ଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍ ଦ୍ଵିତୀୟ ଟି-୨୦ – Ibnodisha

[ad_1]
ପ୍ରୋଭିଡେନ୍ସ (ଗାୟନା): ଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳାଯିବ। ଉନ୍ନତ ବ୍ୟାଟିଂ ପ୍ରଦର୍ଶନ କରି ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ରହିଛି। ମ୍ୟାଚ୍ରେ ପଦାର୍ପଣ କରି ତିଳକ ବର୍ମା ପ୍ରଥମ ୩ଟି ବଲ୍ରୁ ୨ଟି ଛକା ମାରିଥିଲେ। ୨୨ ବଲ୍ରୁ ତିଳକଙ୍କ ୩୯ ରନ୍ ଉକ୍ତ ମ୍ୟାଚ୍ର ଆଲୋଚ୍ୟ ପ୍ରସଙ୍ଗ ଥିଲା। ପିଚ୍ରେ ବ୍ୟାଟିଂ ସହଜ ନଥିଲା। ହେଲେ ଆଇପିଏଲ୍ ତାରକାଙ୍କୁ ନେଇ ଗଠିତ ଭାରତୀୟ ବ୍ୟାଟିଂ ଲାଇନ୍ ୧୫୦ ରନ୍ର ପିଛା କରିପାରିବ ବୋଲି ନିଶ୍ଚୟ ଆଶା ଥିଲା। ହେଲେ ଶୁବ୍ମାନ ଗିଲ୍, ଈଶାନ୍ କିଷନ୍, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା ଓ ସଞ୍ଜୁ ସାମ୍ସନ ପ୍ରଭୃତି ବିଫଳ ହେବାରୁ ଭାରତ ପରାସ୍ତ ହୋଇଥିଲା।
ଭାରତର ତଳ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ରନ୍ କରିବାର ସାମର୍ଥ୍ୟ ନ ଥିବାରୁ ପ୍ରଥମ ୭ ଜଣଙ୍କ ଉପରେ ଦଳକୁ ଜିତାଇବାର ଦାୟିତ୍ବ ଥିଲା। ଗୋଟିଏ ମ୍ୟାଚ୍ର ପରାଜୟକୁ ନେଇ ଭାରତୀୟ ଦଳ ବିବ୍ରତ ହୋଇନଥିବ ନିଶ୍ଚୟ। ହେଲେ ୧୨ ମାସ ପରେ ୱେଷ୍ଟଇଣ୍ଡିଜ୍-ଆମେରିକାରେ ଟି୨୦ ବିଶ୍ବକପ୍ ଖେଳାଯିବାର ଥିବା ବେଳେ ଏହି ଶୃଙ୍ଖଳାର ପ୍ରଦର୍ଶନ ବେଶ୍ ଗୁରୁତ୍ବ ବହନ କରିଛି। ତେଣୁ ଶୁବ୍ମାନ, କିଷନ୍, ସାମ୍ସନଙ୍କ ପରି ବ୍ୟାଟ୍ସମ୍ୟାନ୍ଙ୍କୁ ଧଳା ବଲ୍ କ୍ରିକେଟ୍ରେ; ପୁଣି ଏଠାକାର ଧିମା ଓ ତଳୁଆ ପିଚ୍ରେ ତାଙ୍କ ଦକ୍ଷତା ଦେଖାଇବାକୁ ପଡ଼ିବ। କାରଣ ଏହି ଟି୨୦ ଶୃଙ୍ଖଳାର ପ୍ରଦର୍ଶନ ଉପରେ ସେମାନଙ୍କ ଏସିଆ କପ୍ ଓ ଦିନିକିଆ ବିଶ୍ବକପ୍ ଖେଳିବା ମଧ୍ୟ ନିର୍ଭର କରିବ। ଟାରୌବାଠାରୁ ପୋଭିଡେନ୍ସ ଷ୍ଟାଡିୟମ୍ର ପିଚ୍ ସେପରି ଭିନ୍ନ ହେବନାହିଁ। ଶେଷଥର ଏହି ଷ୍ଟାଡିୟମ୍ରେ ୱେଷ୍ଟଇଣ୍ଡିଜ୍ ଖେଳିଥିବା ବେଳେ ସ୍ପିନ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ୱେଷ୍ଟଇଣ୍ଡିଜ୍ ଓ ବାଂଲାଦେଶ ଦିନିକିଆ ମ୍ୟାଚ୍ରେ ନିୟମିତ ସଟ୍ ଖେଳିବାରେ ବିଫଳ ହୋଇଥିଲେ। ଉଭୟ ଦଳଙ୍କ ମଧ୍ୟରେ ଟ୍ବେଣ୍ଟି୨୦ ମ୍ୟାଚ୍ରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। ତେଣୁ ରବିବାରର ମ୍ୟାଚ୍ରେ ମଧ୍ୟ ସ୍ପିନରଙ୍କ ରାଜୁତି ଦେଖିବାକୁ ମିଳିବ। ଏହି ବିଭାଗରେ ଭାରତ ଶକ୍ତିଶାଳୀ ଅଛି। ଧିମା ପିଚ୍ ସତ୍ତ୍ବେ ପ୍ରଥମ ମ୍ୟାଚ୍ରେ ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ୍ ନିର୍ଭିକ ବ୍ୟାଟିଂ କରିଥିଲେ। ଉଭୟ ଦଳ ଜଲ୍ଦି ଦୁଇ ଓପ୍ନରଙ୍କୁ ହରାଇବା ସତ୍ତ୍ବେ ତିଳକ ବର୍ମା ଓ ନିକୋଲାସ୍ ପୁରନ୍ ଆସୁଆସୁ ଛକା ମାରିଥିଲେ। ଉଭୟ ଦଳରେ ଚମତ୍କାର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ୍ ଅଛନ୍ତି। ହେଲେ ପିଚ୍ ସେମାନଙ୍କୁ ସହାୟକ ହୋଇନାହିଁ। ୨୦୧୬ରେ ଶେଷଥର କ୍ରମାଗତ ୨ଟି ଟ୍ବେଣ୍ଟି୨୦ ମ୍ୟାଚ୍ରେ ଭାରତକୁ ହରାଇଥିଲା ୱେଷ୍ଟଇଣ୍ଡିଜ୍। ଏଥର ସେପରି କରିବାକୁ ଘରୋଇ ଦଳ ଚାହିଁବ। ୱେଷ୍ଟଇଣ୍ଡିଜ୍ର ଏକମାତ୍ର ସ୍ପିନର ଆକିଲ୍ ହୋସେନ୍ ଭଲ ବୋଲିଂ କରିଥିବା ବେଳେ ଏହାର ପେସ୍ ବୋଲର ନିମୟିତ ଭାବେ ଗତି ପରିବର୍ତ୍ତନ କରି ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇ ପାରିଥିଲେ। ବିଶେଷକରି ରୋମାରିଓ ସେଫର୍ଡ ଏଥିରେ ସଫଳ ହୋଇଛନ୍ତି। ସେଫର୍ଡ ମଧ୍ୟ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍। ତାଙ୍କ ପ୍ରତି ଭାରତକୁ ସତର୍କ ରହିବାକୁ ପଡ଼ିବ। ସେଫର୍ଡଙ୍କ ପରି ଭାରତୀୟ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ମଧ୍ୟ ଜଣେ ଭଲ ଅଲ୍ରାଉଣ୍ଡର। ସେ ଏବେ ଭଲ ବୋଲିଂ କରୁଥିବା ବେଳେ ମଧ୍ୟକ୍ରମରେ ଭଲ ବ୍ୟାଟିଂ କରୁଛନ୍ତି। ଆଉ ଜଣେ ସ୍ପିନରଙ୍କ ଅଭାବ ତାଙ୍କ ଦଳ ଅନୁଭବ କରିଥିଲା ବୋଲି ୱେଷ୍ଟଇଣ୍ଡିିଜ୍ ଅଧିନାୟକ ରୋଭ୍ମ୍ୟାନ ପୱେଲ୍ ପ୍ରଥମ ମ୍ୟାଚ୍ ପରେ ସ୍ବୀକାର କରିଥିଲେ। ତେଣୁ ଜନ୍ସନ ଚାର୍ଲସଙ୍କ ସ୍ଥାନରେ ରୋଷ୍ଟନ୍ ଚେଜ୍ଙ୍କୁ ଖେଳାଇବା କଥା ଇଣ୍ଡିଜ୍ ଚିନ୍ତା କରିପାରେ। ତେବେ ଘରୋଇ ଦଳ ବିଜୟୀ ଏକାଦଶରେ ପରିବର୍ତ୍ତନ କରିବାର ସମ୍ଭାବନା କମ୍। ପ୍ରଥମ ଟ୍ବେଣ୍ଟି୨୦ରେ ୩ ଜଣ ସ୍ପିନରଙ୍କୁ ଖେଳାଇବା ଯୋଗୁଁ ଭାରତୀୟ ବ୍ୟାଟିଂ ଦୁର୍ବଳ ହୋଇ ଯାଇଥିଲା। ତେଣୁ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟରୁ ଜଣଙ୍କୁ ବସାଇ ମଧ୍ୟକ୍ରମରେ ଯଶସ୍ବୀ ଜୟସୱାଲଙ୍କୁ ଭାରତ ଖେଳାଇପାରେ।
[ad_2]




