ରେକର୍ଡ ପାଇଁ ହନ୍ତସନ୍ତ ଜମି ମାଲିକ: ସ୍ଥାନାନ୍ତର ହେଉନି ଚକବନ୍ଦୀ, ବନ୍ଦୋବସ୍ତ କାର୍ଯ୍ୟାଳୟ – Ibnodisha
[ad_1]
ପୁରୀ: ଜମିର ପୁରୁଣା ସାବକ ରେକର୍ଡ ଓ ନୂଆ ହାଲ୍ ପାଇଁ ଦହଗଞ୍ଜ ହେଉଛନ୍ତି ଜମି ମାଲିକ। ରେକର୍ଡ ପାଇଁ ଜମି ମାଲିକମାନେ ଓକିଲମାନଙ୍କ ସହଯୋଗ ନେଉଛନ୍ତି। ମାତ୍ର ଚକବନ୍ଦୀ ଓ ବନ୍ଦୋବସ୍ତ କାର୍ଯ୍ୟାଳୟ ବାର୍ ଆସୋସିଏସନ୍ଠାରୁ ଦୂରରେ ଥିବାରୁ ରେକର୍ଡ ପାଇଁ ଆଇନଜୀବୀମାନେ ଯାଇପାରୁନାହାନ୍ତି। ରାସ୍ତା ନିମ୍ନାମାନର ହୋଇଥିବା ବେଳେ ବର୍ଷା ଋତୁ ଆସିଲେ କାର୍ଯ୍ୟାଳୟକୁ ପାଣି ଘେରି ରହୁଥିବାରୁ ଓକିଲ ଓ ପକ୍ଷକାରମାନେ ସେଠାକୁ ଯିବା ଅସମ୍ଭବ ହୋଇପଡ଼ୁଛି। ଏନେଇ ପୁରୀ ବାର ଆସୋସିଏସନ ପକ୍ଷରୁ ବାରମ୍ବାର ଜିଲ୍ଲା ମାଜିଷ୍ଟ୍ରେଟ ସମର୍ଥ ବର୍ମାଙ୍କୁ ଦାବିପତ୍ର ଦିଆଗଲାଣି। ଦାବି କରିବାର ମାସେ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି କର୍ତ୍ତୃପକ୍ଷ ସଫେଇ ଦେଉଛନ୍ତି, ମାତ୍ର ସ୍ଥିତି ଯଥା ପୂର୍ବଂ ତଥା ପର।
ସଂପ୍ରତି ଚକବନ୍ଦୀ କାର୍ଯ୍ୟାଳୟ ଭାରତୀପୁରସ୍ଥିତ ପତିତପାବନ ନଗରରେ ରହିଛି। ଚକବନ୍ଦୀ କାର୍ଯ୍ୟାଳୟରେ ନୂଆକରି କାମ ପଡ଼ିଲେ ଲୋକେ ଏହି କାର୍ଯ୍ୟାଳୟ ଖୋଜି ପାଇବା ଦୁରୂହ ବ୍ୟାପାର ପାଲଟୁଛି। ସଂପ୍ରତି ଜିଲ୍ଲା କୋର୍ଟଠାରୁ ଏହା ୫ କି.ମି ଦୂରରେ ରହିଥିବାରୁ ପୁରୀ ବାର ଆସୋସିଏସନଠାରୁ ଚକବନ୍ଦୀ କାର୍ଯ୍ୟାଳୟକୁ ଯାଇ ପକ୍ଷକାରମାନଙ୍କୁ ନ୍ୟାୟ ଦେବା ପ୍ରକ୍ରିୟା ତ୍ବରିତ ହେଇପାରୁନାହିଁ। ଯଦି ସମୟ ବଳୁଛି ଆଇନଜୀବୀମାନେ ଯାଉଛନ୍ତି, ନଚେତ ଏତେବାଟ ଯିବା ପାଇଁ ଅନେକ ଆଇନଜୀବୀ ରାଜି ହେଉନାହାନ୍ତି। ସେହିଭଳି ମେରାଇନ ଡ୍ରାଇଭ ରୋଡସ୍ଥିତ ବାଲିଗୁଆଳି ନିକଟରେ ବନ୍ଦୋବସ୍ତ କାର୍ଯ୍ୟାଳୟ ରହିଛି। ଏହା ମଧ୍ୟ ପୁରୀ ବାର ଆସୋସିଏସନଠାରୁ ପ୍ରାୟ ୭କିମି ଦୂରରେ ରହୁଥିବାରୁ ସେଠାରେ କାମ ପଡ଼ିଲେ ପକ୍ଷକାରମାନେ କାମ ହାସଲ କରିବା କାଠିକର ହେଉଛି। ଏନେଇ ପୁରୀ ବାର ଆସୋସିଏସନର ସମ୍ପାଦକ ବିଭୂତି ଶଙ୍କର ତ୍ରିପାଠୀ କହିଛନ୍ତି, ଚକବନ୍ଦୀ ଓ ବନ୍ଦୋବସ୍ତ କାର୍ଯ୍ୟାଳୟ ଦୂରତା ଓ ଅନ୍ୟ ସମସ୍ୟା ପାଇଁ ଉଭୟ ପକ୍ଷକାର ଓ ଓକିଲମାନେ ସମସ୍ୟା ଭୋଗୁଛନ୍ତି। ବାର ଆସୋସିଏସନଠାରୁ ପକ୍ଷକାର ଓ ଓକିଲମାନେ ଯିବାରେ ସମସ୍ୟା ଉପୁଜୁଛି। ପୁଣି ଯେତେବେଳେ ଚକବନ୍ଦୀ କାର୍ଯ୍ୟାଳୟକୁ ଗଲେ ସେଠାରେ ଅଧିକାରୀମାନଙ୍କ ଦେଖା ମିଳୁନାହିଁ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ କେତେକ ଖାଲି ଘର ରହିଛି। ତଥାପି ଉକ୍ତ ଅପନ୍ତରା ସ୍ଥାନରୁ ଚକବନ୍ଦୀ ଓ ବନ୍ଦୋବସ୍ତ କାର୍ଯ୍ୟାଳୟ ସ୍ଥାନାନ୍ତର କରାଯାଉନାହିଁ। ଏନେଇ ବହୁବାର ପୁରୀ ବାସ୍ ଆସୋସିଏସନ ତରଫରୁ ଉଭୟ କାର୍ଯ୍ୟାଳୟକୁ କଲେକ୍ଟରେଟ୍ ପରିସରକୁ ସ୍ଥାନାନ୍ତର କରିବାକୁ ଦାବି ହୋଇଛି। ଜିଲ୍ଲାପାଳ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି। କିନ୍ତୁ ପାଳନ କରାଯାଉନାହିଁ।
[ad_2]