ରାଜ୍ୟ

ଇଣ୍ଡୋନେସିଆ ଯାଉଥିଲା ପୁରୀ ବେଳାଭୂମିରେ ଲାଗିଥିବା କଣ୍ଟେନର

ପୁରୀ, ୦୭/୦୯ : ପୁରୀ ପେଣ୍ଠକଟା ବେଳାଭୂମିରେ ଲାଗିଥିବା କଣ୍ଟେନରରୁ ବାହାରୁଛି ମହମବତୀ ସାଙ୍ଗକୁ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ। ଲହଡ଼ି ମାଡରେ କଣ୍ଟେନରର ଏକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବାରୁ ସେଥିରୁ ମହମବତୀ, ବିସ୍କୁଟ, ସୋନପାମ୍ପୁଡି ଭଳି ଶୁଖିଲା ଖାଦ୍ୟ ସାମଗ୍ରୀ ବାହାରୁଛି। କଣ୍ଟେନରରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବାହାରୁଥିବା ବେଳେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ସେଥିରୁ ଖାଦ୍ୟ ଜିନିଷ ନେଉଥିବା ଦେଖିବାକୁ ମିଳିଛି।

ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ। ସେ କହିଛନ୍ତି ଯେ, କଣ୍ଟେନରଟିକୁ ଖୋଲିବା ପାଇଁ କୋଷ୍ଟ ଗାର୍ଡ ସହିତ ଆଲୋଚନା ହୋଇଛି। କଣ୍ଟେନର ଖୋଲାଯିବା ସମୟରେ କୋଷ୍ଟ ଗାର୍ଡର ସହାୟତା ନିଆଯିବ।

ସୂଚନାନୁଯାୟୀ, କୋଲକାତାରୁ ପୋର୍ଟବ୍ଲେୟାର ବିଭିନ୍ନ ସାମଗ୍ରୀ ନେଇ ସମୁଦ୍ରରେ ଯାଉଥିବା ବେଳେ ଇଣ୍ଡୋନେସିଆର ଏକ ଜାହାଜରୁ ପ୍ରାୟ ୭ଟି କଣ୍ଟେନର ମିସିଂ ହୋଇଥିଲା। ସେଥିମଧ୍ୟରୁ ଏହା ଗୋଟିଏ ବୋଲି ଅନୁମାନ କରାଯାଉଛି। ତେବେ ଗତ ଗୁରୁବାର ଦିନ ମଝି ସମୁଦ୍ରରେ ଏହି କଣ୍ଟେନରଟି ଭାସୁଥିବା ଦେଖିବାକୁ ମିଳିଥିଲା। ପରେ ସେହିଦିନ ବିଳମ୍ବିତ ରାତିରେ କଣ୍ଟେନରଟି ପେଣ୍ଠକଟା ଗଙ୍ଗା ଦେବୀ ମନ୍ଦିର ସମ୍ମୁଖ ବେଳାଭୂମିରେ ଲାଗିଥିଲା। କଣ୍ଟେନର ଭିତରେ କ’ଣ ରହିଛି ତା’କୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଏବେ କଣ୍ଟେନରରୁ ଖାଦ୍ୟ ସାମଗ୍ରୀ ଓ ମହମବତୀ ବାହାରୁଥିବା ବେଳେ କଣ୍ଟେନର ଭିତରେ ଆଉ କ’ଣ ସବୁ ରହିଛି ତା’କୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ତେବେ ଏହି କଣ୍ଟେନରକୁ ସୁରକ୍ଷା ଦେବା ସହ ତୁରନ୍ତ ଏହା ଖୋଲାଯିବାର ଆବଶ୍ୟକତା ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button