ରାଜ୍ୟ

ଆଜି ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା, ଜାଣନ୍ତୁ ଏହାର ପରମ୍ପରା

ଜି ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା । ଚିତାଲାଗି ଅମାବାସ୍ୟା ବା ଚିତଉ ଉଆଁସ ଓଡ଼ିଶାରେ ପାଳିତ ଏକ ଗଣପର୍ବ । ସବୁ ଓଡିଆ ଘର ପାଇଁ ଏହା ଏକ ଜଣାଶୁଣା ପରମ୍ପରା । ଆଉ ଏହି ପରମ୍ପରାକୁ ଆହୁରି ସମୃଦ୍ଧି କରିଛି ଚିତଉ ପିଠା । ଜଗନ୍ନାଥ ସଂସ୍କୃତି ସହ ଏହା ନିବିଡ କରିଛି ପ୍ରତ୍ୟେକ ପରିବାରକୁ । ଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ ।

ଏହି ଦିନ ଶ୍ରୀମନ୍ଦିରରେ ତିନିଠାକୁରଙ୍କର ଚିତାଲାଗି ହୋଇଥାଏ । ଜଗନ୍ନାଥଙ୍କ ନିତିଦିନିଆ ପୂଜା ଓ ଧୂପ ଶେଷ ହେବା ପରେ ଦଇତା ପତିମାନେ ତିନିଠାକୁରଙ୍କ ଲଲାଟରେ ଚିତାଲାଗି କରନ୍ତି ।

ଶ୍ରାବଣ ଅମାବାସ୍ୟା ଦିନ ଶ୍ରୀମନ୍ଦିର ତିନିଠାକୁରଙ୍କ ଲଲାଟରେ ଦଇତାପତିମାନେ ଚିତା ଲାଗି କରୁଥିବାରୁ ଏହାର ନାମ ଚିତାଲାଗି ଅମାବାସ୍ୟା ରଖାଯାଇଛି । ମହାପ୍ରଭୁ ଆଜି ଲାଗି ବ୍ରହ୍ମଜ୍ୟୋତି ହୀରା ଚିତା ହୋଇଥାନ୍ତି । ପତିମହାପାତ୍ର ସେବାୟତ ସଂସ୍କାର କରିବା ପରେ ତିନି ଵାଡର ବାଡ଼ଗ୍ରାହୀ ଦଇତାପତି ଓ ଅନ୍ୟାନ୍ୟ ଦଇତାପତି ସେବାୟତମାନେ ମହାପ୍ରଭୁଙ୍କୁ ଏହି ଅଳଙ୍କାର ଲାଗି କରନ୍ତି । ଶ୍ରୀଜଗନ୍ନାଥଙ୍କୁ ସୁଭ୍ର ହୀରା ଖଚିତ ରତ୍ନଚିତା, ଶ୍ରୀବଳଭଦ୍ରଙ୍କୁ ନୀଳା ଓ ଦେବୀ ସୁଭଦ୍ରାଙ୍କୁ ପାନା ହୀରା ଖଚିତ ରତ୍ନ ଚିତା ଲାଗି କରାଯାଇଥାଏ । ଚିତାଲାଗି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯାଇଥାଏ ।

ସ୍ନାନପୂର୍ଣମୀ ଦିନ ମହାପ୍ରଭୁ ଅତ୍ୟଧିକ ସ୍ନାନ କରି ଜ୍ୱର ରୋଗରେ ପୀଡିତ ହୋଇ ଅଣସର ଘରେ ଥିଲେ । ସେହି ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଏହି ଚିତା ଗୁଡିକୁ କାଢି ନିଆଯାଇଥିଲା । ରଥଯାତ୍ରା ଦିନ ମହାପ୍ରଭୁଙ୍କୁ ସୋଲ ଚିତା ଲାଗି କରାଯାଇଥିଲା । ଆଜି ସେହି ସୋଲ ଚିତାକୁ କଢ଼ାଯାଇ ଅସଲ ଚିତା ଲାଗି କରାଯାଏ । ଆଜି ଶ୍ରୀମନ୍ଦିରରେ ଭୋଗମଣ୍ଡପ ନୀତି ସରିବା ପରେ ଏହି ବିଶେଷ ନୀତି ଅନୁଷ୍ଠିତ ହୋଇଯାଇଛି । ଶ୍ରୀଦେବୀ ଓ ଭୂଦେବୀ ରତ୍ନ ସିଂହାସନରୁ ଆସି ଖଟ ସେଜରେ ବିଜେ କରିଥାନ୍ତି ।

ତେବେ ଚିତାଲାଗି ନୀତି ଯୋଗୁଁ ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଥିଲା । ଚିତାଲାଗି ଅମାବାସ୍ୟା ଦିନ ଚିତଉ ପିଠା ପ୍ରସ୍ତୁତି ଖୁବ୍ ନିଆରା ଢଙ୍ଗରେ କରାଯାଇଥାଏ । ଏଥିପାଇଁ ପ୍ରଥମେ ଘରେ ଅରୁଆ ଚାଉଳକୁ ପରିଷ୍କାର କରାଯାଇ ସେଥିରେ ନଡିଆ ମିଶାଇ ଶିଳରେ ବଟାଯାଇଥାଏ । ତାପରେ କାଠ ଚୁଲି ପଲମରେ ପ୍ରସ୍ତୁତ ହୁଏ ଚିତଉ ପିଠା । ପିଠାରେ ନଡିଆ ଗୁଡ ଏବଂ ଛେନାର ପୁର ମଧ୍ୟ ଦିଆଯାଇଥାଏ ।

ପିଠା ପ୍ରସ୍ତୁତ ହେବାପରେ ନିଆଯାଏ ଗାଁରେ ଥିବା ପୋଖରୀ ଏବଂ ନଦୀ କୂଳକୁ । ଫୁଲ ଚନ୍ଦନ ଘିଅ ଦୀପକୁ ନେଇ ବନ୍ଦାପନା ପୂର୍ବକ ପୂଜା କରାଯାଇଥାଏ ପିଠାକୁ । ଠାକୁରଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଅର୍ପଣ କରାଯାଇଥାଏ । ପରେ କୃଷକର ବନ୍ଧୁ ଭାବରେ ପରିଚିତ ଗେଣ୍ଡାମାନଙ୍କ ପାଇଁ ପିଠାକୁ ନଦୀ ତଥା ପୋଖରୀ କୂଳକୁ ଯାଇ ପାଣିରେ ପକାଯାଇଥାଏ । ଏହାପରେ ପୂଜା କରାଯାଇଥାଏ ମାଟି ମା’କୁ । ହୁଳହୁଳି ପକାଇ କ୍ଷେତର ଗୋଟିଏ କୋଣ ଭାଗରେ ମା ମହାଲକ୍ଷ୍ମୀଙ୍କୁ ସୁମରଣା କରି ପିଠାକୁ ପୋତି ଦିଆଯାଇଥାଏ । ଭଲ ଫସଲ ପାଇଁ ପ୍ରାର୍ଥନା କରାଯିବା ପରେ ପରିବାରର ସମସ୍ତେ ପ୍ରସାଦ ସେବନ କରିଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button