ରାଜ୍ୟ

ପରିବେଶ ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷରୋପଣ କରିବା:

ବ୍ରହ୍ମପୁର/ଗଞ୍ଜାମ: ପରିବେଶ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି। ବାୟୁ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ, ମୃର୍ତ୍ତିକା କ୍ଷୟ ସହିତ ଦୂଷିତ ପାଣି ବର୍ତ୍ତମାନ ଚିନ୍ତାର କାରଣ ହୋଇଛି। ପରିବେଶକୁ କିପରି ସୁରକ୍ଷିତ ରଖାଯାଇ ପାରିବ ସେ ନେଇ ପ୍ରଥମେ ସଚେତନ ହେବାର ଆବଶ୍ୟକତା ରହିଛି। ଆଗାମୀ ଭବିଷ୍ୟତ ପାଇଁ ଏକ ସୁନ୍ଦର ପରିବେଶ ସୃଷ୍ଟି କରିବା ହେଉଛି ଆମର ଦାୟିତ୍ବ।

ପରିବେଶକୁ ବଞ୍ଚାଇବା ପାଇଁ ଆମେ ସମସ୍ତେ ଶପଥ ନେବା ବୋଲି ଛତ୍ରପୁର ନିର୍ବାଚନମଣ୍ଡଳୀର ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ଗ୍ରାମ ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀରେ ଆଜି ‘ସମ୍ବାଦ’ ଗ୍ରୁପ୍ ତରଫରୁ ଅନୁଷ୍ଠିତ ପରିବେଶ ପଞ୍ଚାୟତରେ ମତପ୍ରକାଶ ପାଇଛି।

କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ କହିଛନ୍ତି ଯେ, ଛତ୍ରପୁର ନିର୍ବାଚନମଣ୍ଡଳୀର ପରିବେଶ ସବୁଜ ସୁନ୍ଦର ଥିଲା। କିନ୍ତୁ ୧୯୯୯ ମହାବାତ୍ୟା ପରେ ଉଭୟ ଛତ୍ରପୁର ଓ ଗଞ୍ଜାମ ବ୍ଲକ୍ର ବିଭିନ୍ନ ଗାଁରେ ଥିବା ବଡ଼ବଡ଼ ଗଛଗୁଡ଼ିକ ଭାଙ୍ଗିଗଲା। ମହାବାତ୍ୟା ପରେ ବାରମ୍ବାର ପ୍ରାକୃତିକ ଦୁର୍ବିପାକ ଦେଖାଦେଉଛି। ଏଣୁ ଗଞ୍ଜାମ ଜିଲ୍ଲା ବିଶେଷ କରି ସମୁଦ୍ର ଉପକୂଳବର୍ତ୍ତୀ ଛତ୍ରପୁର ନର୍ବାଚନମଣ୍ଡଳୀରେ ବହୁ କ୍ଷତି ଘଟୁଛି। ସମୁଦ୍ର କୂଳରେ ରହୁଥିବା ଗ୍ରାମବାସୀଙ୍କ ସମସ୍ୟା ବଢ଼ିଛି। ପରିବେଶର ସନ୍ତୁଳନ ବିଗିଡ଼ିବାରୁ ସମୁଦ୍ର ଜନବସତି ଆଡ଼କୁ ମାଡ଼ି ଆସୁଛି। ଏଣୁ ଆମେ କିପରି ସୁରକ୍ଷିତ ରହିବା ସେ ଦିଗରେ ଚିନ୍ତା କରିବା ଆବଶ୍ୟକ। ସେହିପରି ଦିନକୁ ଦିନ ଖରାର ପ୍ରକୋପ ବଢ଼ିବାରେ ଲାଗିଛି। ଗରମରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଲୋକ ଏସି ବ୍ୟବହାର କରୁଛନ୍ତି। ଏସି ବଦଳରେ ଆମେ ଚାରା ରୋପଣ କଲେ ତାହା ଆମ ପରିବେଶକୁ ରକ୍ଷା କରିବ ଓ ଗରମ ହ୍ରାସ ପାଇବ। ଏଣୁ ଆମେ ସମସ୍ତେ ଗଛ ଲଗାଇବା ପାଇଁ ଶପଥ ନେବା ବୋଲି ବିଧାୟକ କହିଥିଲେ। ଅନ୍ତଃତ ପକ୍ଷେ ନିଜ ମା’ ପାଇଁ ସମସ୍ତେ ଗୋଟିଏ ଲେଖାଏଁ ଗଛ ଲଗାନ୍ତୁ ବୋଲି ବିଧାୟକ ଆହ୍ବାନ କରିଥିଲେ। ବିକାଶ ସହିତ ନିଯୁକ୍ତି ପାଇଁ କଳକାରଖାନା ଆବଶ୍ୟକ। କିନ୍ତୁ ସେହି ଶିଳ୍ପସଂସ୍ଥା ଜରିଆରେ ପରିବେଶ ସୁରକ୍ଷା ପାଇଁ କାମ କରାଯିବା ଆବଶ୍ୟକ ବୋଲି କହିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button