ଓଡ଼ିଶା ମୁହାଁ ବାଂଲାଦେଶୀ, ଚିନ୍ତାରେ ସରକାର
ଭୁବନେଶ୍ୱର: ସରକାରୀ ଚାକିରିରେ ସଂରକ୍ଷଣକୁ ନେଇ ବ୍ୟାପକ ହିଂସା ହେବା ପରେ ବାଙ୍ଗଲାଦେଶରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ଫଳରେ ଓଡ଼ିଶା ମୁହାଁ ହୋଇଛନ୍ତି ବାଂଲାଦେଶୀ । ଏଥିପାଇଁ ରାଜ୍ୟ ସରକାର ଜରୁରୀ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସମୁଦ୍ରର ୫ ନଟିକାଲ ମାଇଲ୍ ପର୍ଯ୍ୟନ୍ତ ପେଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ନାଭାଲ, କୋଷ୍ଟ ଗାର୍ଡ଼ ଏବଂ ଓଡ଼ିଶା ପୁଲିସ ।
ସୁମଦ୍ର ତଟ ୧୮ ଥାନାକୁ ସତର୍କ ରହିବାକୁ ପୁଲିସ୍ ମହାନିର୍ଦ୍ଦେଶକ କଡ଼ା ନିର୍ଦ୍ଧେଶନାମା ଜାରି କରିଛନ୍ତି ।
ତିରିଶ ଜିଲ୍ଲା ବିଶିଷ୍ଟ ଓଡ଼ିଶାରେ ୬ଟି ଉପକୂଳ ଜିଲ୍ଲା ରହିଛି । ସେହି ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ । ଏସବୁ ଜିଲ୍ଲାମଧ୍ୟରୁ ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର, ଭଦ୍ରକ ଜିଲ୍ଲାର ଧାମରା ଓ ଚାନ୍ଦବାଲି ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳ ଦେଇ ବାଂଲାଦେଶୀମାନେ ଅନୁପ୍ରବେଶ କରିବାର ଆଶଙ୍କା ରହିଛି । ରାଜନଗରରୁ ଜଳପଥରେ ବାଂଲାଦେଶ ମାତ୍ର ୮ ଘଣ୍ଟା ଲାଗୁଥିବା କିଛି ବାଂଲାଦେଶୀ ଶରଣାର୍ଥୀ କହିଛନ୍ତି । ଅତୀତରେ ଜଳପଥ ଦେଇ ଏସବୁ ସ୍ଥାନକୁ ଳକ୍ଷାଧିକ ସଂଖ୍ୟାରେ ବାଂଲାଦେଶୀଆସି ସ୍ଥାୟୀଭାବେ ରହିଛନ୍ତି । ରାଜନୈତିକ ବାହୁଛାୟା ତଳେ ରହି ସେମାନେ ଆଧାର ଓ ଭୋଟରକାର୍ଡ଼ ବି କରିଛନ୍ତି । ଆକଳନ ଅନୁସାରେ ସାରା ରାଜ୍ୟରେ ବସବାସକରି ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରଙ୍କ ସଂଖ୍ୟା ପ୍ରାୟ ସାତ ଲକ୍ଷରୁ ଅଧିକ ହେବ । ଏବେ ବାଂଲାଦେଶୀ ଓଡ଼ିଶାରେ ଅନୁପ୍ରବେଶ କରିବାର ସମ୍ଭାବନା ଥିବାରୁ ରାଜ୍ୟ ସରକାର ପୁଲିସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଗୁରୁବାର ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀ ଗଣମାଧ୍ରକୁ କହିଛନ୍ତି ଯେ, ବାଂଲାଦେଶରେ ରାଜନୈତିକ ଅସ୍ଥିରତା କାରଣରୁ ସେମାନେ ଓଡ଼ିଶା ଆସିବାର ସମ୍ଭାବନା ରହିଛି । ତେଣୁ ରାଜ୍ୟର ସମୁଦ୍ର ତଟବର୍ତ୍ତୀ ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଛି । ସମୁଦ୍ର ପଥରେ ବାଂଲାଦେଶରୁ ପାଖ ପଡ଼ୁଥିବା କାରଣରୁ ଅନୁପ୍ରବେଶକାରୀ ସମୁଦ୍ର ପଥରେ ଓଡ଼ିଶା ପ୍ରବେଶ କରିବାର ଆଶଙ୍କା ରହିଛି । ଫଳରେ ସମୁଦ୍ର ଭିତରେ ତୀକ୍ଷ୍ଣ ନଜର ରଖାଯାଇଛି । ବିଶେଷକରି ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ୯ଟି ସାମୁଦ୍ରିକ ଥାନାକୁ ସତର୍କ ରଖାଯାଇଛି । ପୁରୀରେ ମଧ୍ୟ ପୁଲିସ୍ ସଜାଗ ଅଛନ୍ତି ।
ଜିଡି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ ସମୁଦ୍ରରେ ୫ ନଟିକାଲ୍ ମାଇଲ ପର୍ଯ୍ୟନ୍ତ ପାଟ୍ରୋଲିଂ କରାଯାଇଛି । ତଟବର୍ତ୍ତୀ ଅଞ୍ଚଳରେ ରହୁଥିବା ମତ୍ସ୍ୟଜୀବୀ ଓ ଗୁଇନ୍ଦାକୁ ସକ୍ରିୟ କରାଯାଇଛି । ଯଦି କୌଣସି ବୁଟ୍ ଆସୁଛି, ତାହାହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି । ପେଟ୍ରୋଲିଂ ପାଇଁ ସବୁ ସାମୁଦ୍ରିକ ଥାନା ପାଖରେ ବୋଟ୍ ରହିଛି । ତା’ସହ କୋଷ୍ଟଗାର୍ଡ ଓ ନାଭାଲ୍ ମଧ୍ୟ ପାଟ୍ରୋଲିଂ କରୁଛି । ଯେଉଁ ଥାନାରେ ବୋଟ୍ ନଥିବ ସେହି ଅଞ୍ଚଳରେ ପାଖ ଥାନା ପୁଲିସ୍ ପାଟ୍ରୋଲିଂ କରିବ । ଓଡ଼ିଶା ପୁଲିସ ସଜାଗ ରହିଛି । ଗୋଷ୍ଠୀଗତ ଗଣ୍ଡଗୋଳ ଯେପରି ନଘଟିବ, ସେଥିପ୍ରତି ମଧ୍ୟ ପୁଲିସ୍ ବିଶେଷ ଧ୍ୟାନ ଦିଆଯାଇଛି ବୋଲି ପୁଲିସ୍ ଡିଜି ସ୍ପଷ୍ଟ କରିଛନ୍ତି ।