ରାଜ୍ୟ
ବେଆଇନ ଦେଶୀ ମଦ କାରବାରରେ ରୋକ ଲଗାଇବାକୁ ଆକ୍ସନ ମୋଡ଼ରେ ପୋଲିସ

ଆନନ୍ଦପୁର : ଗୋଟାଏ ପରେ ଗୋଟାଏ ବେଆଇନ ଦେଶୀ ମଦ ଭାଟିରେ ହୋଇଛି ଚଢ଼ାଉ । ଏହା ସହିତ ବେଆଇନ ଭାବେ ପ୍ରସ୍ତୁତ ଶହ ଶହ ଲିଟର ମଦ ଜବତ । ରାଜ୍ୟରେ ମଦ ମୃତ୍ୟୁ ଘଟଣା ପରେ ସତର୍କ ହୋଇଛି ଆନନ୍ଦପୁର ପୋଲିସ । ଗତକାଲି ଆନନ୍ଦପୁର ଥାନା ଅନ୍ତର୍ଗତ ମାଠିଆନେଣ୍ଡି ଓ ପୁରୁଣାଘାଟି ଅଞ୍ଚଳରେ ଚଢ଼ାଉ କରି ୩ ଶହ ଲିଟର ବେଆଇନ ଦେଶୀ ମଦ ସହିତ ୭ ଶହ କେଜି ମହୁଲ ପୋଚ ନଷ୍ଟ କରିଥିଲା ।
ସେହିଭଳି ଆଜି ସକାଳୁ ଘଷିପୁରା ଥାନା ଅନ୍ତର୍ଗତ ରୁଗୁଡ଼ି ସାହିରେ ଚଢ଼ାଉ କରି ବେଆଇନ ଭାବେ ଚାଲିଥିବା ଏକ ଦେଶୀ ମଦ ଭାଟିକୁ ଠାବ କରିବା ପରେ ୨ ଶହ ଲିଟର ଦେଶୀ ମଦ ଜବତ କରିବା ସହିତ ୧୨ହଜାର ଲିଟର ମହୁଲି ପୋଚ ନଷ୍ଟ କରାଯାଇଛି । ତେବେ ଉଭୟ ଘଟଣାରେ ବେଆଇନ ମଦ କାରବାରରେ ସଂଶ୍ଲିଷ୍ଟ ଥିବା ବ୍ୟକ୍ତି ଫେରାର ହୋଇ ଯାଇଛନ୍ତି । ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବା ସହିତ ଚଢ଼ାଉକୁ ଆହୁରି ଜୋରଦାର କରାଯିବ ବୋଲି ପ୍ରକାଶ କରିଛନ୍ତି ଆନନ୍ଦପୁର ଏସଡିପିଓ ।




