ରାଜ୍ୟ

ନିର୍ବାଚନ ଅନିୟମିତତା ମାମଲା; କନକ ବର୍ଦ୍ଧନଙ୍କୁ ହାଇକୋର୍ଟ ନୋଟିସ୍‌

ଟକ: ଗତ ସାଧାରଣ ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲବେଳେ ମିଥ୍ୟା ତଥ୍ୟ ପ୍ରଦାନ କରିଥିବା ନେଇ ହୋଇଥିବା ନିର୍ବାଚନୀ ମାମଲାରେ ପାଟଣାଗଡ଼ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ହାଇକୋର୍ଟ ଗୁରୁବାର ନୋଟିସ୍ ଜାରି କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥିପତ୍ର ଦାଖଲ ବେଳେ ଶ୍ରୀ ସିଂହଦେଓ ମିଥ୍ୟା ତଥ୍ୟ ପ୍ରଦାନ କରିଥିବା ନେଇ ଦାୟର ମାମଲାର ଶୁଣାଣି କରି ବିଚାରପତି ଆନନ୍ଦ ଚନ୍ଦ୍ର ବେହେରା ପରବର୍ତ୍ତୀ ଶୁଣାଣି ବେଳେ ଉତ୍ତର ରଖିବାକୁ ତାଙ୍କୁ ଆଦେଶ ଦେଇଛନ୍ତି ।

ମାମଲାର ପରବର୍ତ୍ତୀ ଶୁଣାଣି ନିମନ୍ତେ ହାଇକୋର୍ଟ ଅଗଷ୍ଟ ୩୦ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି । ମାମଲାର ବିବରଣୀ ଅନୁଯାୟୀ କନକ ବର୍ଦ୍ଧନଙ୍କ ବିରୋଧରେ ପାଟଣାଗଡ଼ ନିର୍ବାଚନମଣ୍ଡଳୀର ପରାଜିତ ବିଜେଡି ପ୍ରାର୍ଥୀ ସରୋଜ କୁମାର ମେହେର ମିଥ୍ୟା ସତ୍ୟପାଠ ପ୍ରଦାନ ନେଇ ମାମଲା ରୁଜୁ କରିଛନ୍ତି । ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ ଶ୍ରୀ ସିଂହଦେଓ ତାଙ୍କ ସତ୍ୟପାଠରେ ସ୍ଥାବର, ଅସ୍ଥାବର ସମ୍ପତ୍ତିର ମୂଲ୍ୟ ଦର୍ଶାଇନାହାନ୍ତି । ତାଙ୍କର ବ୍ୟାଙ୍କ୍ ଆକାଉଣ୍ଟ ଷ୍ଟେଟ୍‌ମେଣ୍ଟ, ଇନ୍‌କମ୍ ଟ୍ୟାକ୍ସ ରିଟର୍ଣ୍ଣ ମଧ୍ୟ ଦେଇନାହାନ୍ତି ।

ଏଥିସହ ତାଙ୍କ ନାମରେ ଥିବା ଅପରାଧିକ ମାମଲାର ତଥ୍ୟ ଠିକ୍ ଭାବେ ଦର୍ଶାଇ ନାହାନ୍ତି । ତେଣୁ ତାଙ୍କର ନାମାଙ୍କନପତ୍ର ଗ୍ରହଣୀୟ ହେବା କଥା ନୁହେଁ । ମାତ୍ର ରିଟର୍ଣ୍ଣିଂ ଅଧିକାରୀ ଏହାକୁ ବେଆଇନ ଭାବେ ଗ୍ରହଣ କରିଛନ୍ତି । ଜନପ୍ରତିନିଧି ଆଇନ ଅନୁସାରେ ଶ୍ରୀ ସିଂହଦେଓଙ୍କ ବିଜୟକୁ ଅସିଦ୍ଧ ଘୋଷଣା କରିବାକୁ ଶ୍ରୀ ମେହେର ତାଙ୍କ ଆବେଦନରେ ହାଇକୋର୍ଟଙ୍କୁ ଦର୍ଶାଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button