହିଁକି? ଯେତେବେଳେ ବିଜେପିର କେତେକ ବରିଷ୍ଠ ନେତା ଘୋଷଣା କରୁଛନ୍ତି ଯେ ସେମାନେ ବିଜେଡ଼ିକୁ ଜନ୍ମ ଦେଇଛନ୍ତି, ସେତେବେଳେ ବିଜେଡ଼ି ବିଜେପି ମଧ୍ୟରେ କୌଣସି ପାର୍ଥକ୍ୟ ନରହିବା ସ୍ୱାଭାବିକ । ଓଡ଼ିଶାବାସୀ ଉଭୟ ଯୋଡ଼ିର ଅସଲ ଉଦ୍ଦେଶ୍ୟ ବୁଝିବେ ଓ ଆଗାମୀ ନିର୍ବାଚନରେ କଂଗ୍ରେସକୁ ସମର୍ଥନ ଦେଇ ବିଜେଡ଼ି-ବିଜେପିକୁ ପରାଜିତ କରିବାକୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ ପଟ୍ଟନାୟକ କହିଥିଲେ ଯେ ଦିଲ୍ଳୀ ବିଧେୟକ ଆଇନରେ ପରିଣତ ହେଲେ ରାଜ୍ୟ ସରକାର ମାନଙ୍କର କ୍ଷମତା ସଂକୁଚିତ ହେବ ଓ ଅମଲା ମାନଙ୍କର କ୍ଷମତା ବୃଦ୍ଧି ପାଇବ । ସେହି ବିଧେୟକୁ ସମର୍ଥନ ଜଣାଇ ବିଜେଡ଼ି ଘୋଷଣା କରିବାକୁ ଚାହେଁଯେ ନିର୍ବାଚିତ ଲୋକ ପ୍ରତିନିଧି ମାନେ ନୁହଁନ୍ତି ଅମଲାମାନେ ହିଁ ପ୍ରକୃତ ଶାସନ କର୍ତା । ଶ୍ରୀ ପଟ୍ଟନାୟକ ଏହି ବ୍ୟବସ୍ଥାର ଦୃଢ଼ ନିନ୍ଦା କରିଥିଲେ ।
ପ୍ରଦେଶ କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ ଶ୍ରୀ ପଂଚାନନ କାନୁନଗୋ ବିଜେଡ଼ି କୁ ପ୍ରଶ୍ନ କରି କହିଥିଲେ ଯେ ଏହି ନିଷ୍ପତି ଦ୍ୱାରା ଓଡ଼ିଶାର କି ଲାଭ ହେବ? ସେ ପଚାରିଥିଲେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଠାରୁ ଓଡ଼ିଶାକୁ ସ୍ୱତନ୍ତ୍ର ଅର୍ଥନୈତିକ ପ୍ୟାକେଜ ପାଇଁ କରିଥିବା ଦାବୀ ମିଳିଲା କି? ଏବଂ ଦ୍ୱିତୀୟରେ ଅର୍ଥ କମିଶନ ସୁପାରିଶ କରିଥିବା ଅର୍ଥ କେନ୍ଦ୍ର ସରକାର ଓଡ଼ିଶାକୁ ଦେଉଛନ୍ତି କି?
ପିସିସି ମିଡିଆ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ଏହି ସାମ୍ବାଦିକ ସମ୍ମିଳନୀରେ ଅଭିମତ ରଖି କହିଥିଲେ ଯେ ଆଜିର ଘୋଷଣା ବିଜେଡ଼ିର ଛଳନାଶ୍ରୟୀ ରାଜନୀତିର ପର୍ଦ୍ଦାଫାଶ କରିଛି । କେନ୍ଦ୍ର ମୋଦି ସରକାରକୁ ବିଜେଡ଼ି ସମର୍ଥନ ଦେବା ନୂଆ କଥା ନୁହେଁ । ରାଜ୍ୟବାସୀ ଜାଣନ୍ତି ଅତୀତରେ ୩୭୦ ଧାରା ଉଚ୍ଛେଦ, ନାଗରିକତା ସଂଶୋଧନ ଆଇନ, ତିନି ତଲାକ, ସୂଚନା ଅଧିକାର ସଂଶୋଧନ ଆଇନ ଓ ୩ କଳା କୃଷକ ଆଇନ କ୍ଷେତ୍ରରେ ମଧ୍ୟ ବିଜେଡ଼ି ସମର୍ଥନ ଦେଇଥିଲା । ବିଜେଡ଼ି,ବିଜେପିର ବସମ୍ବଦ ପାଲଟିଛି । ଶ୍ରୀ ବେହେରା ଉଲ୍ଲେଖ କରିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ବିଜେପି ଓ କଂଗ୍ରେସ ଠାରୁ ସମଦୂରତାର ଘୋଷଣା ବସ୍ତୁତଃ ଆଜି ପୂର୍ଣ୍ଣଛେଦ ପଡ଼ିଛି । ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ସୁରକ୍ଷା ପାଇଁ ଉଭୟ ଦଳ ପରସ୍ପର ସହ ଛନ୍ଦି ହୋଇଛନ୍ତି ଓ ରାଜ୍ୟ ସ୍ୱାର୍ଥ ଭୁଲୁଣ୍ଠିତ ହୋଇଛି । କୋଇଲା ରୟାଲଟି ସଂଶୋଧନ ନିମିତ ରାଜ୍ୟ ସରକାର ଓ କଂଗ୍ରେସ ଦୀର୍ଘ ବର୍ଷ ଦାବି କରିଆସୁଥିଲେ ମଧ୍ୟ ତାହା ପୂରଣ ହୋଇନାହିଁ । ମୋଦି ସରକାର ଏହି ଦାବିକୁ ପ୍ରତ୍ୟାଖାନ କରିବା ରାଜ୍ୟ ସ୍ୱାର୍ଥ ପ୍ରତି ଉପହାସ ନୁହେଁକି? ସୁତରାଂ ଶ୍ରୀ ବେହେରା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକଙ୍କ ନିବେଦନକୁ ଦ୍ୱିରୁକ୍ତି କରି ଅନୁରୋଧ ଯେ ରାଜ୍ୟବାସୀ ବାସ୍ତବ ବିକଳ୍ପ ଭାବରେ କଂଗ୍ରେସକୁ ବିଶ୍ୱାସକୁ ନିଅନ୍ତୁ ଓ ୨୦୨୪ ନିର୍ବାଚନରେ କଂଗ୍ରେସକୁ ସେବାକରିବାକୁ ସୁଯୋଗ ଦିଅନ୍ତୁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button