ରାଜ୍ୟ

ମାଳମାଳ ପ୍ରଶ୍ନ, ଉତ୍ତର ନାହିଁ: ଥମୁନି ଶାହ-ନବୀନ-ପାଣ୍ଡିଆନ୍‌ ଭେଟଘାଟ ଚର୍ଚ୍ଚା – Ibnodisha

[ad_1]

ଭବାନୀ ଶଙ୍କର ତ୍ରିପାଠୀ
ଭୁବନେଶ୍ବର: ୫-ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ କବାଟକିଳା ଆଲୋଚନାରୁ କି ନିଷ୍କର୍ଷ ବାହାରିଲା? ଉଭୟ ଓଡ଼ିଶାର ଆଗାମୀ ରାଜନୀତି ସଂପର୍କରେ କଥା ହେଲେ ନା ରାଜ୍ୟ ବିଜେପିର ଗୋଟିଏ ଗୋଷ୍ଠୀ ପାଣ୍ଡିଆନ୍‌ଙ୍କ ବିରୋଧରେ ଚଳାଇଥିବା ଅଭିଯାନ କିମ୍ବା କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ଓଡ଼ିଶା ମୁଖ୍ୟସଚିବଙ୍କୁ ଲେଖିଥିବା ଚିଠି ସଂପର୍କରେ ଶ୍ରୀ ପାଣ୍ଡିଆନ୍ ବିଜେପିର ଶୀର୍ଷ ନେତୃତ୍ବଙ୍କ ନିକଟରେ ଫେରାଦ ହେଲେ?

ଲୋକସେବା ଭବନରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଶ୍ରୀ ଶାହଙ୍କ ମଧ୍ୟରେ ଅଧଘଣ୍ଟାର ନିଭୃତ ଆଲୋଚନା ହେଲା। ସେଥିରେ କି କି ପ୍ରସଙ୍ଗ ସ୍ଥାନ ପାଇଲା? ନବୀନ ଆଗୁଆ ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ସାମ୍ନାରେ ପ୍ରସ୍ତାବ ରଖିଥିବା ଏବଂ ବିଜେଡି-ବିଜେପି ପ୍ରାକ୍ ନିର୍ବାଚନୀ ମେଣ୍ଟ ସଂକ୍ରାନ୍ତରେ ଶ୍ରୀ ଶାହଙ୍କ ଅନୁରୋଧ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା ବୋଲି ଉଭୟ ଦଳର କାର୍ପଟଦାର ଗୋଷ୍ଠୀ ଯେଉଁ ଚର୍ଚ୍ଚା କରୁଛନ୍ତି, ତାହା ସତ କି?

ବନ୍ଧୁତା ଦିବସର ଦିନକ ପୂର୍ବରୁ ଶ୍ରୀ ଶାହ-ନବୀନଙ୍କ ନିଭୃତ ଆଲୋଚନା ଓ ଫଟୋରେ ଉଭୟଙ୍କ ଘନିଷ୍ଠତା ଓଡ଼ିଶାବାସୀ ଦେଖିବା ପରେ ଏମିତି ମାଳମାଳ ପ୍ରଶ୍ନ ଏବେ ତୃଣମୂଳସ୍ତର ଯାଏ ଭେଦିଗଲାଣି। ହେଲେ ଉତ୍ପନ୍ନ ବିଭ୍ରାନ୍ତି ସମ୍ପର୍କରେ ନା ସରକାର ନା ଦଳ, କେହି ମୁହଁ ଖୋଲୁନାହାନ୍ତି। ବିଜେଡି ଶିବିରରେ ଫୁସୁରୁଫାସର ଚାଲିଛି, ବିଜେପି ନେତାମାନେ ବି ମେଳି ହୋଇ କଥା ହେଉଛନ୍ତି। ଅନ୍ୟପକ୍ଷରେ ସ୍ବରାଷ୍ଟ୍ର ମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ରାଜନୈତିକ ସମୀକ୍ଷକଙ୍କୁ ସେତିକି ବ୍ୟଥିତ କରୁନାହିଁ, ଯେତିକି ସଂସଦରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏକୁ ବିଜେଡିର ନିଃସର୍ତ୍ତ ସମର୍ଥନ ଏବଂ ଲୋକସଭା ନେତା ପିନାକୀ ମିଶ୍ର ଏହି ପ୍ରସଙ୍ଗରେ ନିଜଆଡୁ ଆଗୁଆ ସ୍ପଷ୍ଟୀକରଣ ଦେବା ସେମାନଙ୍କୁ ଆନ୍ଦୋଳିତ କରୁଛି। ହଠାତ୍ ଏମିତି କଣ ଘଟିଲା ଯେ ୧୪ବର୍ଷର ସଂକଳ୍ପ (ସମଦୂରତ୍ବ ସୂତ୍ର)କୁ ମୁଖ୍ୟମନ୍ତ୍ରୀ ଭୁଲିଗଲେ?

ଆହୁରି ସାଂଘାତିକ କଥାଟି ହେଲା,
ଜୁଲାଇ ୧୯ ତାରିଖରେ ନିଜେ ମୁଖ୍ୟମନ୍ତ୍ରୀ ଦଳୀୟ ସାଂସଦଙ୍କ କାନରେ ମନ୍ତ୍ର ଫୁଙ୍କି କହିଥିଲେ ଯେ ବାରମ୍ବାର ଦାବି ସତ୍ତ୍ବେ ସ୍ବତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା କେନ୍ଦ୍ର ପ୍ରଦାନ କଲାନାହିଁ। ଏଣୁ ମୌସୁମୀ ଅଧିବେଶନରେ ଏହି ଦାବି ଜୋରଦାର କର। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୫ଲକ୍ଷ ଘର ଆବଶ୍ୟକ ଥିବା ବେଳେ ମାତ୍ର ୮ଲକ୍ଷ ଘର ମିଳିଛି। ଅନୁସୂଚିତ ଜନଜାତି ତାଲିକାରେ ବହୁ ଜନଜାତି ସାମିଲ ହୋଇନାହାନ୍ତି। କୃଷି କ୍ଷେତ୍ରରେ ସମସ୍ୟା ସମାଧାନ କରୁନାହିଁ କି ବଳକା ଚାଉଳ ଠିକ୍ ଭାବେ ଉଠାଉନାହିଁ। ଏପରିକି ବର୍ଧିତ ହାରରେ ଏମ୍‌ଏସ୍‌ପି ଦେଉନି କେନ୍ଦ୍ର। ଏସବୁ ଦାବି ଯେମିତିକି ସେମିତି ରହିଛି। ଦିନ କୋଡ଼ିଏଟା ବିତିନି, ନବୀନ ନିଷ୍ପତ୍ତି ବଦଳାଇଦେଲେ କେମିତି?

ପୂରା ଘଟଣାକୁ ନିରେଖି ଦେଖିବା ପରେ ଏହି ବର୍ଗ ପ୍ରାରମ୍ଭିକ ଭାବେ ଏତିକି କହୁଛନ୍ତି ଯେ ଓଡ଼ିଶାରେ ବିଜେଡିର ସ୍ଥିତି ଅତ୍ୟନ୍ତ ଦୃଢ଼। ଦଳ ସପକ୍ଷରେ ନିର୍ବାଚନୀ ପାଣିପାଗ ବେଶ ଅନୁକୂଳ ଥିବା ସତ୍ତ୍ବେ ସମସ୍ତଙ୍କୁ ବିସ୍ମିତ କରି ନିଜେ ବିଜେଡି ହିଁ ବିଘଟନ ପ୍ରକ୍ରିୟାର ଶୁଭ ଦେଲା। ସଂପ୍ରତି ନବୀନଙ୍କର ଏହି ଗୋଟିଏ ନିଷ୍ପତ୍ତି ଓଡ଼ିଶା ରାଜନୀତିକୁ ଆସନ୍ତା ଦିନରେ ନାଟକୀୟ ମୋଡ଼ ଦେବା ସମ୍ଭାବନାକୁ ଆଦୌ ଏଡ଼ାଇ ଦିଆଯାଇ ନପାରେ। ଶନିବାର ଘଟଣାକୁ ନେଇ ବିଜେଡିର କାର୍ପଟଦାର ଗୋଷ୍ଠୀ ଯେଉଁ ସଙ୍କେତ ଦେଉଛନ୍ତି, ତାହା ହେଲା- ଦଳ ଆଗୁଆ ନିର୍ବାଚନକୁ ଯିବା ସମ୍ଭାବନା ଅଧିକ। ଏଣୁ ସେପ୍ଟେମ୍ବର ମାସ ଯାଏ ମୌସୁମୀ ଅଧିବେଶନକୁ ଟାଣି ନେଇ ତୃତୀୟ ସପ୍ତାହରେ ସରକାର ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇପାରେ। କେନ୍ଦ୍ର ସରକାର ହଁ କରନ୍ତୁ ବା ନ କରନ୍ତୁ, ସେମାନେ ଅପେକ୍ଷା କରିବେ ନାହିଁ। ଏମିତିରେ ବି ପୂର୍ବରୁ ତେଲେଙ୍ଗାନା ସରକାରଙ୍କୁ ନିର୍ବାଚନ କମିସନ ଅନୁମତି ଦେଇଥିଲେ। ସେହିଭଳି ଆଗାମୀ ବିଧାନସଭା ନିର୍ବାଚନରେ ସମ୍ଭାବ୍ୟ ମେଣ୍ଟକୁ ବି ବିଜେଡି ଟାଳି ଦେଉଛି। ମାତ୍ର ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଏବେଠୁ ଅନୁରୂପ ସୂଚନା ମିଳୁନାହିଁ।

ସେପଟେ ନିଜ ଦଳର ନେତାଙ୍କୁ ଚକିତ କରି ୫-ଟି ସଚିବଙ୍କ ସହିତ ମନ୍ତ୍ରଣା ଓ ପରେ ବିଜେଡି ମୁଖିଆଙ୍କ ସହ ନିଭୃତ ଆଲୋଚନା କରି ଶ୍ରୀ ଶାହା ରାଜ୍ୟ ବିଜେପି ନେତାଙ୍କ ଉଦ୍ଦେଶ୍ୟରେ ଯେଉଁ ଅଲିଖିତ ହ୍ବିପ୍ ଜାରି କରିଦେଇଗଲେ-ତାହା ଅତ୍ୟନ୍ତ ସ୍ପଷ୍ଟ। ଏଣିକି ଶ୍ରୀ ପାଣ୍ଡିଆନ୍‌ଙ୍କ ଗସ୍ତକୁ ବିଜେପି ଆଉ ବିରୋଧ କରିବ ନାହିଁ। ଦଳୀୟ ବୈଠକରେ ଶ୍ରୀ ଶାହ କିଛି ତୁଙ୍ଗ ନେତାଙ୍କୁ ଆଉ ଯେଉଁ ସଙ୍କେତ ଦେଲେ, ତାହା ହେଲା- ରାଜ୍ୟ ନିର୍ବାଚନରେ ବିଜେପି ପୂର୍ବପରି ବିଜେଡିର ମୁକାବିଲା କରିବ। ବିଜେଡି ସହ କରାଯାଇଥିବା ଏବେର ବୁଝାମଣା ଜାତୀୟ ଆବଶ୍ୟକତା ଅଟେ। ତେଣୁ ଦୁର୍ନୀତିକୁ ଆୟୁଧ କରି ରାଜ୍ୟ ବିଜେପି ପଞ୍ଚାୟତ ସ୍ତରରୁ ଅଭିଯାନ ଜାରି ରଖିବାକୁ ସେ ଗୁରୁମନ୍ତ୍ର ଦେଇଗଲେ।

ବିଜେପିର ଶୀର୍ଷସ୍ତରରୁ ଆସୁଥିବା ଖବରକୁ ଯଦି ବିଶ୍ବାସ କରାଯାଏ, ତେବେ ଆଗାମୀ ଦିନରେ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ଲାଗି କେନ୍ଦ୍ରୀୟ ତଦନ୍ତ ସଂସ୍ଥାଙ୍କୁ ନିୟୋଜିତ କରାଯିବ। ସେ ତାଲିକାରେ କେବଳ ସରକାରୀ ବାବୁମାନଙ୍କୁ ଟାର୍ଗେଟ୍‌ କରାଯିବା ସଙ୍କେତ ମିଳିଛି। ଅର୍ଥାତ୍ ବିଜେପି ତାର ଅଭୀଷ୍ଟ ସାଧନ (ମେଣ୍ଟ ନ ହେବା ଯାଏ) ହାତମୋଡ଼ା କୌଶଳ ଜାରି ରଖିବ। ଆଗକୁ କିଏ କଣ କରିବେ, ତାହା ସମୟ କହିବ। ହେଲେ ଲୋକସେବା ଭବନ ଓ ଭୁବନେଶ୍ବରର ମେ’ ଫେୟାର୍ ହୋଟେଲରେ ଶନିବାର ଦିନ ଯାହା ସବୁ ଘଟିଲା, ତାହା ଉଭୟ ଦଳର ଆଭ୍ୟନ୍ତରୀଣ ରାଜନୀତିରେ କମ୍ପନ ସୃଷ୍ଟି କଲାଣି। ଉଭୟ ବିଜେଡି ଓ ବିଜେପି  ସେମାନଙ୍କର ଶୀର୍ଷ ନେତୃତ୍ବର ଆଚରଣକୁ ମୁଣ୍ଡପାତି ଗ୍ରହଣ କରିପାରୁ ନାହାନ୍ତି, ବରଂ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି।

ବିଜେଡି ଶିବିରରେ ଯେଉଁ ଚର୍ଚ୍ଚାଟି ଚାଲିଛି, ତାହା ହେଲା- ୨୦୦୯ କନ୍ଧମାଳ ଦଙ୍ଗାକୁ ନେଇ ଭୀଷଣ କ୍ଷୁବ୍ଧ ହେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବେ ସାକ୍ଷାତକାରରେ କହିଥିଲେ ଯେ ତାଙ୍କର ପ୍ରତିଟି ଅସ୍ଥି ଓ ମଜ୍ଜା ଧର୍ମନିରପେକ୍ଷ। ଏହାକୁ ଓଡ଼ିଶା ସମ୍ମାନ ଦେଇଥିଲା। କେବଳ ସେତିକି ନୁହେଁ, ଓଡ଼ିଶା ପ୍ରତି କେନ୍ଦ୍ରୀୟ ଅବହେଳା ଏବଂ ବିଜେପି ବିରୋଧରେ ଅତ୍ୟନ୍ତ କଠୋର ଆଭିମୁଖ୍ୟ କାରଣରୁ ୨୦୦୯ରୁ ବିଜେଡିକୁ ଲୋକେ ଅଧିକରୁ ଅଧିକ ସମର୍ଥନ ଦେଇ ଆସୁଛନ୍ତି। ସେପଟେ ମନ୍ତ୍ରିମଣ୍ଡଳ ଅଦଳବଦଳ ଠାରୁ ଆରମ୍ଭ କରି ସବୁ ବଡ଼ ରାଜନୈତିକ ନିଷ୍ପତ୍ତି ଯାଏ ସବୁବେଳେ ମୁଖ୍ୟମନ୍ତ୍ରୀ ଦଳର ବରିଷ୍ଠ ନେତାଙ୍କ ସହିତ ପରାମର୍ଶ ନେବା କଥା କହିଥାନ୍ତି। ହେଲେ କେନ୍ଦ୍ର ସରକାରଙ୍କୁ ବିଜେଡିର ନିଃସର୍ତ୍ତ ସମର୍ଥନ ଦେବା ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ କେବେ କେମିତି ନିଷ୍ପତ୍ତି ନିଆଗଲା, ବିଜେଡି ନେତାମାନେ ଏଯାଏ ସୁରାକ ପାଇନାହାନ୍ତି। ସର୍ବୋପରି ଦଳୀୟ ସମ୍ବିଧାନକୁ ସମ୍ମାନ ଦେଇ କାର୍ଯ୍ୟକାରିଣୀରେ ବି ଏ ନେଇ ଆଲୋଚନା ନହେବା ତୁଙ୍ଗ ନେତାଙ୍କୁ ବିସ୍ମିତ କରୁଛି। କିଛି ବରିଷ୍ଠ ନେତା ଆହୁରି କହୁଛନ୍ତି, ମୁଖ୍ୟତଃ ଧର୍ମନିରପେକ୍ଷ ପ୍ରସଙ୍ଗରେ ବିଜେପିକୁ ବିରୋଧ କରି ଯେଉଁ ଭୋଟ କଂଗ୍ରେସ ଆଡୁ ଆସିଥିଲା, ପରିବର୍ତ୍ତିତ ପରିସ୍ଥିତିରେ ତାହା ଯେ ଅକ୍ଷତ ରହିବ, ସେ ଗ୍ୟାରେଣ୍ଟି ଆଉ ନାହିଁ। ଆହୁରି ବଡ଼ କଥା ହେଲା, କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ମଧ୍ୟ ବିଜେଡି ସବୁଦିନ ପାଇଁ ହରାଇଲା। ନବୀନ ସରକାରଙ୍କ ଲୋକପ୍ରିୟତା ଏବେ ମଧ୍ୟ ଅକ୍ଷୁଣ୍ଣ ଥିବା ବେଳେ ରାଜ୍ୟର କେଉଁ ମହତ୍ ସ୍ବାର୍ଥ ସାଧନ ଲକ୍ଷ୍ୟରେ ବିଜେପି ସହ ବୁଝାମଣା ଆବଶ୍ୟକ ହେଲା?

ସେପଟେ ବିଜେପି କର୍ମୀ ବି ଘୋର ଚିନ୍ତାରେ। ଗତ ନିର୍ବାଚନରେ ପାଖାପାଖି ଶହେ ଆସନରେ ବିଜେଡିକୁ ଟକ୍କର ଦେଇଥିଲା ବିଜେପି। ସଦ୍ୟ ବୁଝାମଣା ଦଳର ସ୍ଥିତିକୁ ଏକପ୍ରକାର ଦୋଦୁଲ୍ୟମାନ କରିଛି। ରାଜ୍ୟସ୍ତରରେ ଯେଉଁ ନେତାମାନେ ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ କରି ଅଭିଯାନ ଚଳାଇଥିଲେ, ସେମାନେ ଏବେ କାନମୁଣ୍ଡା ଆଉଁସି ରହିବେ। ଦ୍ବିତୀୟତଃ, କେନ୍ଦ୍ରୀୟ ନେତୃତ୍ବ ନିଜ ସ୍ବାର୍ଥର ସୁରକ୍ଷା ପାଇଁ ରାଜ୍ୟ ବିଜେପିକୁ ଯେଉଁଭଳି ଉତ୍ସର୍ଗ କଲେ, ତାହା ଅନେକଙ୍କୁ ଢେର୍ ଆଘାତ ଦେଇଛି। ବିଶେଷକରି ବିଜେଡି ଛାଡ଼ି ବିଜେପି ଆସିଥିବା ନେତାମାନେ ଏବେ ଦ୍ବନ୍ଦ୍ବରେ। ସେମାନେ କେଉଁ ମୁହଁରେ ଦଳରେ ରହିବେ, ସେ ନେଇ ଚିନ୍ତାରେ।  ତୃତୀୟତଃ, ବିଜେପି କର୍ମୀଙ୍କ ସାମ୍ନାରେ ରାଜ୍ୟର ଦୁଇ ନେତୃତ୍ବ ଉଭୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅପରାଜିତା ଷଡ଼ଙ୍ଗୀଙ୍କ ଭାବମୂର୍ତ୍ତି ବି କାଠଗଡ଼ାରେ। ମୋଟାମୋଟି ଭାବେ ଏହି ଅଭିଯାନର ଫଳାଫଳ କ’ଣ ହେବ, ରାଜ୍ୟବାସୀ ତଥା ଭୋଟରଙ୍କୁ କି ବାର୍ତ୍ତା ଯାଇଛି ସେ ନେଇ ଉଭୟ ଦଳର ଶୀର୍ଷ ନେତୃତ୍ବ ବିଭିନ୍ନ ଦିଗରୁ ତଥ୍ୟ ସଂଗ୍ରହ କରୁଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button