ପୁଣି ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା, ହନ୍ତସନ୍ତ ଯାତ୍ରୀ

ପୁରୀ: ପୁଣି ଚିଲିକା ହ୍ରଦ ମଝିରେ ଫସିଲା ଯାତ୍ରୀବାହି ଡଙ୍ଗା। ଜହ୍ନିକୁଦାରୁ ସାତପଡ଼ା ଯାଉଥିଲା ଯାତ୍ରୀ ବାହି ଡଙ୍ଗା। ଏହି ସମୟରେ ଡ଼ଙ୍ଗାର ମେସିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଫଳରେ ଡଙ୍ଗା ଚାଳକ ଚିଲିକା ଜଳ ରାଶିରେ ଡଙ୍ଗାକୁ ଅଟକାଇ ରଖିଛନ୍ତି। ଦୀର୍ଘ ଏକ ଘଣ୍ଟାକାଳ ଡଙ୍ଗାଟି ସେଠାରେ ଫସି ରହିଛି।
ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ମହିଁସା ନିକଟରେ ବର୍ତ୍ତମାନ ଡଙ୍ଗାଟି ଅଟକି ରହିଛି।
ଡଙ୍ଗାରେ ୪୦ରୁ ଉର୍ଦ୍ଧ୍ବ ଲୋକ ଥିବା ବେଳେ ପ୍ରାୟ ୨୦ଟି ବାଇକ୍ ରହିଛି। ସକାଳୁ ଡଙ୍ଗାଟି ଜହ୍ନିକୁଦା ଘାଟ ନିକଟରୁ ଯାତ୍ରା ଆରମ୍ଭ କରିଥିଲା। କିଛି ବାଟ ଯିବା ପରେ ହଠାତ୍ ଡଙ୍ଗାଟିର ଇଞ୍ଜିନ୍ ଖରାପ୍ ହୋଇଯାଇଥିଲା। ଫଳରେ ମଝି ଚିଲିକାରେ ଡଙ୍ଗାଟି ଅଟକି ରହିଛି। ଯାତ୍ରୀମାନେ ହନ୍ତସନ୍ତ ହେଉଥିବାବେଳେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସୂଚନା ଥାଉକି ସାତପଡ଼ାରୁ ଜହ୍ନିକୁଦାକୁ ଦୀର୍ଘ ୫ କିଲୋମିଟର ଜଳ ପଥ ରହିଛି। ଯେଉଁ ଜଳପଥ ଦେଇ ଦୈନିକ ଡଙ୍ଗା ଯାତାୟାତ କରନ୍ତି ପୁରୀ ଜିଲା କୃଷ୍ଣ ପ୍ରସାଦ ବ୍ଳକର ୧୪ଟି ପଞ୍ଚାୟତର ବାସିନ୍ଦା। ତେବେ ଏଥିପାଇଁ ଲୋକେ ବହୁତ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରାଯାଇଛି। ତେବେ ଚିଲିକାର ସାତପଡ଼ାରୁ ଜହ୍ନିକୁଦା ଯାଏ ଚିଲିକାରେ ଏକ ବ୍ରିଜ ନିର୍ମାଣ ପାଇଁ ଦୀର୍ଘ ଦିନ ହେବ ଦାବି ହୋଇ ଆସୁଛି। ହେଲେ ଏଠାରେ ଲୋକଙ୍କ ସୁରକ୍ଷା ବିଷୟରେ ସତେ ଯେମତି ସରକାର ଭୁଲିଯାଇଛନ୍ତି। ପ୍ରକାଶ ଥାଉ କି ପୂର୍ବରୁ ଅନେକ ଥର ଯାତ୍ରୀ ବାହି ଡଙ୍ଗା ଫସିଥିବାର ମଧ୍ୟ ନଜରେ ରହିଛି।




