ମାଗଣା ମଦ ନ ଦେବାରୁ ମଦ ଦୋକାନରେ ଭଙ୍ଗାରୁଜା; ଖଣ୍ଡାଚୋଟରେ ଜଣେ ଆହତ – Ibnodisha

[ad_1]

ଅନୁଗୁଳ: ମଦ ଦୋକାନକୁ ଯାଇ ମାଗଣାରେ ମଦ ମାଗିଲେ। ମାଗଣା ଦେବାକୁ ମନା କରିବାରୁ ଖଣ୍ଡାରେ ହାଣିଲେ। ଦୋକାନରେ ବି ଭଙ୍ଗାରୁଜା କଲେ। ଏମିତି ଅଭିଯୋଗ ଆସିଛି ଅନୁଗୁଳ ସହର ପ୍ରଗତିନଗରରୁ। ଅଭିଯୋଗ ଅନୁସାରେ, ପ୍ରଗତିନଗରରେ ଥିବା ସରକାରୀ ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନକୁ କୁମଣ୍ଡର କିଛି ଯୁବକ ଯାଇ ମାଗଣା ମଦ ଦେବାକୁ କହିଥିଲେ। ଦୋକାନରେ ଥିବା ସେଲସମ୍ୟାନ ମନା କରିବାରୁ ସେମାନେ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ। ବିଭିନ୍ନ ଧମକଚମକ ବି ଦେଇଥିଲେ। ଏହାର କିଛି ସମୟ ପରେ ଦୋକାନର ସେଲସମ୍ୟାନମାନେ ଘରକୁ ଖାଇବାକୁ ଯିବା ପାଇଁ ବାହାରିଥିଲେ। ଏହି ସମୟରେ ଏହି ଯୁବକମାନେ ଗାଳିଗୁଲଜ କରିବା ସହ ଖଣ୍ଡା ଓ ଛୁରୀ ଧରି ଆକ୍ରମଣ କରିବାକୁ ଗୋଡ଼ାଇଥିଲେ। ଏପରିକି ଜଣଙ୍କ ଦେହରେ ଖଣ୍ଡା ଚୋଟ ବାଜିଥିଲା। ଏହା ଦେଖି ସେଲସମ୍ୟାନମାନେ ଭୟରେ ଦୋକାନ ଭିତରକୁ ପଶି ଯାଇଥିଲେ। ପରେ ଏହି ଯୁବକମାନେ ଧମକ ଦେବା ସହ ମାସକୁ ମାସ ଦାଦାବଟି ଦେବାକୁ କହିଥିଲେ। ପରେ ଦୋକାନ ଭିତରକୁ ଖଣ୍ଡା, ଭୁଜାଲି ଓ ବିଅର ବୋତଲ ଫିଙ୍ଗିଥିଲେ। ଏଥିରେ ଦୋକାନର କିଛି ସାମଗ୍ରୀ ବି ନଷ୍ଟ ହୋଇଛି। ଏ ସଂପର୍କରେ ଦୋକାନ ମ୍ୟାନେଜର ଚନ୍ଦନ କୁମାର ଅନୁଗୁଳ ସଦର ଥାନାରେ ଏତଲା ଦେବା ପରେ ପୁଲିସ ୪୫୦/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
[ad_2]